କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ,୧୦/୦୮:  ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ  କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା  ମାମଲାର ଏଯାଏ କିଛି ନିଷ୍କର୍ଷ ମିଳିପାରି ନାହିଁ ।  ପୁଲିସ ମୃତା ଛାତ୍ରୀଙ୍କ ପଡ଼ୋଶୀ ଓ  ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରିଲ୍‌ରେ ଲାଗିଥିବା  ୨ଟି ସିସିଟିଭି କ୍ୟାମେରା ଜବତ କରି ଫୁଟେଜ୍‌  ଅନୁଧ୍ୟାନ କରୁଛି । 

ଶନିବାର ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ଏକ ଟିମ୍‌ ୨ଟି  ଦିଗକୁ ଧ୍ୟାନରେ ରଖି ତଦନ୍ତକୁ ଜୋରଦାର କରିଛନ୍ତି । ପ୍ରକୃତରେ ଏହା ଆତ୍ମହତ୍ୟା ନା  ହତ୍ୟା ଏବଂ ମୃତ୍ୟୁର ସମ୍ଭାବ୍ୟ କାରଣ କ’ଣ - ଏହା ଜାଣିବାକୁ ପୁଲିସ ଉଦ୍ୟମ ଚଳାଇଛି । ଯେଉଁଦିନ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଅର୍ଥାତ  ଅଗଷ୍ଟ ୬ରେ କେମିତି ଥିଲା ଛାତ୍ରୀଙ୍କ ଆଚରଣ  ଓ ବ୍ୟବହାର? ପେଟ୍ରୋଲ ପମ୍ପ୍‌ରେ ପ୍ଲାଷ୍ଟିକ୍‌  ବୋତଲରେ ପେଟ୍ରୋଲ ଅବା ଡିଜେଲ ଦେବାକୁ  କଟକଣା ଥିବା ବେଳେ ସେ ପେଟ୍ରୋଲ ଆଣିଲେ କେଉଁଠାରୁ? ଦିଆସିଲି କେଉଁଠାରୁ ଆଣିଲେ?  ଅଗଷ୍ଟ ୬ ଓ ୫ ତାରିଖ ରାତି ମଧ୍ୟରେ କ’ଣ ସବୁ ଘଟଣା ଘଟିଥିଲା ଘର ଆଖପାଖରେ ପୁଲିସ ସିସିଟିଭି ଫୁଟେଜ୍‌ରୁ ତାହା ଜାଣିବାକୁ  ଚେଷ୍ଟା କରୁଛି । ପୁଲିସର ତଦନ୍ତ ମୃତା ଛାତ୍ରୀଙ୍କ ବାପା-ମା’ଙ୍କ ପାଖରେ ଏଯାଏ ଘୂରି  ବୁଲୁଛି । ଯେଉଁମାନେ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ପାଖରେ ଥିଲେ । ଅପରପକ୍ଷରେ, କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର ଶନିବାର  କେନ୍ଦ୍ରାପଡ଼ାରେ ପହଞ୍ଚି ଘଟଣା ସମ୍ପର୍କରେ  ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି । 

ମୃତା ଛାତ୍ରୀଙ୍କ ବାପା ଶଶିକାନ୍ତ ପରିଡ଼ା ଘଟଣା ଦିନ ସକାଳ ୭ଟାରେ ପତ୍ନୀଙ୍କ ସହ  ପଟ୍ଟାମୁଣ୍ଡାଇ ବଜାରକୁ ଯାଇ ସକାଳ ସାଢ଼େ  ୧୧ଟାରେ ଫେରିବା କଥା ପୁଲିସକୁ କହିଛନ୍ତି ତାହା ସତ କି ନାହିଁ ପୁଲିସ ଜାଣିବାକୁ ଚେଷ୍ଟା  କରୁଛି । ସେମାନେ ବାହାରୁ କବାଟ ଦେଇ ଯାଇଥିଲେ ନା ବୟାନ ମୁତାବକ ଘରେ ପହଞ୍ଚିବା ପରେ ଭିତରୁ କବାଟ ବନ୍ଦ ଥିବା ଦେଖିଥିଲେ?  ଶଶିକାନ୍ତ, ତାଙ୍କ ପତ୍ନୀ ଓ ଝିଅଙ୍କ ବାଦ୍‌  ଅନ୍ୟ କେଉଁମାନେ ଅପରାଧ ଘଟିବା ସମୟରେ  ତାଙ୍କ ଘରକୁ ଯିବା-ଆସିବା କରିଥିଲେ ତା’  ମଧ୍ୟ ଯାଞ୍ଚ୍‌ କରୁଛି ପୁଲିସ । ପୁଲିସ ଗତକାଲି  ବିଳମ୍ବିତ ରାତିରେ ଶଶିକାନ୍ତ ଓ ତାଙ୍କ ପତ୍ନୀଙ୍କୁ  ଥାନାକୁ ଡକାଇ ପଚରାଉଚରା କରିଥିଲା ଓ  ପରେ ସକାଳେ ଆଣି ଛାଡ଼ି ଦେଇଥିଲା । 

