ନୂଆଦିଲ୍ଲୀ,୧୨/୦୯: କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ଭବିଷ୍ୟନିଧି ପାଣ୍ଠି(ପିଏଫ୍) ଖାତାଧାରୀଙ୍କୁ ସେମାନଙ୍କ ପିଏଫ୍ ଟଙ୍କାକୁ ଏଟିଏମ୍ରୁ ଉଠାଇବାର ସୁବିଧା ପ୍ରଦାନ କରିବେ । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର-୧୦ ଏବଂ ୧୧ରେ ଏକ ବଡ଼ ବୈଠକ ହେବାକୁ ଯାଉଛି । ଏଥିରେ ଏ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇପାରେ ।
ସରକାରଙ୍କ ଲକ୍ଷ୍ୟ ହେଉଛି ଦୀପାବଳି ପୂର୍ବରୁ ୮ କୋଟି ଇପିଏଫ୍ଓ ଉପଭୋକ୍ତାଙ୍କୁ ଖର୍ଚ୍ଚ କରିବା ପାଇଁ ଅଧିକ ସୁବିଧା ପ୍ରଦାନ କରିବା । ଏ ବୈଠକରେ ଇପିଏଫ୍ଓ ବୋର୍ଡ ସର୍ବନିମ୍ନ ମାସିକ ପେନ୍ସନକୁ ୧୦୦୦ ଟଙ୍କାରୁ ବଢ଼ାଇ ୧,୫୦୦ରୁ ୨,୫୦୦ ଟଙ୍କା କରିବାର ପ୍ରସ୍ତାବ ଉପରେ ବିଚାର କରିପାରେ । ଲମ୍ବା ସମୟ ଧରି ଶ୍ରମିକ ସଂଘଗୁଡ଼ିକ ଏହି ଦାବି କରିଆସୁଛନ୍ତି । ଇପିଏଫ୍ଓ ଖୁବ୍ଶୀଘ୍ର ନୂଆ ଡିଜିଟାଲ ସେବା ‘ଇପିଏଫ୍ଓ-୩.୦’ ଆରମ୍ଭ କରିବାକୁ ଯାଉଛି । ଏହା କେବଳ ପିଏଫ୍ ଟଙ୍କା ଉଠାଣକୁ ସରଳ କରିବ ନାହିଁ ଏହା ମଧ୍ୟ ତଥ୍ୟ ଅପ୍ଡେଟ୍ କରିବା ସହ କ୍ଲେମ୍ ପ୍ରକ୍ରିୟାକୁ ଦ୍ରୁତ କରିବ । କର୍ମଚାରୀ ୟୁଏଏନ୍କୁ ସଚଳ କରି ଏବଂ ଆଧାରକୁ ଖାତା ସହ ଯୋଡ଼ି ଏଟିଏମ୍ରୁ ଟଙ୍କା ଉଠାଇପାରିବେ । ଦେଶର ୮ କୋଟିରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଏହା ଫାଇଦା ପ୍ରଦାନ କରିବ ।
ମୋବାଇଲ ଆପ୍, ଡିଜିଟାଲ ଡ୍ୟାସ୍ବୋର୍ଡ ଏବଂ ୟୁପିଆଇ ପେମେଣ୍ଟ ଭଳି ସୁବିଧା କର୍ମଚାରୀଙ୍କ ଜୀବନକୁ ସହଜ କରିଦେବ । ଇପିଏଫ୍ଓ ୩.୦ କେବଳ ଟଙ୍କା ଉଠାଣକୁ ସରଳ କରିବ ନାହିଁ ବରଂ ତଥ୍ୟ ଅପ୍ଡେଟ୍ କରିବା ଓ କ୍ଲେମ୍ ପ୍ରକ୍ରିୟାକୁ ବି ଦ୍ରୁତ କରିବ । କର୍ମଚାରୀ ୟୁଏଏନ୍କୁ ସକ୍ରିୟ କରି ଏବଂ ଆଧାରକୁ ଖାତା ସହ ଯୋଡ଼ି ଏଟିଏମ୍ରୁ ଟଙ୍କା ଉଠାଇପାରିବେ । ଏହି ନୂଆ ପ୍ରକ୍ରିୟାରେ ଇପିଏଫ୍ଓ ଏହାର ସଦସ୍ୟମାନଙ୍କୁ ଏକ ବିଶେଷ ଏଟିଏମ୍ କାର୍ଡ ଜାରି କରିବ, ଯାହା ସେମାନଙ୍କ ପିଏଫ୍ ଖାତା ସହ ଲିଙ୍କ୍ ହେବ । ଏହି କାର୍ଡର ବ୍ୟବହାର କରି ଉପଭୋକ୍ତା ଏଟିଏମ୍ ମେଶିନ୍ରୁ ସିଧାସଳଖ ନିଜ ପିଏଫ୍ ଟଙ୍କା ଉଠାଇପାରିବେ । ସେହିଭଳି ୟୁପିଆଇରୁ ଟଙ୍କା ଉଠାଣ ପାଇଁ ଉପଭୋକ୍ତାଙ୍କୁ ନିଜର ପିଏଫ୍ ଆକାଉଣ୍ଟକୁ ୟୁପିଆଇ ସହ ଲିଙ୍କ୍ କରିବାକୁ ପଡ଼ିବ। ଏହାପରେ ଉପଭୋକ୍ତା ପିଏଫ୍ ଟଙ୍କାକୁ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଟ୍ରାନ୍ସଫର କରିପାରିବେ ।