ଭୁବନେଶ୍ୱର,୨୮/୧୨: ଗୋବର ଗଦାରେ ଫୁଟିଛି କଇଁ, ଗରିବ ସାଙ୍ଗକୁ ଭୁଲିବ ନାଇଁ...। ପର୍ବତ ଉପରେ ଘର କରିଥିଲି, ପବନ ଉଡ଼େଇନେଲା, ତୁମ ପରି ସାଙ୍ଗ କରିଥିଲି ଝୁରି ଝୁରି ଦିନ ଗଲା...। ଗୋଲାପ ଗଛରେ ଟିକିନିଖି କଣ୍ଟା, ସାଙ୍ଗ କଥା ମନେପଡ଼ୁଛି ଘଣ୍ଟାକୁ ଘଣ୍ଟା...। ନୂଆବର୍ଷ ଆସିଲେ ଏମିତି ମଜାଳିଆ ଢଗକୁ ନେଇ ପହଞ୍ଚୁଥିଲା ଗ୍ରୀଟିଙ୍ଗସ୍ କାର୍ଡ। ଏମିତି କେତେ କ’ଣ ଢଗ ନ ଲେଖିଲେ ଯାଉନଥିଲା ଗ୍ରିଟିଙ୍ଗସ୍ କାର୍ଡ। ହେଲେ ଆଉ ସେ ଗ୍ରୀଟିଙ୍ଗସ୍ ଯୁଗ ନାହିଁ। ତା’ର ସ୍ଥାନ ନେଇଛି ସାମାଜିକ ଗଣମାଧ୍ୟମ। ପୂର୍ବେ ନୂଆବର୍ଷ ଆସିଲେ ଗ୍ରିଟିଙ୍ଗସ୍ କାର୍ଡ ଆସୁଥିଲା। ୮୦ ଦଶକରୁ ଆରମ୍ଭ ହୋଇଥିଲା ଗ୍ରୀଟିଙ୍ଗସ୍ର ଜମାନା। ୯୦ ଦଶକରେ ଏହା ଟ୍ରେଣ୍ଡ୍ ପାଲଟିଯାଇଥିଲା। ସେଇ କାର୍ଡ କିଣିବା ପାଇଁ ପକେଟ୍ ମନିର କରାଯାଉଥିଲା ଆକଳନ। ପ୍ରିୟ ସାଙ୍ଗ ପାଇଁ ସୁନ୍ଦର କାର୍ଡଟିଏ କିଣିବାକୁ ସ୍କୁଲ ପାଖ ଗ୍ରୀଟିଙ୍ଗ୍ସ ଦୋକାନକୁ ନୂଆବର୍ଷର ୧୫ ଦିନ ପୂର୍ବରୁ ପିଲାଙ୍କ ସୁଅ ଛୁଟୁଥିଲା। ସେଥିରେ କେବଳ ‘ହାପି ନ୍ୟୁ ଇଅର’ ଲେଖାହେଉନଥିଲା ବରଂ କେଇ କଥା ପଦ ଲେଖି ସାଙ୍ଗକୁ ଦିଆଯାଉଥିଲା। ଛୋଟ ଲଫାପାରେ କାର୍ଡଟି ଯେବେ ସାଙ୍ଗ ପାଖରେ ପହଞ୍ଚୁଥିଲା କ୍ଲାସ ଟପର୍ ହେବା ଠାରୁ ବି ଅଧିକ ଖୁସି ପିଲାଙ୍କୁ ମିଳୁଥିଲା ।
ଗୋଲାପ ଫୁଲ ଅଙ୍କା କାର୍ଡଟି ମନର କଥା କହିଦେଉଥିଲା । ଏହି କାର୍ଡକୁ ସେମାନେ ସାଇତି ରଖୁଥିଲେ ବହି, ଖାତା ଥାକରେ । ସ୍କୁଲ, କଲେଜ ପିଲା ଗ୍ରୀଟିଙ୍ଗସ୍ କାର୍ଡ କିଣିବାକୁ ଯେମିତି ବ୍ୟାକୁଳ ଥିଲେ । ୫୦ ପଇସାର ଫିଲ୍ମ ହିରୋ, ହିରୋଇନ୍ଙ୍କ ଫଟୋ ଥିବା ଗ୍ରୀଟିଙ୍ଗସ୍ କାର୍ଡରୁ ଆରମ୍ଭ କରି ଥାକ ଥାକ ହୋଇ ଖୋଲୁଥିବା ଫୁଲ ଫଟୋର ଗ୍ରୀଟିଙ୍ଗସ୍ କାର୍ଡର ଚାହିଦା ଥିଲା ପ୍ରବଳ । ନୂଆବର୍ଷରେ ଗ୍ରୀଟିଙ୍ଗସ୍ କାର୍ଡଥିଲା ପ୍ରେମ ନିବେଦନର ଗୋଟିଏ ବଡ଼ ମାଧ୍ୟମ । ପ୍ରେମୀଯୁଗଳ ବର୍ଷର ଏହି ଦିନକୁ ବେଶ୍ ଉତ୍କଣ୍ଠାର ସହିତ ଚାହିଁ ରହୁଥିଲେ । ଆଉ ଏଥିପାଇଁ ଆସୁଥିଲା ସ୍ୱତନ୍ତ୍ର ଗ୍ରିଟିଙ୍ଗସ୍ କାର୍ଡ ଯେଉଁଥିରେ ରହୁଥିଲା ପ୍ରେମର ପ୍ରତୀକ ଲାଲ ଗୋଲାପ, ପାନପତ୍ର, ଦୁଇଟି ପାରା ଭଳି ବିଭିନ୍ନ ଚିତ୍ର । ଏହି କାର୍ଡ ଭିତରେ ବିଭିନ୍ନ ରଙ୍ଗର ଖାଲି କାଗଜ (ବ୍ଲାଙ୍କ୍ ପେପର)ବି ଆସୁଥିଲା, ଯେଉଁଥିରେ ପ୍ରେମିକ କିମ୍ବା ପ୍ରେମିକା