ନୂଆଦିଲ୍ଲୀ ୧୦/୧୨: ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି ଭାରତର ଚନ୍ଦ୍ରଯାନ-୩ । ଏହାର ପୃଷ୍ଠ ନିକଟରେ ଆଶ୍ଚର୍ଯ୍ୟଜନକ ଭାବେ ଗତିଶୀଳ ଓ ବୈଦ୍ୟୁତିକ ରୂପେ ସକ୍ରିୟ ପରିବେଶ ବିଷୟରେ ଏହା ପ୍ରଥମ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ୨୦୨୩, ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର୍ ସଂଗ୍ରହ କରିଥିବା ତଥ୍ୟର ବିଶ୍ଳେଷଣରୁ ଚନ୍ଦ୍ରର ଦକ୍ଷିଣ ମେରୁ କ୍ଷେତ୍ରରେ ପ୍ଲାଜ୍‌ମା ସ୍ଥିତିର ପ୍ରଥମ ଇନ୍-ସିଟୁ ମାପ ସାମ୍ନାକୁ ଆସିଛି । ଏହି ତଥ୍ୟ ଚନ୍ଦ୍ର ବିଜ୍ଞାନରେ ଏକ ନୂଆ ମାଇଲଖୁଣ୍ଟ ହୋଇଛି ।

ପଦାର୍ଥର ୪ର୍ଥ ଅବସ୍ଥା କୁହାଯାଉଥିବା ପ୍ଲାଜ୍‌ମା ଚାର୍ଜ କଣିକା, ଆୟନ ଓ ମୁକ୍ତ ଇଲେକ୍ଟ୍ରନ୍‌ର ମିଶ୍ରଣ, ଯାହା ବୈଦ୍ୟୁତିକ ରୂପେ ପରିଚାଳିତ ହୋଇପାରେ ଏବଂ ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ର ପ୍ରତି ପ୍ରତିକ୍ରିୟା ଦେଇପାରେ । ଚନ୍ଦ୍ରରେ ଏହି ପ୍ଲାଜ୍‌ମା ପରିବେଶ ମୁଖ୍ୟତଃ ସୌର ପବନ ଦ୍ୱାରା ସୃଷ୍ଟି ହୋଇଥାଏ, ଯାହା ସୂର୍ଯ୍ୟରୁ ନିରନ୍ତର ନିର୍ଗତ ଉଚ୍ଚ-ଶକ୍ତିସମ୍ପନ୍ନ ଚାର୍ଜ କଣିକା ଏବଂ ଫଟୋଇଲେକ୍ଟ୍ରିକ୍ ପ୍ରଭାବ, ଯେଉଁଥିରେ ସୂର୍ଯ୍ୟାଲୋକ ଚନ୍ଦ୍ର ପୃଷ୍ଠ ପରମାଣୁରୁ ଇଲେକ୍ଟ୍ରୋନ୍‌କୁ ଅଲଗା କରେ । ଏ ସମସ୍ତ ପ୍ରକ୍ରିୟା ଦୁର୍ବଳ କିନ୍ତୁ ପରିବର୍ତ୍ତନଶୀଳ ଚନ୍ଦ୍ର ଆୟନୋସ୍ପିୟର ସୃଷ୍ଟି କରେ, ଯାହା ପରିବର୍ତ୍ତିତ ବିଦ୍ୟୁତ୍‌ଚୁମ୍ବକୀୟ ସ୍ଥିତି ସହିତ ନିରନ୍ତର କ୍ରିୟା କରିଥାଏ ।

ବିକ୍ରମ ଲ୍ୟାଣ୍ଡର୍‌ରେ ସଂଲଗ୍ନ ରେଡିଓ ଆନାଟୋମି ଅଫ୍ ମୁନ୍ ବାଉଣ୍ଡ୍ ହାଇପର୍‌ସେନ୍‌ଟିଭ୍ ଆୟନୋସ୍ପିୟର ଆଣ୍ଡ୍ ଆଟ୍‌ମୋସପିୟର ଲାଙ୍ଗ୍‌ମୁଇର (ଆର୍‌ଏଏମ୍‌ବିଏଚ୍‌ଏ-ଏଲ୍‌ପି) ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳୀ ‘ଶିବ ଶକ୍ତି ବିନ୍ଦୁ’ରେ ଇଲେକ୍ଟ୍ରୋନ୍ ଘନତ୍ୱକୁ ମାପିଥିଲା । ପ୍ରତି କ୍ୟୁବିକ୍ ସେଣ୍ଟିମିଟର ୩୮୦ରୁ ୬୦୦ ଇଲେକ୍ଟ୍ରୋନ୍ ଥିଲା । ଉଚ୍ଚରୁ ନିଆଯାଇଥିବା ରିମୋଟ୍ ସେନ୍‌ସିଂ ତଥ୍ୟର ପୂର୍ବ ଆକଳନ ତୁଳନାରେ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଅଧିକ ଥିଲା । ଆହୁରି ଆଶ୍ଚର୍ଯ୍ୟଜନକ ହେଉଛି, ଇଲେକ୍ଟ୍ରୋନ୍‌ର ଗତିଜ ତାପମାତ୍ରା ୩୦୦୦ରୁ ୮୦୦୦ କେଲ୍‌ଭିନ ଥିଲା । ଯାହା ନିକଟସ୍ଥ ପୃଷ୍ଠ ପରିବେଶରେ ତୀବ୍ର ଉର୍ଜ୍ଜାକୁ ଦର୍ଶାଉଛି ।

ଅଧ୍ୟୟନରୁ ଆହୁରି ଜଣାପଡ଼ିଲା, ପୃଥିବୀ ଚତୁଃପାଶ୍ୱର୍ରେ ନିଜ କକ୍ଷରେ ଚନ୍ଦ୍ରର ସ୍ଥିତି ଆଧାରରେ ପ୍ଲାଜ୍‌ମାର ପରିବର୍ତ୍ତନ ନିର୍ଭର କରୁଛି । ଚନ୍ଦ୍ରରେ ଦିନ ସମୟରେ ଚନ୍ଦ୍ର ଯେତେବେଳେ ସୂର୍ଯ୍ୟର ସମ୍ମୁଖୀନ ହୁଏ, ପ୍ଲାଜ୍‌ମା ମୁଖ୍ୟତଃ ସୌର ପବନ ଦ୍ୱାରା ପ୍ରଭାବିତ ହୁଏ । ଚନ୍ଦ୍ର ଯେତେବେଳେ ପୃଥିବୀର ମ୍ୟାଗ୍ନେଟୋଟେଲ୍ (ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ଏକ ବିସ୍ତୃତ ଅଞ୍ଚଳ) ମଧ୍ୟଦେଇ ଗତିକରେ, ପ୍ଲାଜ୍‌ମା ପୃଥିବୀରୁ ନିର୍ଗତ କଣିକା ପ୍ରବାହ ଦ୍ୱାରା ପ୍ରଭାବିତ ହୁଏ ।