ନୂଆଦିଲ୍ଲୀ,୩୧।୮: ରିଲାୟନ୍ସ ଇଣ୍ଡଷ୍ଟ୍ରୀ ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଆଗକୁ ବଢାଇ ପାଇଁ ଗୁଗୁଲ ଓ ମେଟା ସହ ଘୋଷଣା କରିଛି ପାର୍ଟନରସିପ୍। ଯାହାକି ଡିଜିଟାଲ ବିକାଶ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଶୁକ୍ରବାର ରିଲାୟନ୍ସର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ଏହି ଘୋଷଣା ହୋଇଛି। ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୨୦୨୬ର ପ୍ରଥମ ତ୍ରୟମାସରେ ରିଲାୟନ୍ସ ଜିଓକୁ ସୂଚୀବଦ୍ଧ କରିବାର ଯୋଜନାର ମଧ୍ୟ ଖୁଲାସା କରିଛନ୍ତି। ଅମ୍ବାନୀ କହିଛନ୍ତି, ଏଆଇ ଏଭଳି ଏକ ପରିବର୍ତ୍ତନକାରୀ ଅବସର ପସ୍ତୁତ କରୁଛି, ଯାହାକି ଦଶକ ପୂବର୍ରୁ ଡିଜିଟାଲ ସେବା ଭଳି ପରିବର୍ତ୍ତନକାରୀ। ଏହି ଦୃଷ୍ଟିକୋଣକୁ ଆଗକୁ ବଢାଇବା ପାଇଁ ରିଲାୟନ୍ସ ପକ୍ଷରୁ ରିଲାୟନ୍ସ ଇଣ୍ଟେଲିଜେନ୍ସ ନାମକ ଏକ ସହାୟକ କମ୍ପାନୀ ଆରମ୍ଭ ହୋଇଛି।
ଗୁଗୁଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ରିଲାୟନ୍ସ ଶକ୍ତି, ଖୁଚୁରା, ଦୂରସଞ୍ଚାର ଓ ଆର୍ଥିକ ସେବାରେ ପରିବର୍ତ୍ତନକୁ ଗତିଦେବା ପାଇଁ ଗୁଗୁଲର ଏଆଇ ଓ କ୍ଲାଉଡ କମ୍ପ୍ୟୁଟିଂର ଲାଭ ଉଠଇବ। ଦୁଇଟି କମ୍ପାନୀ ଭାରତରେ ଏକ ସମର୍ପିତ କ୍ଲାଉଡ କ୍ଷେତ୍ର ସ୍ଥାପିତ କରିବେ, ଯାହାକି ରିଲାୟନ୍ସର ସ୍ବଚ୍ଛ ଶକ୍ତି ଓ ଜିଓର ବ୍ୟାପକ ନେଟଓ୍ବର୍କ ଇନଫ୍ରାଷ୍ଟକଚର ଦ୍ବାରା ପରିଚାଳିତ ହେବ।ଏହା ସହିତ, ରିଲାଏନ୍ସ ଟେକ୍ ଓପନ୍-ସୋର୍ସ ଏଆଇ ମଡେଲକୁ ବ୍ୟବହାର କରିବା ପାଇଁ ମେଟା ସହିତ ହାତ ମିଳାଇଛି। ମେଟାର ସିଇଓ ମାର୍କ ଜୁକରବର୍ଗ ଏହି ସହଭାଗୀତାକୁ ‘ସୁପର ଇଣ୍ଟେଲିଜେନ୍ସର ପ୍ରବେଶ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’ ବୋଲି କହିଛନ୍ତି।ଏହି ସହଭାଗୀତା ରିଲାଏନ୍ସ ଏବଂ ଆମେରିକୀୟ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ।
ଉଲ୍ଲେଖନୀୟ ଯେ,୨୦୨୦ ରେ, ମେଟା ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ନିବେଶ କରିଥିଲା, । ସେଭଳି ଗୁଗୁଲ ୪.୫ ବିଲିୟନ ଡଲାର ନିବେଶ କରିଥିଲା। ଏହି ପ୍ରାରମ୍ଭିକ ନିବେଶଗୁଡ଼ିକ ଜିଓକୁ ଦ୍ରୁତ ଗତିରେ ତାର ଟେଲିକମ୍ ବ୍ୟବସାୟ ବିସ୍ତାର କରିବାରେ ଏବଂ ଭାରତର ମୋବାଇଲ୍ ବଜାରରେ ପ୍ରଭାବଶାଳୀ ଉପସ୍ଥିତି ସ୍ଥାପନ କରିବାରେ ସାହାଯ୍ୟ କରିଥିଲା।