ଭୁବନେଶ୍ୱର, ୨୧/୦୪ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପେଟ୍ରୋକେମିକାଲ ଯୋଗାଣ ଠପ୍ ହୋଇଛି । ରାଜ୍ୟର ପ୍ଲାଷ୍ଟିକ ଶିଳ୍ପ ଉପରେ ଏହାର ପ୍ରଭାବ ପଡ଼ିଛି। କଟକର ଜଗତପୁର ଶିଳ୍ପାଞ୍ଚଳ, ଭୁବନେଶ୍ୱରର ମଞ୍ଚେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର ଭଳି ବିଭିନ୍ନ ସ୍ଥାନଗୁଡ଼ିକରେ ଥିବା ପ୍ଲାଷ୍ଟିକ ୟୁନିଟଗୁଡ଼ିକ ଏହା ଦ୍ୱାରା ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ବଡ଼ ପ୍ଲାଷ୍ଟିକ ଉତ୍ପାଦନକାରୀ ୟୁନିଟ ଏବଂ ଶହ ଶହ କ୍ଷୁଦ୍ର ୟୁନିଟ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ୪୦ ପ୍ରତିଶତ ୟୁନିଟ୍‌ ବନ୍ଦ ହେଲାଣି ଓ ଆଉ ଯେତିକି ଚାଲିଛି ୬୦% ଉତ୍ପାଦନ ମଧ୍ୟ ସମ୍ଭବ ହେଉନି ।

ଅଶୋଧିତ ତେଲ ଏବଂ ପ୍ରାକୃତିକ ଗ୍ୟାସରୁ ପ୍ରସ୍ତୁତ ପେଟ୍ରୋକେମିକାଲ ପ୍ଲାଷ୍ଟିକ ଶିଳ୍ପର କଞ୍ଚାମାଲ ଭାବେ ବ୍ୟବହୃତ ହୋଇଥାଏ । ଅଶୋଧିତ ତେଲରୁ ନାପ୍‌ଥା ଏବଂ ପ୍ରାକୃତିକ ବାଷ୍ପରୁ ଇଥେନ ଏବଂ ପ୍ରୋପେନ ପେଟ୍ରୋକେମିକାଲ ପ୍ଲାଣ୍ଟ ଗୁଡ଼ିକରେ ଫିଡ୍‌ଷ୍ଟକ ଭାବେ ବ୍ୟବହାର ହୁଏ । ଏଥିରୁ ଏଥିଲିନ ଏବଂ ପ୍ରପିଲିନ ଉତ୍ପାଦନ କରାଯାଇଥାଏ । ଏସବୁ ଉତ୍ପାଦକୁ ଏଚ୍‌ଡିପିଇ, ଏଲ୍‌ଏଲ୍‌ଡିପିଇ, ପିପି, ପିଭିସି ଏବଂ ପେଟ୍‌ ରେଜିନ ଭଳି ପଲିମରରେ ରୂପାନ୍ତର କରାଯାଇଥାଏ । ପ୍ଲାଷ୍ଟିକ ୟୁନିଟ୍‌ଗୁଡ଼ିକ ଏସବୁ ସାମଗ୍ରୀକୁ ନେଇ ପାଇପ୍‌, କଣ୍ଟେନର, ଫର୍ଣ୍ଣିଚର ଏବଂ ପ୍ୟାଜେକିଂ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ପେଟ୍ରୋକେମିକାଲ ସହ ଜଡ଼ିତ ୬ ହଜାର ସାମଗ୍ରୀ ଉତ୍ପାଦନ ଏହା ଦ୍ୱାରା ବଡ଼ ମାତ୍ରାରେ ପ୍ରଭାବିତ ହୋଇଛି।

ଭାରତ ପେଟ୍ରୋକେମିକାଲ ସାମଗ୍ରୀର ବଡ଼ ଆମଦାନୀକାରୀ । ମାତ୍ର ଏସବୁ ସାମଗ୍ରୀ ଏବେ ଉପଲବ୍ଧ ନ ଥିବାରୁ ଚିନ୍ତା ବଢ଼ିଛି । ଫେବ୍ରୁଆରୀରେ ଏଚ୍‌ଡିପିଇର ଟନ୍‌ ପିଛା ଦର ୯୧,୪୫୨ ଟଙ୍କା ଥିଲା । ଏହା ଏପ୍ରିଲ ପହିଲାରେ ୧.୬ ଲକ୍ଷ ଟଙ୍କାକୁ ବଢ଼ିଛି । ଏ କ୍ଷେତ୍ରରେ ଦରବୃଦ୍ଧି ରହିଛି ୭୫% । ସେହିଭଳି ଏଲ୍‌ଏଲ୍‌ଡିପିଇ ଦର ୭୭% ବୃଦ୍ଧି ହୋଇ ୧.୬୧ ଲକ୍ଷ ଟଙ୍କା ଛୁଇଁଛି । ପିଭିସି ଦର ୩୦% ବଢ଼ି ୧.୧୬ ଲକ୍ଷ ଟଙ୍କା ରହିଛି । ପ୍ଲାଷ୍ଟିକ ଉତ୍ପାଦନ ମୋଟ ଖର୍ଚ୍ଚରେ କଞ୍ଚାମାଲର ଦର ୭୦% । ଏଭଳି ଦର ବୃଦ୍ଧି ଯୋଗୁ ଉତ୍ପାଦନକାରୀଙ୍କ ସମସ୍ୟା ବଢ଼ିଯାଇଛି । ଏମ୍‌ଏସ୍‌ଏମ୍‌ଇଗୁଡ଼ିକର ଲାଭ କମିଥିବା ବେଳେ ଯୋଗାଣ କଣ୍ଟ୍ରାକ୍ଟ ପାଇବା କଷ୍ଟକର ହୋଇ ପଡ଼ିଛି । ଅନ୍ୟପକ୍ଷରେ, ଗ୍ରାହକଙ୍କ ଉପରେ ହଠାତ ଦରବୃଦ୍ଧି ଚାପ ଦେବା ମଧ୍ୟ ୟୁନିଟ ଗୁଡ଼ିକ ଲାଗି ଚିନ୍ତାଜନକ ହୋଇଛି । ୟୁନିଟ୍‌ଗୁଡ଼ିକ ଚାପ ନ ସହିପାରି ବନ୍ଦ ହେବା ସ୍ଥିତିକୁ ଆସି ଯାଇଛନ୍ତି । ପ୍ଲାଷ୍ଟିକ ପାଇପ ଏବଂ ଫିଟିଂ ମାନୁଫାକଚର୍ସଙ୍କୁ ଲାଗିଛି ଦୋହରା ଝଟକା । କାରଣ କମ୍ପାନି ଗୁଡ଼ିକର ଚାହିଦା ପୂର୍ବରୁ ପ୍ରଭାବିତ ରହିଥିଲା । ଏବେ ଯୁଦ୍ଧ ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସରକାରୀ ଅର୍ଡର କମିଥିବା ବେଳେ ପଲିମର ଦର ବୃଦ୍ଧି ଯୋଗୁ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ସଙ୍କଟ ସ୍ଥିତିର ସାମ୍ନା କରୁଛନ୍ତି ।

ଶିଳ୍ପ ଆକଳନ ମୁତାବକ, ୪୦ ପ୍ରତିଶତ ପ୍ଲାଷ୍ଟିକ ଉତ୍ପାଦନ ମାନୁଫାକଚରିଂ ୟୁନିଟଗୁଡ଼ିକ ଅତି ଛୋଟ ସେଟ୍‌ଅପରେ କାମ କରିଥାନ୍ତି । ଏହି ୟୁନିଟଗୁଡିକ ବର୍ଦ୍ଧିତ କଞ୍ଚାମାଲ ଦର ଭାର ନ ସମ୍ଭାଳି ପାରି କାମ ବନ୍ଦ କରି ଦେଲେଣି । ଅନ୍ୟପଟେ ମଧ୍ୟମ ଏବଂ ବଡ଼ ୟୁନିଟ ଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦନକୁ ପ୍ରାୟ ୬୦% ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଯୁଦ୍ଧ ଯୋଗୁ କଞ୍ଚାମାଲ ଦର ଆକାଶଛୁଆଁ ହୋଇଛି । ଫଳରେ ୟୁନିଟଗୁଡ଼ିକ ଏକ ପକ୍ଷେ କାମ ବନ୍ଦ କରି ଦେଇଛନ୍ତି । ବ୍ୟାଗ୍‌, ପାଇପ, ଫିଟିଂ,ବାଥସେଟ, ଶିଶୁଙ୍କ ଉତ୍ପାଦ, ସିରିଞ୍ଜ, ସାଲାଇନ, ଚେୟାର, ଟେବୁଲ, ଆସେସରିଜ, ବୋତଲ, ପଲିଥିନ, ପାଇପ୍‌, ଫିଟିଙ୍ଗ୍‌ସ ଭଳି ସାମଗ୍ରୀ ଉତ୍ପାଦନ ଠପ୍‌ ହୋଇଯାଇଛି । କାରଣ ପଲିମର ଏବଂ ପେଟ୍‌ ରେଜିନ ଦର ୭୫% ଯାଏ ବଢ଼ିଯାଇଛି । ପଶ୍ଚିମ ଏସିଆ, ୟୁରୋପ ଏବଂ ଅନ୍ୟ ସ୍ଥାନ ଗୁଡ଼ିକରୁ କଞ୍ଚାମାଲ ଉପରେ ନିର୍ଭରଶୀଳ ୟୁନିଟଗୁଡ଼ିକ ଏହା ଦ୍ୱାରା ବେଶି ପ୍ରଭାବିତ ହୋଇଛନ୍ତି ।

ସେହିଭଳି ଷ୍ଟ୍ରେଟ ଅଫ୍‌ ହୋର୍ମୁଜ ବନ୍ଦ ହେବା ପ୍ଲାଷ୍ଟିକ ଏବଂ ଫାର୍ମା ରପ୍ତାନିକୁ ପ୍ରଭାବିତ କରିଛି । ଲଜିଷ୍ଟିକ ସମସ୍ୟା ଉପୁଜିଛି । ଚୌଦ୍ୱାର ଶିଳ୍ପାଞ୍ଚଳ ସ୍ଥିତ ଗ୍ଲେଜ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଜ୍‌ର ଡାଇରେକ୍ଟର ତୁଷାର ନାୟକ କହିଛନ୍ତି, ପେଟ୍ରୋକେମିକାଲ ଦର ବଢ଼ିବାରୁ ଶିଳ୍ପର ଚିନ୍ତା ବଢ଼ିଛି । ପେଟ୍ରୋଲ ଡିଜେଲ ଭଳି ପେଟ୍ରୋକେମିକାଲ ଦର ନିୟନ୍ତ୍ରଣ ନେଇ କୌଣସି ପଦକ୍ଷେପ ଆସିଲା ନାହିଁ । ଫଳରେ ଯୁଦ୍ଧ ଯୋଗୁ ହଠାତ କଞ୍ଚାମାଲ ଦର ବୃଦ୍ଧି ହେଲା । ଏବେ ଉତ୍ପାଦିତ ସାମଗ୍ରୀ ଦର ବଢ଼ାଇଲେ ମଧ୍ୟ ଉତ୍ପାଦ ବିକ୍ରି ହେବା କଷ୍ଟକର ହେଉଛି । ବର୍ଦ୍ଧିତ ଦରରେ କଞ୍ଚାମାଲ କିଣି ସାମଗ୍ରୀ ଉତ୍ପାଦନ କରିବାକୁ ବାଧ୍ୟ ହେଉଛନ୍ତି କମ୍ପାନି । ଅନ୍ୟ ପଟେ ଉତ୍ପାଦ ଦର ବଢ଼ାଇଲେ ମଧ୍ୟ ବିକ୍ରିରେ ସମସ୍ୟା ହେଉଛି । ଫଳରେ ଉଭୟ ଅର୍ଡର ମିଳିବା ଏବଂ ପ୍ରୋକ୍ୟୁରମେଣ୍ଟରେ ସମସ୍ୟାର ସାମ୍ନା କରୁଛନ୍ତି ୟୁନିଟ । ୨୦ ମେସିନ ଥିଲେ ବି ଆମେ ୪ରୁ ୫ଟି ମେସିନରେ ଏବେ ଉତ୍ପାଦନ କରୁଛୁ । ରାଜ୍ୟ କ୍ଷୁଦ୍ର ଶିଳ୍ପ ସଂଘ (ଓସ୍‌ମି) କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟକୁ ଚିଠି ଲେଖି ସହାୟତା ଲୋଡିଛି । ସଂଘ କହିଛି ଯେ, କଞ୍ଚାମାଲର ଏଭଳି ଦର ବୃଦ୍ଧି କ୍ଷୁଦ୍ର ୟୁନିଟ ଗୁଡିକ ଲାଗି ଅସହ୍ୟ ହୋଇଛି । ଦର ବୃଦ୍ଧି ଚାପରେ ଶହ ଶହ ଏମ୍‌ଏସ୍‌ଏମ୍‌ଇ ସେମାନଙ୍କ ୟୁନିଟ ବନ୍ଦ କରି ଦେଲେଣି । ସରକାର ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ତ୍ୱରିତ ସହାୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି । 

ଏହି ଖବରଟିକୁ ପଢନ୍ତୁ- Viral News: ପ୍ରେମିକା ପାଇଁ ୧୦୦ ଫୁଟ ଉଚ୍ଚ ପଟାସ ଗଛରେ ଚଢିଗଲା ନାବାଳକ, ଦେଢ ଘଣ୍ଟାର ହାଇଡ୍ରାମା ପରେ ବୁଝାସୁଝା କରି ଓହ୍ଲାଇଲା ପୁଲିସ