ନୂଆଦିଲ୍ଲୀ, ୧୫/୧୨ : ସୋମବାର ଜୋରଦାର ହଙ୍ଗାମା ସହ ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ। କଂଗ୍ରେସ ରାଲିରେ ପିଏମ୍ ମୋଦିଙ୍କ ଅପମାନକୁ ନେଇ କମ୍ପିଲା ଲୋକସଭା ଓ ରାଜ୍ୟସଭା। ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ରାଜ୍ୟସଭାରେ ଦାବି କଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ତାଙ୍କ ପଛେ ପଛେ ଲୋକସଭାରେ ପାଳି ଧରିଲେ କେନ୍ଦ୍ର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜଜୁ। ପିଏମ୍ ମୋଦିଙ୍କ ଅପମାନକୁ ନେଇ ଆଜି ସଂସଦ ସରଗରମ।
ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ୨୦୧୪ରେ ଜଣେ ବିଜେପି ସାଂସଦ ବିରୋଧୀଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ବିରୋଧ କରି ତୁନ୍ତ କ୍ଷମା ମାଗିବାକୁ କହିଥିଲେ। ବିଜେପି ନେତା ବି କ୍ଷମା ମାଗିଥିଲେ। କଂଗ୍ରେସର ରାଲିରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କବର ଖୋଳିବା କଥା କୁହାଗଲା। ଯାହାକି ନିନ୍ଦନୀୟ। ତେଣୁ ଦଳ ନେତୃତ୍ଵ ଖୁବଶୀଘ୍ର ଏହି ଘଟଣାରେ କ୍ଷମା ମାଗିବା ଉଚିତ୍।
ସେହିପରି କିରଣ ରିଜ୍ଜୁ କହିଥିଲେ ଯେ, ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସ ଦ୍ଵାରା ଆୟୋଜିତ ରାଲିରେ ପିଏମ୍ ମୋଦିଙ୍କ ପାଇଁ କବର ଖୋଳିବା ନେଇ ନାରା ଦିଆଗଲା। ଏହି ସମୟରେ ଦଳର ନେତୃତ୍ଵମାନେ ଉପସ୍ଥିତ ଥିଲେ। ଏହାଠାରୁ ଅଧିକ ଲଜ୍ଜାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଏହି ଦେଶ ପାଇଁ ଆଉ କିଛି ହୋଇନପାରେ।