ଜଗତସିଂହପୁର,୦୧/୦୯: ଆମ୍ବୁଲାନ୍ସରେ ଅକ୍ସିଜେନ୍ ନଥିବାରୁ ଚାଲିଗଲା ରୋଗୀର ଜୀବନ । ଜଗତସିଂହପୁର ଜଣେ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ ଅଭାବରୁ ତାଙ୍କର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ସଦର ଥାନା ପୋଲିସର ଜିମା ଦେଇଛନ୍ତି । ଏହି ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇ ଯାଇଛି ।

ସୂଚନା ମୁତାବକ, ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ଜଣେ ୫୮ ବର୍ଷୀୟ ମହିଳା ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ବିଳମ୍ବିତ ରାତିରେ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ମା' କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଉଥିଲା । ମାତ୍ର ଉକ୍ତ ଘରୋଇ ଆମ୍ବୁଲାନ୍ସରେ କେବଳ ଫାଙ୍କା ସିଲିଣ୍ଡର ଥିବା ବେଳେ ସେଥିରେ ଅକ୍ସିଜେନ ନଥିଲା । ଯାହା ଫଳରେ ବାଟରେ ଅକ୍ସିଜେନ ଆବଶ୍ୟକ ପଡିବାରୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀ ରୋଗୀଙ୍କ ମୁହଁରେ କେବଳ ଖାଲି ଅକ୍ସିଜେନ ମାସ୍କ ଲଗାଇଥିଲେ । ଯାହା ଫଳରେ ଅକ୍ସିଜେନ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଯାଇଥିବାର ଅଭିଯୋଗ ହୋଇଛି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର  ସଦର ଥାନା ପୋଲିସର ଜିମା ଦେଇଥିଲେ ।