ନୂଆଦିଲ୍ଲୀ, ୧୧।୫: ଦେଶର ଅର୍ଥବ୍ୟବସ୍ଥା ଏବଂ ବିଦେଶୀ ମୁଦ୍ରା ଭଣ୍ଡାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ବୟାନ ଏବେ ଦେଶର ରାଜନୈତିକ ମାହୋଲକୁ ଗରମ କରିଦେଇଛି । ପେଟ୍ରୋଲ ବଞ୍ଚାଇବା, ସୁନା କିଣିବା ବନ୍ଦ କରିବା ଏବଂ ବିଦେଶ ଯାତ୍ରା ନକରିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଯେଉଁ ଅପିଲ୍ କରିଛନ୍ତି, ତାହାକୁ ନେଇ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ସରକାରଙ୍କ 'ବିଫଳତା' ବୋଲି କହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବିଜେପିକୁ 'ଦେଶ ପାଇଁ ସବୁଠାରୁ ବଡ଼ ସଙ୍କଟ' ବୋଲି ବର୍ଣ୍ଣନା କରିଛନ୍ତି ।

କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ ?

ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବିଶ୍ୱରେ ଚାଲିଥିବା ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି ଏବଂ ପେଟ୍ରୋଲ-ଡିଜେଲଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହେବାରେ ଲାଗିଛି । ବିଦେଶୀ ମୁଦ୍ରା ବଞ୍ଚାଇବା ପାଇଁ କିଛି ପରାମର୍ଶ ଦେଇଥିଲେ:

  • ପେଟ୍ରୋଲ ଓ ଡିଜେଲ ବଞ୍ଚାଇବା ପାଇଁ ମେଟ୍ରୋ ରେଳ, ଇଲେକ୍ଟ୍ରିକ ବାହନ (EV) ଏବଂ କାରପୁଲିଂର ବ୍ୟବହାର କରନ୍ତୁ ।
  • କରୋନା ସମୟ ଭଳି ପୁଣିଥରେ 'ୱାର୍କ ଫ୍ରମ୍ ହୋମ୍' ଏବଂ ଭର୍ଚୁଆଲ ମିଟିଂ ଉପରେ ଗୁରୁତ୍ୱ ଦିଅନ୍ତୁ ।
  • ଆସନ୍ତା ଏକ ବର୍ଷ ପାଇଁ ସୁନା କିଣିବା ଏବଂ ବିଦେଶ ଯାତ୍ରାକୁ ସ୍ଥଗିତ ରଖନ୍ତୁ ।
  • ଖାଦ୍ୟ ତେଲ ଏବଂ ରାସାୟନିକ ସାରର ବ୍ୟବହାର କମାଇ ଦେଶକୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରନ୍ତୁ ।
  • ରାହୁଲ ଗାନ୍ଧୀଙ୍କ ଆକ୍ରମଣ: "ଏହା ଉପଦେଶ ନୁହେଁ, ବିଫଳତାର ସ୍ୱୀକାରୋକ୍ତି"

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ୧୨ ବର୍ଷର ଶାସନ ପରେ ସରକାର ଦେଶକୁ ଏଭଳି ସ୍ଥିତିକୁ ଆଣିଛନ୍ତି ଯେଉଁଠି ଜନତାଙ୍କୁ କ’ଣ କରିବେ ବା ନ କରିବେ ସେଥିପାଇଁ ତ୍ୟାଗ ମଗାଯାଉଛି । "ମୋଦୀ ଜୀ ଜନତାଙ୍କ ଉପରେ ଦୋଷ ଲଦି ନିଜ ଜବାବଦେହୀରୁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଯଦି ଜନତାଙ୍କୁ କହିବାକୁ ପଡୁଛି କ’ଣ କିଣିବେ ଓ କୁଆଡ଼େ ଯିବେ, ତେବେ ଏହା ସ୍ପଷ୍ଟ କରୁଛି ଯେ ସରକାର ଅର୍ଥବ୍ୟବସ୍ଥା ସମ୍ଭାଳିବାରେ ସମ୍ପୂର୍ଣ୍ଣ ବିଫଳ ।

ଅଖିଳେଶ ଯାଦବଙ୍କ ପ୍ରଶ୍ନ: "୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା କୁଆଡ଼େ ଗଲା ?"

