ନୂଆଦିଲ୍ଲୀ, ୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ସିକିମର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଯାଉଛନ୍ତି । ସିକ୍କିମ ରାଜ୍ୟ ଗଠନର ୫୦ତମ ବର୍ଷ ପୂର୍ତ୍ତି ତଥା ସ୍ୱର୍ଣ୍ଣ ଜୟନ୍ତୀ ସମାରୋହର ସମାପନ ଉତ୍ସବରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ୪,୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗାଙ୍ଗଟୋକରେ ପହଞ୍ଚିବେ । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୮ ତାରିଖରେ ସେ ଗାଙ୍ଗଟୋକ ସ୍ଥିତ ଅର୍କିଡେରିୟମ ପରିଦର୍ଶନ କରିବେ । ଏହାକୁ ରାଜ୍ୟର ସମୃଦ୍ଧ ପରିବେଶ ଏବଂ ଫୁଲର ଐତିହ୍ୟକୁ ପ୍ରଦର୍ଶନ କରିବା ପାଇଁ ଏକ ବିଶ୍ୱସ୍ତରୀୟ 'ଅର୍କିଡ୍ ଅନୁଭୂତି କେନ୍ଦ୍ର' ଭାବେ ବିକଶିତ କରାଯାଇଛି । ମଙ୍ଗଳବାର ସକାଳ ପ୍ରାୟ ୧୦ଟାରେ ପାଲଜୋର ଷ୍ଟାଡିୟମରେ ଆୟୋଜିତ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବେ । 

ବିଭିନ୍ନ କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ: 

ଏହି ଗସ୍ତ କାଳରେ ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ ଏବଂ କୃଷି ଭଳି ଅନେକ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି:

୧. ସ୍ୱାସ୍ଥ୍ୟ ସେବା:

ନାମଚି ଜିଲ୍ଲାର ୟାଙ୍ଗାଙ୍ଗଠାରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ଚିକିତ୍ସାଳୟର ଶିଳାନ୍ୟାସ । ଏନଆଇଟି ଦେଓରାଲିଠାରେ ୩୦ ଶଯ୍ୟା ବିଶିଷ୍ଟ ଏକୀକୃତ 'ସୋଭା ରିଗ୍‌ପା' ହସ୍ପିଟାଲର ଉଦ୍‌ଘାଟନ । ସୋଚେଗାଙ୍ଗଠାରେ ହେଲେନ ଲେପ୍‌ଚା ମେଡିକାଲ କଲେଜ ଏବଂ ଗ୍ୟାଲଶିଙ୍ଗ ଜିଲ୍ଲାରେ ଡେଣ୍ଟମ ପ୍ରଫେସନାଲ କଲେଜର ଶୁଭାରମ୍ଭ ।

୨. ଶିକ୍ଷା ଓ ଭିତ୍ତିଭୂମି:

ୟାଙ୍ଗାଙ୍ଗଠାରେ ସିକିମ୍‌ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଉଦ୍‌ଘାଟନ । ଚାକୁଙ୍ଗରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍କର୍ଷ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନର ଲୋକାର୍ପଣ । ୧୬୦ଟି ସ୍କୁଲରେ ଆଇଟି ସକ୍ଷମ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ।

୩. ଯୋଗାଯୋଗ ଓ ବିଜୁଳି:

ତୀସ୍ତା ନଦୀ ଉପରେ ସିରୱାନି ଏବଂ ଲୋୟର ସମଦୋଙ୍ଗଠାରେ ଦୁଇଟି 'ଡବଲ୍-ଲେନ୍ ଷ୍ଟିଲ୍ ଆର୍କ ବ୍ରିଜ୍'ର ଶିଳାନ୍ୟାସ । ଗାଙ୍ଗଟୋକରେ ବିଦ୍ୟୁତ ପରିବହନ ଏବଂ ବିତରଣ ନେଟୱାର୍କର ନବୀକରଣ କାର୍ଯ୍ୟର ଉଦ୍‌ଘାଟନ ।

ପରିବେଶ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ:  

ସିକ୍କିମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପରିବେଶ ସୁରକ୍ଷା ପାଇଁ 'ରାଣୀ ଚୁ ନଦୀ ପ୍ରଦୂଷଣ ନିବାରଣ ଯୋଜନା'ର ଉଦ୍‌ଘାଟନ କରିବେ । ପର୍ଯ୍ୟଟନ କ୍ଷେତ୍ରରେ କୈଳାସ ମାନସରୋବର ଯାତ୍ରା ସମ୍ପର୍କିତ ସୁବିଧା ଏବଂ ସିଲନୋନଠାରେ ଏକ ‘ଇକୋ-ତୀର୍ଥଯାତ୍ରା କମ୍ପ୍ଲେକ୍ସ'ର ଶିଳାନ୍ୟାସ ମଧ୍ୟ କରାଯିବ । ଏହା ସହିତ ଏମଜି ମାର୍ଗରେ ଏକ 'ସଦଭାବ ମଣ୍ଡପ'ର ଶିଳାନ୍ୟାସ କରି ସାମାଜିକ ଏକତା ଓ ସଦଭାବନାର ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ।  

କୃଷି ଓ କୃଷକଙ୍କ ପାଇଁ ଉପହାର:

ସିକ୍କିମକୁ ଦେଶର ପ୍ରଥମ ଜୈବିକ ରାଜ୍ୟ ଭାବେ ଗଢ଼ିତୋଳିବାରେ ମୋଦୀ ସରକାରଙ୍କ ବଡ଼ ହାତ ରହିଛି। ଏହି ଗସ୍ତରେ ସେ 'ସିକ୍କିମ ଇଫକୋ ପ୍ରୋସେସିଂ ପ୍ଲାଣ୍ଟ'ର ଉଦ୍‌ଘାଟନ କରିବେ, ଯାହା ଚାଷୀମାନଙ୍କ ଆୟ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସିକ୍କିମର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ସହ ଉତ୍ତର-ପୂର୍ବ ଭାରତର ସୁରକ୍ଷା ଓ ସମୃଦ୍ଧି ପାଇଁ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

​​​​​​​

ଆହୁରି ପଢ଼ନ୍ତୁ... ‘ଏବେ ସିଧା ମୁଁ ଶପଥ ଗ୍ରହଣ ସମାରୋହକୁ ଆସିବି...’, ବାରାକପୁରରୁ ପିଏମ୍‌ ମୋଦିଙ୍କ ରଣହୁଁଙ୍କାର, ଫଳାଫଳ ନେଇ କଲେ ଭବିଷ୍ୟବାଣୀ