ନିଆଳି, ୧୦।୬ : ନିଆଳିରେ ଥିବା ଅତିଥି ଭଵନରେ ପୂର୍ବତନ ବିଧାୟକଙ୍କ ଲାଗିଥିବା ଫଳକକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଫଳକ ଭାଙ୍ଗିବାକୁ ନେଇ ରାଜନୀତି ସରଗରମ ହୋଇଛି। ପୁର୍ନବାର ଫଳକ ନ ଲଗାଇଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ନିଆଳି ବ୍ଲକ ମାଧବ ପଂଚାୟତ ଓ ରତନପୂର ପଂଚାୟତରେ ଥିବା ସଦା ବାବାଜୀ ତୋଟାରେ କୋଟି କୋଟି ଟଙ୍କା ବ୍ୟୟରେ ସଦା ବାବାଜୀ ତୋଟାର ଉନ୍ନତି କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଏକ ଅତିଥି ଭବନ ପୂର୍ବତନ ବିଧାୟକ ଡ଼. ପ୍ରମୋଦ କୁମାର ମଲିକ କରିଥିଲେ। ଅତିଥି ଭବନ ପରିସରରେ ଉଦଘାଟନ ସମୟରେ ପୂର୍ବତନ ବିଧାୟକଙ୍କ ଫଳକ ଲଗାଯାଇଥିଲା। ରବିବାର ରାତିରେ ଅତିଥି ଭଵନ ଭିତରେ ଦୁର୍ବୃତ୍ତମାନେ ପଶି ଫଳକଟିକୁ ଭାଙ୍ଗି ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ନିଆଳି ଅଞ୍ଚଳର ବୁଦ୍ଧିଜୀବୀ ଓ ବିଜୁ ଜନତା ଦଳ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଦ୍ଧିଜୀବୀମାନେ ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି।

ଉକ୍ତ ଅତିଥି ଭଵନଟି ନିଆଳି ତହସିଲଦାରଙ୍କ ଅଧୀନରେ ରହିଛି। ଏହାର ରକ୍ଷଣାବେକ୍ଷଣ ସମ୍ପୃକ୍ତ ତହସିଲଦାରଙ୍କ ଦାୟିତ୍ୱ। ଏଠାରେ ପ୍ରଶ୍ନ ଉଠୁଛି ଅତିଥି ଭଵନର ଚାବି ତହସିଲଦାରଙ୍କ ପାଖରେ ଥିବା ବେଳେ କିଭଳି ଭାବରେ ଫଳକ ଭଙ୍ଗା ହେଲା। । ଏ ନେଇ ତହସିଲଦାରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।