ଭୁବନେଶ୍ୱର, ୨୯/୦୫: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି । ଜୁନ୍ ୧୨, ୨୦ ବା ସେପ୍ଟେମ୍ବର ୧୭ରେ ଆସିବାକୁ ନିମନ୍ତ୍ରଣ କରିଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ସମ୍ମତି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ)ରୁ ଏ ନେଇ ସୂଚନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଆସିବେ ତାହା ଖୁବଶୀଘ୍ର ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି । ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜୁନ୍ ୧୨ ବା ୨୦ ତାରିଖରେ ସେ ଆସିପାରନ୍ତି ।

 

ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଭୁବନେଶ୍ୱର ଓ ପୁରୀରେ ପୁନଃନିର୍ମାଣ ହୋଇଥିବା ବିଶ୍ୱସ୍ତରୀୟ ରେଳଷ୍ଟେସନକୁ ଲୋକାର୍ପଣ କରିବେ । ବିମାନବନ୍ଦର ଢାଞ୍ଚାରେ ଏହି ଦୁଇ ରେଳଷ୍ଟେସନକୁ ବିକାଶ କରାଯାଇଛି । ଭୁବନେଶ୍ୱରରେ ରେଳଷ୍ଟେସନ ପୁନଃବିକାଶ କାମ ସରି ଆସିଲାଣି । ପୁରୀରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସୁବିଧାର ଲୋକାର୍ପଣ କରାଯିବ । ସେହିଭଳି ଭିଡ଼ମୁକ୍ତ ସହର ଯୋଜନା ବା ଡିକନଜେସନ ପ୍ଲାନ୍ ପାଇଁ ଭିତ୍ତିପ୍ରସ୍ତର ଦେବେ ବୋଲି ସୂଚନା ମିଳିଛି । ଏହି ଯୋଜନାରେ ୩୭ଟି ନୂଆ ରାସ୍ତା ଓ ଏକାଧିକ ଫ୍ଲାଏଓଭର ପାଇଁ ପ୍ରାୟ ୭୮୨୬ କୋଟି ଟଙ୍କା ଖର୍ଚ୍ଚ ହେବ । ପୁଣି ୬୦୦ କୋଟି ଟଙ୍କାରେ ଜୟଦେବବିହାର-ନନ୍ଦନକାନନ ଏଲିଭଟେଡ କରିଡର ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ଦେବେ । ଏକାମ୍ରକାନନ ପାର୍କ ପାଖରେ ନୂଆ କରି ତିଆରି ହେଉଥିବା ଆଇକନିକ୍ ଛକ ଓ ବାମପାଶ୍ୱ ର୍ ସମାନ୍ତରାଳ ରାସ୍ତାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ।