ନୂଆଦିଲ୍ଲୀ,୧୭।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ଗତ ରବିବାର ଦିନ ପାକିସ୍ତାନ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ-ଏ ଦଳ ୧୩୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ, ପାକିସ୍ତାନୀ ଦଳ ୪୦ ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତୀୟ ବୋଲରମାନେ ଫ୍ଲପ୍ ରହିଥିଲେ। ବୈଭବ ସୂର୍ଯ୍ୟବଂଶୀ ଏବଂ ନମନ ଧୀରଙ୍କ ବ୍ୟତୀତ ଅନ୍ୟ କେହି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିପାରି ନଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ –ଏ’ ଦଳ ପାଇଁ ଲଗାତାର ଦ୍ୱିତୀୟ ବିଜୟ ଥିଲା, ଯାହା ପରେ ପିସିବି ମୁଖ୍ୟ ମୋହସିନ ନକଭି ପ୍ରତିକ୍ରିୟା ରଖିଛନ୍ତି। ଏକ୍ସରେ ପୋଷ୍ଟ କରି ମୋହସିନ ନକଭି ପାକିସ୍ତାନ ଦଳକୁ ପ୍ରଶଂସା କରିଉନ୍ତି।

ସେ କହିଛନ୍ତି ଏହା ପାକିସ୍ତାନ ଟିମ୍ ଏବଂ ପାକିସ୍ତାନ ବୋର୍ଡ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମର ପାକିସ୍ତାନ ଶାହିନ୍ସ ମାତ୍ର ୧୩.୨ ଓଭରରେ ଲକ୍ଷ୍ୟ ପିଛା କରି ଭାରତ-ଏ’ ଦଳକୁ ୮ ୱିକେଟରେ ପରାସ୍ତ କରିଛି। ଦୋହାରେ ଚାଲିଥିବା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନୀ ଦଳର ଏକ ପ୍ରଭାବଶାଳୀ, ନିର୍ଭୀକ ଏବଂ ଅବିସ୍ମରଣୀୟ ପ୍ରଦର୍ଶନ। ଆମର ଯୁବ କ୍ରିକେଟରଙ୍କ ଚମତ୍କାର ପ୍ରଦର୍ଶନ ସହିତ, ପାକିସ୍ତାନର ଭବିଷ୍ୟତ ଉଜ୍ଜ୍ୱଳ ହେବ। ସମଗ୍ର ଦେଶକୁ ଅଭିନନ୍ଦନ।’

ପାକିସ୍ତାନ ବହୁତ ଦିନ ପରେ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ଦଳକୁ ପରାସ୍ତ କରିଛି। ନିକଟରେ ସରିଥିବା ଏସିଆ କପ୍ ୨୦୨୫ ରେ ପାକିସ୍ତାନର ସିନିୟର ପୁରୁଷ ଦଳକୁ ଟିମ୍ ଇଣ୍ଡିଆଠାରୁ ତିନି ଥର ପରାଜୟର ସାମ୍ନା କରିବାକୁ ପଡିଥିଲା। ଏସିଆ କପ୍ ରାଇଜିଂ ଷ୍ଟାର୍ସ ମ୍ୟାଚ୍ ଏବେ ବି ପୁଣିଥରେ ଚର୍ଚ୍ଚାରେ ରହିଛି। କାରଣ ଏହି ମ୍ୟାଚ୍ ପୂର୍ବରୁ ଓ ପରେ ଭାରତୀୟ ଟିମ୍ ପାକ୍ ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ଏହା ପୂର୍ବରୁ ଏସିଆ କପ୍ ୨୦୨୫ ଓ ମହିଳା ବିଶ୍ବକପ୍ରେ ମଧ୍ୟ ଟିମ୍ ଇଣ୍ଡିଆ ‘ନୋ ହାଣ୍ଡସେକ୍’ ପଲିସ ଗ୍ରହଣ କରିଥିଲା।