ପାଟଣାଗଡ,୨୮/୦୫: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ବୁଧବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଚୂଡ଼ାନ୍ତ ରାୟ ଶୁଣାଇବେ । ସେଥିପାଇଁ ବଲାଙ୍ଗୀର ଜେଲ୍ରୁ ପୁଞ୍ଜିଲାଲକୁ କଡ଼ାସୁରକ୍ଷା ବଳୟ ଭିତରେ ପାଟଣାଗଡ଼ କୋର୍ଟରେ ସକାଳ ୮ଟା ୨୦ମିନିଟ୍ରେ ଅଣାଯାଇଥିଲା । ପୀଡ଼ିତାଙ୍କ ପରିବାର ତରଫରୁ ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ ଏବଂ ପୁଞ୍ଜଲାଲଙ୍କ ତରଫରୁ ପ୍ରମୋଦ ମିଶ୍ରଙ୍କ ସହଯୋଗୀ କୋର୍ଟରେ ଉପସ୍ଥିତ ଅଛନ୍ତି । ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଆଶାବାଦୀ ଥିବାବେଳେ ପୁଞ୍ଜିଲାଲଙ୍କ ପରିବାର ଏହି ମାମଲାରେ ତାଙ୍କର ସମ୍ପୃକ୍ତ ନଥିବା କହିଛନ୍ତି । ତେବେ ଚୂଡ଼ାନ୍ତ ରାୟ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି । ଆଉ ଅଳ୍ପ ସମୟର ବ୍ୟବଧାନ ପରେ ଏହି ମାମଲାର ରାୟ ପ୍ରକାଶ ପାଇବ ।
କହିରଖୁ କି, ୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ର ନବ ବିବାହିତ ସୌମ୍ୟ ଶେଖର ଓ ତାଙ୍କ ସ୍ତ୍ରୀ ରୀମା ରାଣି ଏକ ପାର୍ସଲ ଗିଫ୍ଟ ପ୍ୟାକେଟକୁ ଖୋଲିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଜେମାମଣୀଙ୍କ ମୃତ୍ୟୁ ହୋଇ ହୋଇଥିଲା । ଏହି ମାମଲାରେ ପ୍ରଥମେ ଜିଲ୍ଲା ପୋଲିସ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରାୟ ଦୁଇ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲା । ଏହି ମାମଲାରେ ୬୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ଜଣାପଡିଛି ।