ଝାରସୁଗୁଡ଼ା,୨୦/୦୫: ଅସହ୍ୟ ଖରା ଗରମରେ ବିଦ୍ୟୁତ୍ କାଟକୁ ନେଇ ଜନ ଅସନ୍ତୋଷ । ଗତକାଲି ସନ୍ଧ୍ୟାରୁ ଝାରସୁଗୁଡ଼ା ସହରରେ ବନ୍ଦ ରହିଛି ବିଦ୍ୟୁତ୍ ସେବା । ଯାହା ଫଳରେ ରେଲୱେ ଷ୍ଟେସନ ଛକ ଠାରୁ ପୁରୁଣାବସ୍ତି, ଚିଠୁଆପଡା, ବଞ୍ଜରୀ, ଭୁଲିଆ ପଡା, ବଢେଇମୁଣ୍ଡା, ପୂର୍ଣ୍ଣା, ଡେବାଡିହି, କାଳୀ ମନ୍ଦିର ଆଦି ଅଞ୍ଚଳର ଲୋକେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ।
ତେବେ ଗତକାଲି ସନ୍ଧ୍ୟା ୫ଟାରେ ହଠାତ୍ ଝିପିଝିପି ବର୍ଷା ଆରମ୍ଭ ହେବା ମାତ୍ରେ ବିଦ୍ୟୁତ୍ କଟି ଯାଇଥିଲା । ଆଶାଥିଲା ଘଣ୍ଟାଏ ଦୁଇଘଣ୍ଟା ଭିତରେ ପୁନର୍ବାର ବିଦ୍ୟୁତ୍ ଆସିଯିବ। ହେଲେ ଆଜି ସକାଳ ୯ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପାଇବାରେ ଲୋକେ ବଞ୍ଚିତ ହୋଇଛନ୍ତି। ଏପରିକି ବିଦ୍ୟୁତ୍ ବିଭାଗ ଏସଡିଓ ଓ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଫୋନ ଉଠାଇ ନ ଥିବାରୁ ଉତ୍ତେଜାରେ ସୃଷ୍ଟି ହୋଇଥିଲା । ଏନେଇ ଆଜି ସକାଳ ୭ ଟାରୁ ସ୍ଥାନୀୟ ଲୋକଙ୍କ ସହ ବ୍ୟବସାୟୀ ସଂଘ, ବିଭିନ୍ନ ସାମାଜିକ ସଂଗଠନ ଏକାଠି ହୋଇ ପାହାଡି ମନ୍ଦିର ଛକ ନିକଟରେ ବସି ରାସ୍ତା ଅବରୋଧ କରିଛନ୍ତି ।