ଭୁବନେଶ୍ବର,୨୧।୫ : ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ।  କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଏକା ସଙ୍ଗେ  ପ୍ରକାଶ ପାଇଛି। ସିଏଚସିଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି।  ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ  ମୃଣାଳକାନ୍ତି ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିର୍ଦେଶକ ରଘୁରାମ ଆର୍ ଆୟର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସଚିବ ଶୁଭ୍ରବାଳା ବେହେରା, ପରିକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ।

ଯୁକ୍ତ ୨ ପରୀକ୍ଷା ପାଇଁ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପଞ୍ଜିକରଣ କରିଥିଲେ। ୩ ଲକ୍ଷ ୮୨ ହଜାର ୭୨୯ ଜଣ ପରୀକ୍ଷା ଦେଇଥିଲେ । ଏଥିରୁ ୩ ଲକ୍ଷ ୨୦ ହଜାର ୧୬୨ ପାସ୍ କରିଛନ୍ତି। ୧,୪୩,୫୧୨ ଛାତ୍ର ଏବଂ  ୧,୭୬,୦୦୦ ଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ୮୨.୭୭  ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି ।  ୭୭. ୮୮ ପ୍ରତିଶତ ଛାତ୍ରଙ୍କ ପାସ୍ ହାର ରହିଥିବା ବେଳେ ୮୭.୨ ପ୍ରତିଶତ ଛାତ୍ରୀଙ୍କ ପାସ୍ ହାର ରହିଛି। 

ଚଳିତ ବର୍ଷ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ  ୮୦.୫୧ ପ୍ରତିଶତ ଓ ବାଣିଜ୍ୟ ପାସ ହାର ରହିଛି ୮୩.୦୨ ପ୍ରତିଶତ ରହିଛି । ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ପାସ୍ ହାର  ରହିଛି।  କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ସେହିପରି  ବିଜ୍ଞାନରେ ମଧ୍ୟ ଛାତ୍ରୀ ଆଗରେ ରହିଛନ୍ତି । ଛାତ୍ରଛାତ୍ରୀ  www.orissaresults.nic.in ୱେବସାଇଟରେ ରେଜଲ୍ଟ ଜାଣିପାରିବେ ।

କଳାରେ ବରଗଡ ଜିଲ୍ଲାରୁ ସର୍ବାଧିକ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ସେହିପରି ବାଣିଜ୍ୟରେ ନୟାଗଡ,ବିଜ୍ଞାନରେ ନୟାଗଡ ଓ  ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ବରରେ ସର୍ବାଧିକ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। 

ସୂଚନାଯୋଗ୍ୟ ଗତ ବର୍ଷ ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ ୮୦.୯୫ ପ୍ରତିଶତ ଓ ବାଣିଜ୍ୟ ପାସ ହାର ୮୨.୨୭ ପ୍ରତିଶତ ରହିଥିଲା।  କଳା ଓ ବିଜ୍ଞାନରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଥିଲା।