ନୂଆଦିଲ୍ଲୀ,୧୧।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ସମୟରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ଏହି ସମୟ​‌ରେ ପିଏମ୍ ମୋଦି ଏକ ୩୦ ବର୍ଷ ପୁରୁଣା ମଫଲର ଦେଖାଇଥିଲେ। ଏହା ସହ ତାଙ୍କ ଜୀବନର ଏକ ଘଟଣାକୁ ମଧ୍ୟ ମନେପକାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ  ତାଙ୍କୁ ପ୍ରାୟ ୨୫ ରୁ ୩୦ ବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାର ସୁଯୋଗ ମିଳିଥିଲା। ସେତେବେଳେ   ସାର୍ବଜନୀନ ଜୀବନରେ ବହୁତ କମ୍ ଲୋକ ତାଙ୍କୁ ଜାଣିଥିଲେ। ସେ କହିଥିଲେ ଯେ ସେତେବେଳେ ତାଙ୍କ ଜୀବନ ଆଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କିନ୍ତୁ ସେ ଏବେ ବି ନ୍ୟୁଜିଲ୍ୟାଣ୍ଡର ଲୋକଙ୍କଠାରୁ ପାଇଥିବା ସ୍ନେହକୁ ମନେ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରକାଶ କଲେ ଯେ ସେହି ଗସ୍ତ ସମୟରେ ଜଣେ ବ୍ୟକ୍ତି ତାଙ୍କୁ ତିନୋଟି ଜିନିଷ ଉପହାର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ଏହି ଗୋଟିଏ ଉପହାର ଆଣିଛନ୍ତି। ମଞ୍ଚ ଉପରୁ ଉପସ୍ଥିତ ଜନତାଙ୍କୁ ତାଙ୍କର ମଫଲର ଦେଖାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ସେହି ମଫଲର ଯାହା ଜଣେ ବ୍ୟକ୍ତି ତାଙ୍କୁ ୩୦ ବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡରେ ଉପହାର ଦେଇଥିଲେ। ଏତେ ବର୍ଷ ପରେ ମଧ୍ୟ ସେ ମଫଲରକୁ ସାଇତି ରଖିଛନ୍ତି। ତାଙ୍କୁ ଉପହାର ସ୍ୱରୂପ ଏକ ଟୋପି ଏବଂ ଗ୍ଲୋଭସ୍ ମଧ୍ୟ ମିଳିଥିଲା, କାରଣ ସେତେବେଳେ ଶୀତ ଦିନ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି , ସେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ଭାରତୀୟ ଏବଂ ସେଠାକାର ଲୋକଙ୍କ ଭଲାପାଇବା ଏବଂ ସ୍ନେହକୁ ଯେତିକି ଆଦର କରନ୍ତି, ଏହି ମଫଲରକୁ ମଧ୍ୟ ସେତେ ଆଦର କରନ୍ତି। ସେ କହିଛନ୍ତି,  ଉପହାରର ମୂଲ୍ୟ ଏହାର ଆର୍ଥିକ ମୂଲ୍ୟ ଦ୍ୱାରା ନୁହେଁ, ବରଂ ଏହା ସହିତ ଜଡିତ ଭାବନା ଏବଂ ସମ୍ପର୍କ ଦ୍ୱାରା ନିର୍ଣ୍ଣୟ କରାଯାଏ।  ବର୍ଷ ବର୍ଷ ପୂର୍ବରୁ ତାଙ୍କୁ ମିଳିଥିବା ପ୍ରେମ ଏବଂ ସ୍ନେହ ଏବେ ବି ତାଙ୍କ ହୃଦୟରେ ଗଭୀର ଭାବରେ ରହିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ଭାବପ୍ରବଣ କାହାଣୀ ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଭାରତୀୟ ସମୁଦାୟ ତାଙ୍କୁ କରତାଳି ଦେଇ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବକ୍ତବ୍ୟକୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୀର୍ଘକାଳୀନ ପାରସ୍ପରିକ ସମ୍ପର୍କ ଏବଂ ଭାବପ୍ରବଣ ବନ୍ଧନର ପ୍ରତୀକ ଭାବରେ ଦେଖାଯାଉଛି। ସେ କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡର ଲୋକଙ୍କ ସ୍ନେହ ଏବଂ ଭାରତୀୟ ସମୁଦାୟର ସମର୍ଥନ ସର୍ବଦା ତାଙ୍କ ପାଇଁ ସ୍ୱତନ୍ତ୍ର ଏବଂ ସେ ସେମାନଙ୍କୁ କେବେ ଭୁଲିପାରିବେ ନାହିଁ।’