▪️ଏମଭି-୨୬ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଆରଡିସି ଓ ଜିଲ୍ଲାପାଳ

▪️ଗ୍ରାମବାସୀଙ୍କୁ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହେବାର ଆଶ୍ଵାସନା ଦେଲେ ଆରଡିସି ଓ ଜିଲ୍ଲାପାଳ

▪️ସ୍କୁଲ୍ ପିଲାଙ୍କୁ ଶୁଖିଲା ଖାଦ୍ୟ ଓ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁଙ୍କ ନିମନ୍ତେ ଟେକ୍ ହୋମ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ

ମାଲକାନଗିରି, ୧୨/୧୨ : ମାଲକାନଗିରି ଜିଲ୍ଲା ଏମଭି-୨୬ ଗାଁକୁ ଫେରିଛି ଶାନ୍ତି। ଗୁରୁବାର ରାତିରେ ଗାଁରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତ ପଦକ୍ଷେପ ବିଷୟରେ ଆରଡିସିଙ୍କୁ ଅବଗତ କରାଇଛନ୍ତି। ଆରଡିସି ଏବଂ ଜିଲ୍ଲାପାଳ ଏମଭି-୨୬ର ପୀଡ଼ିତମାନଙ୍କ ସହ ଆଲୋଚନା କରିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ୱାଭାବିକ ହୋଇଯିବ ବୋଲି ଆରଡିସି ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି। ଜିଲ୍ଲାପାଳ ଯେଉଁଭଳି ଭାବେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦାରଖ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ଆରଡିସି କହିଛନ୍ତି।

ଆରଡିସି କହିଛନ୍ତି ଯେ, ଏପରି ସ୍ଥିତିରେ ରାତିରେ ସମଗ୍ର ପ୍ରଶାସନ ଉପସ୍ଥିତ ରହି ଥଇଥାନ ବ୍ୟବସ୍ଥାକୁ ଯେଉଁଭଳି ଯତ୍ନ ସହକାରେ ତଦାରଖ କରୁଛନ୍ତି ତାହା ଏକ ବିରାଟ ଉପଲବ୍ଧି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସେ ଏମଭି-୨୬ ଗାଁକୁ ଗସ୍ତ କରିଛନ୍ତି ଏବଂ ସମସ୍ତଙ୍କର ଯତ୍ନ ନିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି। ଆଜି ୨୦୬ ଜଣଙ୍କୁ ଟାରପଲିନ୍ ଓ କମ୍ବଳ ବଣ୍ଟନ କରାଯାଇଛି। ତା ସହିତ ପୀଡ଼ିତ ଗ୍ରାମବାସୀଙ୍କୁ ଦୁଇ ଗୋଟି ଖଟ ସାଙ୍ଗକୁ ଦୁଇ ଗୋଟି ବିଛଣା ଯୋଗାଇ ଦିଆଯାଇଛି। ଏମଭି-୨୬ ଗ୍ରାମର ପୁରୁଷ ସଦସ୍ୟମାନେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା କଥା ଜିଲ୍ଲାପାଳ ଆରଡିସିଙ୍କୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ବିଦ୍ୟୁତ୍ ସଂଯୋଗୀକରଣ ନିମନ୍ତେ ବିଦ୍ୟୁତ୍ ବିଭାଗ ତତ୍ପରତାର ସହ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଘରକୁ ସୁରକ୍ଷିତ ଭାବେ ବିଦ୍ୟୁତ୍ ସଂଯୋଗୀକରଣ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏମଭି-୨୬ ଗ୍ରାମରେ ଉପସ୍ଥିତ ରହି ରିଲିଫ୍ କାର୍ଯ୍ୟ ତଦାରଖ କରିଛନ୍ତି। ରିଲିଫ୍ ସାମଗ୍ରୀ ବଣ୍ଟନ ନିମନ୍ତେ ରେଡ୍ କ୍ରସ୍ ସୋସାଇଟିକୁ ଅବଗତ କରାଯାଇଛି। ସେହିପରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଗୁଡିକର ସୁରକ୍ଷା ଦିଗରେ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶୁଖିଲା ଖାଦ୍ୟ ଗ୍ରାମର ପୁରୁଷମାନଙ୍କ ମାଧ୍ୟମରେ ପଠାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁରୂପ ଭାବେ ଶିଶୁଙ୍କ ଖାଦ୍ୟ ମଧ୍ୟ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଘରର ପୁରୁଷମାନଙ୍କ ପାଖରେ ପହଞ୍ଚାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଫଳରେ ତାହା ଶିଶୁମାନଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆରଡିସି କହିଥିଲେ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କଥା ମଧ୍ୟ ପଚାରି ବୁଝିଥିଲେ ଆରଡିସି । ପୀଡ଼ିତଙ୍କୁ ଉତ୍ତମ ଖାଦ୍ୟ ବ୍ୟବସ୍ଥାର ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ରାତ୍ରୀରେ ଫେରିଥିବା ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏମଭି-୨୬ ଗ୍ରାମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ସମଗ୍ର ଗ୍ରାମରେ ବିଏସଏଫ, ସିଆରପିଏଫ୍, ଆରଏଏଫ୍ ଓ ପୁଲିସ ବାହିନୀକୁ ମୁତୟନ କରାଯାଇଛି । ଧିରେ ଧିରେ ଏମଭି-୨୬ ଗ୍ରାମର ପରିସ୍ଥିତି ସୁଧୁରିଛି । ସୂଚନା ଥାଉକି ସମଗ୍ର ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।