ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସାଣ୍ଡର ଷ୍ଟବଙ୍କ ସହ ଏକ ଟେଲିଫୋନିକ ଆଲୋଚନା କରିଛନ୍ତି। ଯେଉଁଠାରେ ଉଭୟ ନେତା ୟୁକ୍ରେନ ସଂଘର୍ଷ ଏବଂ ଭାରତ-ଫିନଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଗଭୀର ଆଲୋଚନା କରିଛନ୍ତି। 

ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନରେ ଶାନ୍ତି ଓ ସ୍ଥିରତା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ଉଭୟ ନେତା ଏହି ସଂଘର୍ଷର ବିଶ୍ୱବ୍ୟାପୀ ପ୍ରଭାବ ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ମତ ବିନିମୟ କରିଥିଲେ।  ରାଷ୍ଟ୍ରପତି ଷ୍ଟବ୍ ୟୁରୋପ, ଯୁକ୍ତରାଷ୍ଟ୍ର ଏବଂ ୟୁକ୍ରେନର ନେତାମାନଙ୍କ ମଧ୍ୟରେ ୱାଶିଂଟନରେ ହୋଇଥିବା ସମ୍ପ୍ରତି ଉଚ୍ଚସ୍ତରୀୟ ବୈଠକ ବିଷୟରେ ତାଙ୍କର ମୂଲ୍ୟାୟନ ପିଏମ ମୋଦିଙ୍କ ସାମ୍ନାରେ ରଖିଥିଲେ। 

ରାଷ୍ଟ୍ରପତି ଷ୍ଟବ୍ ଏକ ପାରସ୍ପରିକ ଲାଭଦାୟକ ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ସମାପ୍ତି ପାଇଁ ଫିନଲ୍ୟାଣ୍ଡର ସମର୍ଥନକୁ ପୁଣି ଥରେ ଦୋହରାଇଛନ୍ତି। ସେ ଆଗାମୀ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ମଧ୍ୟ ନିଜ ସମର୍ଥନ ପ୍ରକାଶ କରିଛନ୍ତି, ଯାହାକୁ ଭାରତ ଆସନ୍ତା 2026 ମସିହାରେ ଆୟୋଜନ କରିବାକୁ ଯାଉଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଷ୍ଟବ୍ ଙ୍କୁ ଶୀଘ୍ର ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।

ଏହା ସହିତ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବିଜ୍ଞାନ, ଟେକ୍ନୋଲୋଜି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଫିନଲ୍ୟାଣ୍ଡର ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ ଦେଶର ସମ୍ପର୍କକୁ ନୂତନ ଉଚ୍ଚତାରେ ନେବା ପାଇଁ ନିଜର ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ।