ନୂଆଦିଲ୍ଲୀ, ୧୨/୦୪ : ଏବେ ଚନ୍ଦ୍ରରେ ବିକ୍ରି ହେଉଛି ପ୍ଲଟ୍। ଚନ୍ଦ୍ରରେ ଜାଗା ବିକ୍ରି କରୁଥିବା ନେଇ ଦାବି କରୁଛନ୍ତି ବହୁ କମ୍ପାନୀ ଏବଂ ୱେବସାଇଟ୍। ସେମାନଙ୍କ ମଧ୍ୟରୁ କେତେକ ଲୋକପ୍ରିୟ ୱେବସାଇଟ୍ ହେଲେ ଲୁନାର ଏମ୍ଵାସୀ, ମୁନ୍ ଇଷ୍ଟେଟସ୍, ଲୁନାର ରେଜିଷ୍ଟ୍ରୀ ଏବଂ ଲୁନାର ଲ୍ୟାଣ୍ଡ୍। ଏହି ୱେବସାଇଟ୍ ଗୁଡ଼ିକରେ ଚନ୍ଦ୍ରରେ ବିଭିନ୍ନ ସ୍ଥାନର ନକ୍ସା ଉପଲବ୍ଧ ରହିଛି। ଏହି ନକ୍ସା ଦେଖି ନିଜ ବଜେଟ୍ ଅନୁସାରେ ଛୋଟ କିମ୍ଵା ବଡ଼ ପ୍ଲଟ୍ କିଣିପାରିବେ। ଖାଲି ସେତିକି ନୁହେଁ ଚନ୍ଦ୍ରରେ ଥିବା ସି ଅଫ୍ ଟ୍ରିଙ୍କ୍ଵିଲିଟି ନିକଟରେ ପ୍ରିମିୟମ୍ ପ୍ଲଟ ବି କିଣିପାରିବେ। ଏଥିପାଇଁ ଉକ୍ତ ୱେବସାଇଟ୍କୁ ଯାଇ ଆପଣଙ୍କୁ ଅନଲାଇନ୍ ଫର୍ମ ଭରିବାକୁ ପଡ଼ିବ। ଏଥିରେ ଆପଣଙ୍କ ନାମ, ଠିକଣା ଏବଂ ବାଛିଥିବା ପ୍ଲଟ ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ। ଏହା ବଦଳରେ ଉକ୍ତ କମ୍ପାନୀ ଚନ୍ଦ୍ରର ନକ୍ସା, ଓନରସିପ୍ ପ୍ରମାଣପତ୍ର, ଏବଂ ଡିଜିଟାଲ ରେଜିଷ୍ଟ୍ରୀ ପ୍ରଦାନ କରିବ। ତେବେ ଏହି ୱେବସାଇଟ୍ ଗୁଡ଼ିକ କେତେ ଭରସାଯୋଗ୍ୟ ତାହା ଆପଣ ନିର୍ଦ୍ଧାରିତ କରିବେ।
ଇଏତ ଗଲା ପ୍ଲଟ୍ ଚିହ୍ନଟ କଥା ଏବେ ଦାମ୍କୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥି ନିଶ୍ଚୟ। ଯଦି ପୃଥିବୀରେ ଜାଗାର ରେଟ୍ ଏତେ ତାହେଲେ ଚନ୍ଦ୍ରରେ କେତେ ? ତାହେଲେ ଜାଣି ରଖନ୍ତୁ ପ୍ଲଟ୍ର ଆକାର ଏବଂ ସ୍ଥିତି ଦୃଷ୍ଟିରୁ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଚନ୍ଦ୍ରରେ ଏକ ଏକର ଜମିର ଦାମ୍ ପ୍ରାୟ ୧୬୦୦ ରୁ ୮୦୦୦ ଟଙ୍କା ଯାଏଁ ରହିଛି। ତେବେ ବେସିକ୍ ପ୍ୟାକେଜ୍ରେ କେବଳ ଡିଜିଟାଲ୍ ପ୍ରମାଣପତ୍ର ମିଳିବ। ହେଲେ ପ୍ରିମିୟମ୍ ପ୍ୟାକେଜ୍ରେ ଫ୍ରେମ୍ ହୋଇଥିବା ପ୍ରମାଣପତ୍ର, ଚନ୍ଦ୍ରର ନକ୍ସା ଏବଂ ଚନ୍ଦ୍ରର ମାଟିର ନମୁନା ମିଳିବ। ଏଥିପାଇଁ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ିବ।
ଏବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା... କଣ ଚନ୍ଦ୍ରରେ ପ୍ଲଟ୍ କିଣିବା ଆଇନ ଅନୁଯାୟୀ ଠିକ୍ ? ଅନ୍ତରାଷ୍ଟ୍ରୀୟ ଆଇନ କହୁଛି ଚନ୍ଦ୍ରରେ ପ୍ଲଟ୍ କିଣିବାକୁ ମାନ୍ୟତା ମିଳିନାହିଁ। ୧୦୦ରୁ ଉର୍ଦ୍ଧ୍ଵ ଦେଶଙ୍କୁ ନେଇ ୧୯୬୭ରେ ହୋଇଥିଲା ଆଉଟର ସ୍ପେସ୍ ଚୁକ୍ତି ସ୍ଵାକ୍ଷର। ଏହି ଚୁକ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଚନ୍ଦ୍ର କିମ୍ଵା ଅନ୍ୟ କୌଣସି ମହାଜାଗତିକ ପିଣ୍ଡ କେବେ ହୋଇପାରିବେନି କୌଣସି ଦେଶର ସମ୍ପତ୍ତି। କୌଣସି ବ୍ୟକ୍ତି କିମ୍ଵା କମ୍ପାନୀ ପାଖରେ ନାହିଁ ଚନ୍ଦ୍ରରେ ଜାଗା ବିକ୍ରି କରିବାର ଅଧିକାର। ତେଣୁ ଯେଉଁ କମ୍ପାନୀ ଜାଗା ବିକ୍ରି କରନ୍ତି ତାହେଲେ ଏହା ଏକ ସ୍ମାରକ ଆଧାରିତ ନେଣଦେଣ ହେବ। ତଥାପି ବହୁ କମ୍ପାନୀ ଏହାକୁ ଏକ ଅନନ୍ୟ ଉପହାର କିମ୍ଵା ନିବେଶ ରୂପରେ ପ୍ରଚାର ପ୍ରସାର କରୁଛନ୍ତି। ହେଲେ ଆପଣ ଏହାକୁ ନିବେଶ ରୂପରେ ନୁହେଁ ବରଂ ଉପହାର ରୂପରେ ଦେଖନ୍ତୁ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଭବିଷ୍ୟତରେ କେବେ ଯଦି ଚନ୍ଦ୍ରରେ ମାନବ ସଭ୍ୟତା ଗଢି ଉଠେ, ତାହେଲେ ସମ୍ପତ୍ତିର ନିୟମ ବଦଳିବ।
ଚନ୍ଦ୍ରରେ ପ୍ଲଟ୍ କିଣିବା ଏକ ରୋମାଞ୍ଚକର ଅନୁଭବ, ଉପହାରର ଏକ ପ୍ରତୀକ, ଏକ ସ୍ଵପ୍ନ। ଆଇନ ଅନୁଯାୟୀ ଏହାକୁ ମାନ୍ୟତା ମିଳିନାହିଁ। ଯଦି ଆପଣ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତାହେଲେ ବିଶ୍ଵସ୍ତ ୱେବସାଇଟ୍ ବାଛନ୍ତୁ... ସତର୍କ ରୁହନ୍ତୁ... ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୁଝି ସାବଧାନତାର ସହ ଜାଗା କିଣନ୍ତୁ। ଚନ୍ଦ୍ରରେ ପ୍ଲଟ୍ କେବଳ କାଗଜ କଲମରେ ସୀମିତ ହୋଇଥିଲେ ବି ଏହା ଆପଣଙ୍କ ମନର ମଣିଷକୁ ନିଶ୍ଚୟ ଖୁସି ଦେବ।