ନୂଆଦିଲ୍ଲୀ – ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେଙ୍କର ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନୀ’କୁ ନେଇ ରାଜନୀତି ଜୋର ଧରିଛି। ଏହି ବିବାଦ ମଧ୍ୟରେ ପ୍ରକାଶକ ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ୨୪ ଘଣ୍ଟା ଭିତରେ ଦ୍ୱିତୀୟ ଥର ସ୍ପଷ୍ଟୀକରଣ ଦେଇଛି। ନୂଆ ସ୍ପଷ୍ଟୀକରଣରେ ପ୍ରକାଶକ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, କୌଣସି ପୁସ୍ତକକୁ ସେପର୍ଯ୍ୟନ୍ତ ପ୍ରକାଶିତ ମନେକରାଯିବ ନାହିଁ ,ଯେପର୍ଯ୍ୟନ୍ତ ସେ ସବୁ ଖୁଚୁରା ମାଧ୍ୟମରେ ବିକ୍ରି ପାଇଁ ଉପଲବ୍ଧ ନହୋଇଛି।

ମଙ୍ଗଳବାର ଏକ ନୂଆ ସ୍ପଷ୍ଟୀକରଣ ଦେଇ ପେଙ୍ଗୁଇନ କହିଛି ଯେ, ଘୋଷିତ ଶୀର୍ଷକ , ପ୍ରୀ-ଅର୍ଡର ଲିଷ୍ଟିଂ ଓ ବାସ୍ତବିକ ପ୍ରକାଶନ –ଏହି ତିନୋଟି ଭିନ୍ନ ଭିନ୍ନ ପର୍ଯ୍ୟାୟ ହୋଇ ଥାନ୍ତି। କେବଳ ପ୍ରୀ-ଅର୍ଡର ଲିଙ୍କ ଉପଲବ୍ଧ ହେବାର ଅର୍ଥ ଏହା ନୁହେଁ ଯେ,ପୁସ୍ତକ ପ୍ରକାଶିତ ହୋଇ ସାରିଛି।

ଏହି ନୂଆ ସ୍ପଷ୍ଟୀକରଣ ଏମିତି ସମୟରେ ଆସିଛି , ଯେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରକାଶକଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ କରି କଥିତ ବିରୋଧାଭାସ ଆଡ଼କୁ ଇଙ୍ଗିତ କରିଥିଲେ। ରାହୁଲ ଗାନ୍ଧୀ ଜେନେରାଲ ନରବଣେଙ୍କ ୨୦୨୩ ମସିହାର ଏକ ସୋସିଆଲ ମିଡ଼ିଆ ପୋଷ୍ଟର ଉଲ୍ଲେଖ କରିଥିଲେ , ଯେଉଁଥିରେ ଲେଖିଥିଲେ – ହେଲୋ ଫ୍ରେଣ୍ଡସ୍, ମୋର ପୁସ୍ତକ ଏବେ ଉପଲବ୍ଧ ଅଛି। ଲିଙ୍କ୍ ଫଲୋ କରନ୍ତୁ। ହ୍ୟାପି ରିଡିଂ। ଜୟ ହିନ୍ଦ। ରାହୁଲ ଗାନ୍ଧୀଙ୍କ ଦାବି ଯେ, ଏହି ବାର୍ତ୍ତା ଦର୍ଶାଏ ଯେ, ପୁସ୍ତକ ସାଧାରଣ ପାଠକଙ୍କ ପାଇଁ ଉପଲବ୍ଧ କରାଯାଇ ସାରିଛି। ସେ ଏହା ମଧ୍ୟ କହି ଥିଲେ ଯେ, ଜେନେରାଲ ନରବଣେ ହୁଅନ୍ତୁ କିମ୍ୱା ପେଙ୍ଗୁଇନ କେହି ସତ କହୁ ନାହାନ୍ତି। ହେଲେ ପେଙ୍ଗୁଇନ ଦୋହରାଇଛି ଯେ, ଏହି ପୋଷ୍ଟ କେବଳ ପ୍ରି-ଅର୍ଡର ଲିଙ୍କ ସହ ସମ୍ୱନ୍ଧିତ ଥିଲା ଏବଂ ପୁସ୍ତକକୁ ଦୁଇ ଦିନ ଭିତରେ ପ୍ରତ୍ୟାହାର କରି ନିଆଯାଇ ଥିଲ। ପ୍ରକାଶକଙ୍କ ଅନୁସାରେ, ସେବେଠାରୁ ଏବେ ଯାଏ ଫୋର ଷ୍ଟାର୍ସ ଅଫ୍ ଡେଷ୍ଟିନୀ କୌଣସି ବି ଇ-କମର୍ସ କିମ୍ୱା ଖୁଚୁରା ପ୍ଲାଟଫର୍ମରେ ଉପଲବ୍ଧ ନାହିଁ।

ଉକ୍ତ ବିବାଦରେ ଏବେ ରାଜନୀତିକ ତାତି ଆହୁରି ବଢି ଯାଇଛି। ବିଜେପି ନେତା ଶହଜାଦ ପୁନାୱାଲା ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ହମଲା କରି ତାଙ୍କୁ , ଜାତୀୟ ଲଜ୍ଜା ବୋଲି ଦର୍ଶାଇ ଥିଲେ ଏବଂ କହିଥିଲେ, ପ୍ରୀ –ଅର୍ଡର ଓ ପ୍ରକାଶିତ ପୁସ୍ତକ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୁଝି ପାରୁନାହାନ୍ତି। ପୁନାୱାଲା ଏହି ପ୍ରଶ୍ନ ମଧ୍ୟ କରିଛନ୍ତି ଯେ, ଯଦି ପୁସ୍ତକ ପ୍ରକାଶିତ ହୋଇ ନଥିଲା, ତ ରାହୁଲ ଗାନ୍ଧୀଙ୍କ ପାଖରେ ଏହାର କପି କେମିତି ପହଞ୍ଚିଲା। ସେ ଏହାକୁ କପିରାଇଟ୍ ଆକ୍ଟ ଓ ଏମିତି କି ଅଫିସିଆଲି ସିକ୍ରେଟ୍ସ ଆକ୍ଟ ସହ ଯୋଡ଼ି ଗୁରୁତର ଅଭିଯୋଗ କରିଛନ୍ତି।