ଶନିବାର ଚତୁର୍ଥ ଦିନରେ ଏସ୍‌ପି  ସିଦ୍ଧାର୍ଥ କଟ୍ଟାରିଆ କ୍ରାଇମ୍‌ ସ୍ପଟ୍‌କୁ ଯାଇ  ଛାନ୍‌ଭିନ୍‌ କରିଛନ୍ତି । ରାଷେଇ ଘର ପାଖରେ ଥିବା ଏକ ପ୍ରକୋଷ୍ଠରେ କାହିଁକି କବାଟ ନାହିଁ ପୁଲିସ ସେ କଥା ବି ପଚାରି ବୁଝିଛି । ଶଶିକାନ୍ତ  ଓ ପତ୍ନୀଙ୍କୁ ପୁଲିସ ଏକାଠି ବସାଇ ଘରେ  ପଚରାଉଚରା କରିଥିଲା । ସେମାନେ ଛାତ୍ରୀଙ୍କ  ମୃତ୍ୟୁ ପୂର୍ବରୁ କାହା କାହା ସହ ଫୋନ୍‌ରେ କଥା ହୋଇଥିଲେ ଓ ସେତେବେଳେ ଗୁଜରାଟରେ  ରହୁଥିବା ତାଙ୍କ ପୁଅ ସହ କଥା ହୋଇଥିଲେ କି? ଝିଅର ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିଛନ୍ତି ।  ଶଶିକାନ୍ତଙ୍କ ଫୋନ୍‌ ପୁଲିସ ଜବତ କରିଛି । ଛାତ୍ରୀଙ୍କ ବାପା ଗୁରୁବାର ଦାଏର କରିଥିବା ଏତଲାରେ ତାଙ୍କ ପ୍ରେମିକ, ବ୍ଲାକ୍‌ମେଲ୍‌  ବା ପୁଲିସ ଅବହେଳା ସମ୍ବନ୍ଧରେ କିଛି ଲେଖିନଥିଲେ । ଅଥଚ ଗଣମାଧ୍ୟମରେ ସେ ଝିଅକୁ ତଥାକଥିତ ପ୍ରେମିକ ବ୍ରେକଅପ୍‌ ପରେ  ବ୍ଲାକ୍‌ମେଲ୍‌ କରୁଥିବା ବୟାନ ଦେଇଥିଲେ ।  ତେଣୁ ତାଙ୍କୁ ସାନି ଏତଲା ଦେବାକୁ ପୁଲିସ  ଶୁକ୍ରବାର କହିଥିଲା । ଶନିବାର ସନ୍ଧ୍ୟାରେ  ଶଶିକାନ୍ତ ଓ ତାଙ୍କ ପୁଅ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ସାନି ଏତଲା ଦାଏର  କରିଥିବା ସୂଚନା ମିଳିଛି । ଏତଲାରେ  ପ୍ରେମିକ ପ୍ରମୋଦ ବେହେରାଙ୍କ ବିରୋଧରେ  ବ୍ଲାକ୍‌ମେଲ୍‌ ଅଭିଯୋଗ ରହିଥିବା ଜଣାପଡ଼ିଛି ।  

ଏଣେ ପୁଲିସ ହେପାଜତରେ ଥିବା  ପ୍ରେମିକ ପ୍ରମୋଦ ବେହେରାଙ୍କ ମୋବାଇଲ  ଫୋନ୍‌କୁ ମଧ୍ୟ ପୁଲିସ ଜବତ କରିଛି । ତାଙ୍କ  ମୋବାଇଲ ଫୋନ୍‌ରେ ମୃତା ଛାତ୍ରୀଙ୍କର  କିଛି ଆପତ୍ତିଜନକ ଭିଡିଓ ଏବଂ ଫଟୋ  ଥିବା ପୁଲିସ ସୂଚନା ଦେଇଛି । ତାଙ୍କ ହ୍ୱାଟ୍‌ସଆପ୍‌ ଚାଟିଂ ଓ ଭିଡିଓ କଲ୍‌ ରେକର୍ଡ ମଧ୍ୟ ପୁଲିସ ପାଇଛି । ପ୍ରମୋଦଙ୍କ ପରିବାର  ଗତକାଲି ଛାତ୍ରୀଙ୍କ ପରିବାର ବିରୋଧରେ  ଗଣମାଧ୍ୟମରେ ଅଭିଯୋଗ ଆଣି ଏହାକୁ  ହତ୍ୟା ଓ ଅନରକିଲିଂ ବୋଲି କହି ତାଙ୍କ ପୁଅକୁ ଫସାଇ ଦିଆଯାଇଥିବା ଦର୍ଶାଇଥିଲେ ।  ସେମାନେ ମଧ୍ୟ ଏନେଇ ଥାନାରେ ଏତଲା  ଦେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।  

କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଆମ ପାଖରେ ତଦନ୍ତର କିଛି ନୂଆ ଦିଗ ରହିଛି । ସିସିଟିଭି ଫୁଟେଜ୍‌ ଜବତ  କରିଛୁ । ଏଥିରୁ କିଛି ତଥ୍ୟ ମିଳିବ ବୋଲି  ଆଶା କରୁଛୁ । ଶବ ବ୍ୟବଚ୍ଛେଦ ରିପୋର୍ଟ  ଆସିବା ପରେ ସବୁ ସ୍ପଷ୍ଟ ଜଣାପଡ଼ିବ ।