ନିଜ ମନ କଥା ଲେଖି ପଠାଉଥିଲେ । କେହି କେହି ଏହି ଚିଠି ସହିତ ଗୋଲାପ ଫୁଲ ପାଖୁଡ଼ା ଦେଉଥିଲେ । ସେତେବେଳେ ଏହି ଗ୍ରୀଟିଙ୍ଗସ୍ କାର୍ଡ କିଣିବା ପାଇଁ ଯେତିକି ଆଗ୍ରହ ରହୁଥିଲା, ଘରଲୋକଙ୍କ ପ୍ରତି ସେତିକି ଡର ମଧ୍ୟ ରହୁଥିଲା । ସେଥିପାଇଁ କାର୍ଡକୁ କିଣିଲା ପରେ କିଏ ବହି ବସ୍ତାନି ଭିତରେ ଲୁଚାଇ ରଖୁଥିଲେ ତ ଆଉ କିଏ ବହି ଭିତରେ । ନିଜ ପ୍ରିୟ ମଣିଷକୁ କାର୍ଡକୁ ପଠେଇସାରିଲା ପରେ ଦୀର୍ଘଶ୍ୱାସ ନେଉଥିଲେ । ଆଉ ତା’ପରେ ଅପେକ୍ଷା ରହୁଥିଲା କାର୍ଡର ଉତ୍ତରକୁ । ସେହି ଅପେକ୍ଷାର ସ୍ଥାନ କେତେବେଳେ ଲାଇବ୍ରେରୀ ହେଉଥିଲା ତ ଆଉ କେତେବେଳେ ବିଦ୍ୟାଳୟ ।
ଆଜିର ଯୁଗରେ ନୂଆବର୍ଷର ଶୁଭେଚ୍ଛା ତ ଦିଆଯାଉଛି ହେଲେ ଆଧୁନିକ ଶୈଳୀରେ । ହ୍ୱାଟସ୍ଆପ୍, ଫେସ୍ବୁକ୍, ଟ୍ୱିଟର୍ ସାଙ୍ଗକୁ ମୋବାଇଲ୍ ମେସେଜ୍ ନେଇଛି ଗ୍ରୀଟିଙ୍ଗସ୍ର ସ୍ଥାନ । ଡିସେମ୍ବର ୩୧ ତାରିଖ ରାତି ୧୨ଟା ବାଜିଲା କ୍ଷଣି ମେସେଜ୍ ଜରିଆରେ ଦିଆଯାଉଛି ଶୁଭେଚ୍ଛା । ଏହାବାଦ୍ ରିଲ୍ସ(ଛୋଟ ଭିଡିଓ) ମାଧ୍ୟମରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବ ଓ ନୂଆବର୍ଷର ଫଟୋକୁ ଏକାଠି କରି ଦିଆଯାଉଛି ଷ୍ଟାଟସ୍ ଓ ଷ୍ଟୋରୀ । ମୋବାଇଲ୍ ମାଧ୍ୟମରେ ଖୁବ୍ କମ୍ ସମୟରେ ପହଞ୍ଚୁଛି ଶୁଭେଚ୍ଛାର ବାର୍ତ୍ତା ଯାହାକି ଆଜିକାର ଯୁବପିଢିଙ୍କୁ ବେଶ୍ ସୁହାଉଛି । ତଥାପି କିଛି ପ୍ରତିଷ୍ଠିତ କମ୍ପାନିର ନାମୀ କାର୍ଡ ହାଉସ୍ ଏବେ ବି ଅଛି ରାଜଧାନୀରେ । ମାତ୍ର ବେପାର ଆଗ ଭଳି ନାହିଁ । କେତେକ ସଂଭ୍ରାନ୍ତ ବ୍ୟକ୍ତିବିଶେଷ, ନେତା, ମନ୍ତ୍ରୀ ତଥା ସରକାରୀ ଦପ୍ତରରେ ଉଚ୍ଚ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଗ୍ରୀଟିଙ୍ଗସ୍ କାର୍ଡ ଖୋଜାପଡ଼ୁଛି । ବାପୁଜୀନଗରସ୍ଥିତ କାର୍ଡ ଦୋକାନୀ ଗୁଞ୍ଜନ କହନ୍ତି, ୧୫ ବର୍ଷ ହୋଇଯିବ ଗ୍ରୀଟିଙ୍ଗସ୍ କାର୍ଡ ଦୋକାନରେ ରଖୁନୁ । କେବଳ ବିବାହ ଓ ବ୍ରତୋପନୟନ କାର୍ଡ ହିଁ ରଖୁଛୁ । କାରଣ ପୂର୍ବ ଭଳି ନୂଆବର୍ଷ ଗ୍ରୀଟିଙ୍ଗସ୍ କାର୍ଡରେ ଲୋକମାନଙ୍କ ଆଗ୍ରହ ରହୁନି । ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମ ଆସିବା ଫଳରେ ଲୋକମାନେ ସହଜ ଓ ସୁବିଧାରେ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା ଦେବାକୁ ଅଧିକ ଆଗ୍ରହୀ ଥିବା ଦେଖିବାକୁ ମିଳୁଛି ।