ଭୁବନେଶ୍ୱର,୨୦/୦୩: ଇରାନ ପକ୍ଷରୁ ବିଭିନ୍ନ ଉପସାଗରୀୟ ଦେଶଗୁଡ଼ିକର ତୈଳ ଏବଂ ଗ୍ୟାସ୍ ଠିକଣାରେ ନୂଆ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଦରରେ ୩୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତରେ କ୍ରୁଡ୍ ଦର ପ୍ରାୟ ଦୁଇଗୁଣା ହୋଇ ୧୪୬ ଡଲାରରେ ପହଞ୍ଚିଯାଇଛି, ଯାହାକି ଯୁଦ୍ଧ ପୂର୍ବରୁ ଥିଲା ୭୧ ଡଲାର । ଅନ୍ତର୍ଜାତୀୟ ବେଞ୍ଚ୍ମାର୍କ ବ୍ରେଣ୍ଟ କ୍ରୁଡ୍ ଦର ୭୩ ଡଲାର ତଳେ ଥିଲା । ଏହା ଏବେ ୧୨୦ ଡଲାର ମୁହାଁ । ଏସବୁ ମଧ୍ୟରେ ଆଗକୁ ଭାରତରେ ଗ୍ୟାସ ସିଲିଣ୍ଡର ଏବଂ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ଥୟ । ନିର୍ବାଚନର ତୁରନ୍ତ ବାଦ ମହଙ୍ଗା ହୋଇପାରେ ଇନ୍ଧନ ।
ଲିଟର ପିଛା ଡିଜେଲ ବିକ୍ରିରେ ୪୦ ଟଙ୍କା ଏବଂ ପେଟ୍ରୋଲ ବିକ୍ରିରେ ୨୦ ଟଙ୍କା କ୍ଷତି ସହୁଛନ୍ତି ତୈଳ କମ୍ପାନି । ଅଶୋଧିତ ତୈଳ ଯୋଗାଣ ବଡ଼ ଆକାରରେ ବାଧା ପାଇଛି । ସରକାର ଯେତେ ବୁଝାଇଲେ ବି ଷ୍ଟକ୍ ସରିବା ପାଇଁ ବେଶି ଦିନ ଲାଗିବ ନାହିଁ । କାରଣ ଯୋଗାଣ କମିଯାଇଛି । ଆମେରିକା ଏବଂ ଚୀନ୍ ଭଳି ରାଷ୍ଟ୍ର ନିଜ ନିଜର ତୈଳ ଭଣ୍ଡାର ଭର୍ତ୍ତି କରିଚାଲିଛନ୍ତି । ନିଜ ରଣନୈତିକ ତୈଳ ଭଣ୍ଡାରରୁ ଭାରତ ବଜାରକୁ ତୈଳ ଛାଡ଼ିପାରିବ ନାହିଁ । ଏଭଳି ସ୍ଥିତିରେ ତୈଳ ଅଭାବ ପରିସ୍ଥିତିର ସାମ୍ନା କରିବା ପାଇଁ କମର୍ସିଆଲ ଗ୍ୟାସ ଭଳି ତୈଳ ବ୍ୟବହାର ଉପରେ ବି କଟକଣା ଲାଗିପାରେ । କାରଣ କେତେକ ରାଜ୍ୟରେ ନିର୍ବାଚନ ଥିବାରୁ ବର୍ତ୍ତମାନ ପାଇଁ ଦର ବଢ଼ିବ ନାହିଁ । ଅବଶ୍ୟ କମ୍ପାନିଗୁଡ଼ିକର ବୋଝକୁ କମାଇବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି ।
ଏହା କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ, ଓଡ଼ିଶାର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ତେବେ ନିର୍ବାଚନ ପରେ ଯଦି ଅନ୍ତର୍ଜାତୀୟ ସ୍ଥିତି ବର୍ତ୍ତମାନ ଭଳି ରୁହେ ତେବେ ବର୍ତ୍ତମାନ ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବା ତୈଳ କମ୍ପାନିଙ୍କ ପାଇଁ କଠିନ ହେବ । ଏଭଳି ପରିସ୍ଥିତିରେ ଖାଉଟିଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ । ଏହାସହିତ ଏଲ୍ପିଜି ଦର ବି ବଢ଼ିପାରେ । ଖାଦ୍ୟ ସାମଗ୍ରୀ ମହଙ୍ଗା ହେବ । ଅଶୋଧିତ ତୈଳରୁ କେବଳ ପେଟ୍ରୋଲ ଏବଂ ଡିଜେଲ ପ୍ରସ୍ତୁତ ହୋଇ ନ ଥାଏ ବରଂ ପେଣ୍ଟ୍, ପ୍ଲାଷ୍ଟିକ, ସାର ଏବଂ ଔଷଧର କଞ୍ଚାମାଲ ବି ହୋଇଥାଏ । ଡିଜେଲ ମହଙ୍ଗା ହେବା ଦ୍ୱାରା ମାଲ ପରିବହନ ମହଙ୍ଗା ହେବ, ଯାହାଦ୍ୱାରା ଫଳ, ପନିପରିବା ଏବଂ ଶସ୍ୟ ଆଦି ଦାମ ବଢ଼ିବ । ଆମ୍ ଆଦ୍ମୀଙ୍କ ବଜେଟ ବିଗିଡ଼ିବ । ବର୍ତ୍ତମାନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରେ ହେଉଥିବା କ୍ଷତିକୁ ସମ୍ଭାଳିବା ପାଇଁ ଭାରତୀୟ ତୈଳ କମ୍ପାନିଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ଲାଭ ରହିଛି । କିନ୍ତୁ ଆଗକୁ ଅଙ୍କ କାମ କରି ନ ପାରେ ।
ଅଧିକ ପଢ଼ନ୍ତୁ:- ୧୧୯ ଡଲାର ଡେଇଁଲା ଅଶୋଧିତ ତୈଳ,ପ୍ରତି ୧୦%ର ବୃଦ୍ଧି ମୁଦ୍ରାସ୍ଫୀତିକୁ ୦.୪% ତେଜିବ
ନିର୍ବାଚନ ପରେ ଯଦି ସମାନ ସ୍ଥିତି ରୁହେ ତେବେ ଖାଉଟିଙ୍କ ଉପରେ ବୋଝ ପକାଯାଇପାରେ । ପେଟ୍ରୋଲ ଏବଂ ଡିଜେଲ ଦର ୧୫ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ବର୍ତ୍ତମାନ ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୨୧.୯୦ ଟଙ୍କା ଏବଂ ୧୭.୮୦ ଟଙ୍କାର ଉତ୍ପାଦ ଶୁଳ୍କ ଲାଗୁଛି । ସେହିଭଳି ଉଭୟ ଇନ୍ଧନ ଉପରେ ରାଜ୍ୟ ଭାଟ ରହିଛି ଯଥାକ୍ରମେ ୨୧.୨୮ ଟଙ୍କା ଏବଂ ୧୭.୪୬ ଟଙ୍କା ।