ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପିତୃପକ୍ଷର ସମୟ ଆମ ପୂର୍ବପୁରୁଷଙ୍କ ପାଇଁ ସମର୍ପିତ। ଚଳିତ ବର୍ଷ ପିତୃପକ୍ଷ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି। ଯାହା ୨୧ ସେପ୍ଟେମ୍ବର  ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିନରେ ଶ୍ରାଦ୍ଧ,ତର୍ପଣ ଏବଂ ପିଣ୍ଡଦାନର ବିଶେଷ ମହତ୍ତ୍ୱ ରହିଛି । ଏହି ସମୟରେ କରାଯାଇଥିବା କାର୍ଯ୍ୟ ଏବଂ ଦାନ ସିଧାସଳଖ ପୂର୍ବ ପୁରୁଷଙ୍କ ପାଖରେ ପହଞ୍ଚିଥାଏ ବୋଲି ବିଶ୍ୱାସ କରାଯାଏ।ହେଲେ ଆପଣ ଜାଣନ୍ତି କି ପିତୃପକ୍ଷରେ ଘରକୁ କେଉଁ ସବୁ ଜିନିଷ ଆଣିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା । 

ପିତୃପକ୍ଷରେ ଘର, ଜମି,ଦୋକାନ କିମ୍ବା ଫ୍ଲାଟ୍ କିଣିବା ନିଷେଧ । ସେହିପରି ନୂତନ ଯାନ କିଣିବା ମଧ୍ୟ ଏଡାଇବା ଉଚିତ୍ । ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ସମୟରେ କିଣାଯାଇଥିବା ସମ୍ପତ୍ତି କିମ୍ବା ଯାନ ଶୁଭ ଫଳ ଦିଏ ନାହିଁ । ସେହିପରି ଏହି ୧୫ଦିନ ମଧ୍ୟରେ ସୁନା, ରୂପା ଅଳଙ୍କାର ଏବଂ ନୂତନ ପୋଷାକ କିଣିବା ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ଘର ପାଇଁ ନୂତନ ବାସନକୁସନ,ରେଫ୍ରିଜରେଟର, ୱାସିଂ ମେସିନ୍, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ କିଣିବା ମଧ୍ୟ ନିଷେଧ। ପିତୃପକ୍ଷ ସମୟରେ ସୋରିଷ ତେଲ, ଝାଡୁ ଏବଂ ଲୁଣ ଭଳି କିଛି ରୋଷେଇ ଘରର ଜିନିଷ ଆଦୌ କିଣିବା ଉଚିତ୍ ନୁହେଁ। ଏହା ତ୍ରିଦୋଷ ସୃଷ୍ଟି କରେ ଏବଂ ଘରେ ସମସ୍ୟା ବୃଦ୍ଧି ପାଇପାରେ ବୋଲି ବିଶ୍ୱାସ କରାଯାଏ।

 ତେଣୁ ଏହି ୧୫ ଦିନ ପୂର୍ଣ୍ଣ ନିଷ୍ଠା ଏବଂ ସଂଯମର ସହିତ ବିତାଇବା ଉଚିତ୍ । ଶ୍ରାଦ୍ଧ,ତର୍ପଣ ଏବଂ ଦାନ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ଅକ୍ଷୁର୍ଣ୍ଣ ରହିଥାଏ ଏବଂ ପରିବାରରେ ସୁଖ ଏବଂ ଶାନ୍ତି ଆସିଥାଏ।ପିତୃପକ୍ଷ ହେଉଛି ଆତ୍ମାର ଶାନ୍ତି ଏବଂ ପୂର୍ବପୁରୁଷଙ୍କ ସ୍ମୃତି ପାଇଁ ଉତ୍ସର୍ଗୀକୃତ ସମୟ । ଏହି ସମୟରେ, ଭକ୍ତି ଏବଂ ପରମ୍ପରା ପାଳନ କରିବା ପ୍ରତ୍ୟେକ ପରିବାର ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଅନାବଶ୍ୟକ କିଣାକାଟା ଏଡାଇବା ଏବଂ ଶ୍ରାଦ୍ଧ କର୍ମରେ ଅଂଶଗ୍ରହଣ କରିବା ଦ୍ୱାରା  ଜୀବନରେ ସକାରାତ୍ମକ ଶକ୍ତି ଏବଂ ଆଶୀର୍ବାଦ ମଧ୍ୟ ପାଇପାରିବେ।