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ଶେଷ ହେବା ମାତ୍ରେ ସରକାରଙ୍କୁ 'ସଙ୍କଟ' ମନେ ପଡ଼ିଲା । ଅଖିଳେଶ ପ୍ରଶ୍ନ କରିଛନ୍ତି ଯେ, ଯଦି ଅର୍ଥବ୍ୟବସ୍ଥା ମଜଭୁତ, ତେବେ ଏତେ କଟକଣା କାହିଁକି? ଡଲାର ତୁଳନାରେ ଟଙ୍କାର ମୂଲ୍ୟ କାହିଁକି କମୁଛି ? ସେ ପଚାରିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ନେତାମାନେ ହଜାର ହଜାର ଚାର୍ଟାର୍ଡ ପ୍ଲେନରେ ବୁଲୁଥିଲେ, ସେତେବେଳେ ପେଟ୍ରୋଲ ବଞ୍ଚାଇବା କଥା ମନେ ପଡ଼ୁନଥିଲା କି ? ସବୁ କଟକଣା କ’ଣ କେବଳ ସାଧାରଣ ଜନତାଙ୍କ ପାଇଁ ? ଅଖିଳେଶ କହିଛନ୍ତି ଯେ, ଜନତାଙ୍କ ପାଖରେ ଖାଇବାକୁ ଟଙ୍କା ନାହିଁ, ସେମାନେ ସୁନା କିଣିବେ କେଉଁଠୁ ? ସରକାର ଏହି ଅପିଲ୍ ନିଜ ଦଳର ଭ୍ରଷ୍ଟ ନେତାଙ୍କୁ କରିବା ଉଚିତ୍ ଯେଉଁମାନେ ନିଜର କଳାଟଙ୍କାକୁ ସୁନାରେ ପରିଣତ କରୁଛନ୍ତି ।

ବିଦେଶ ନୀତି ଉପରେ ଆଙ୍ଗୁଠି:

ଅଖିଳେଶ ଯାଦବ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସରକାର ପାରମ୍ପରିକ 'ଗୋଷ୍ଠୀ ନିରପେକ୍ଷ' ନୀତିରୁ ହଟି କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଚାପରେ ଚାଲୁଥିବାରୁ ଦେଶକୁ ଏଭଳି ଆର୍ଥିକ ମାନ୍ଦାବସ୍ଥା ଭୋଗିବାକୁ ପଡ଼ୁଛି । ସରକାର ନିଜର ଅପାରଗତା ସ୍ୱୀକାର କରନ୍ତୁ ଏବଂ ଦେଶବାସୀଙ୍କ ମଧ୍ୟରେ ଭୟ ବା ଆତଙ୍କ ସୃଷ୍ଟି କରନ୍ତୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ଦେଶର ଭବିଷ୍ୟତର ଆର୍ଥିକ ସଙ୍କଟର ସଂକେତ ନା ଏହା କେବଳ ସତର୍କତାମୂଳକ ପଦକ୍ଷେପ, ତାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ମାତ୍ର ବିରୋଧୀ ଦଳ ଏହାକୁ ଏକ ବଡ଼ ନିର୍ବାଚନୀ ମୁଦ୍ଦା କରିବାକୁ ସଜବାଜ ହେଉଛନ୍ତି ।

ଆହୁରି ପଢ଼ନ୍ତୁ... 'ଲକଡାଉନ୍ ଭଳି ସଂଯମତା ଆବଶ୍ୟକ'; ଲୋକଙ୍କୁ କାହିଁକି ସତର୍କ କଲେ ପ୍ରଧାନମନ୍ତ୍ରୀ ? କରୋନା ସମୟ କଥା କହିଲେ...