ନୂଆଦିଲ୍ଲୀ,୧୩/୦୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଅଫିସକୁ ସ୍ଥାନାନ୍ତର ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ‘ସେବା ତୀର୍ଥ’କୁ ସିଫ୍ଟ ହେବ । ମୋଦି ଅପରାହ୍ନ ପ୍ରାୟ ୧ଟା ୩୦ରେ ‘ସେବା ତୀର୍ଥ’ କମ୍ପେ୍ଲକ୍ସର ଅନାବରଣ କରିବେ । ଏହାପରେ ସନ୍ଧ୍ୟା ୬ଟାରେ କର୍ତ୍ତବ୍ୟ ଭବନ ୧ ଓ ୨ର ଉଦ୍‌ଘାଟନ କରିବେ ।

ଏଥିସହିତ ନର୍ଥ ଓ ସାଉଥ ବ୍ଲକ୍‌ରେ ଥିବା ପ୍ରାୟ ୯୯ ବର୍ଷ ପୁରୁଣା ବ୍ରିଟିଶ ଅମଳ ସରକାରୀ କୋଠାଗୁଡ଼ିକୁ ଖାଲି କରାଯିବ । ନୂଆ ପ୍ରଶାସନିକ କୋଠାର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶୁକ୍ରବାର ଅପରାହ୍ନ ୪ଟାରେ ସାଉଥ ବ୍ଲକ୍‌ରେ ଶେଷ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଓ ଅଧିକାରୀମାନେ ସାଉଥ ବ୍ଲକ୍‌ରୁ ସେବା ତୀର୍ଥକୁ ଯିବେ । ସେଠାରେ ନୂଆ ପିଏମ୍ଓ, କ୍ୟାବିନେଟ୍ ସେକ୍ରେଟାରିଏଟ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଓ ଇଣ୍ଡିଆ ହାଉସ୍ ରହିବ ।

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ୍ ବୈଠକ ସାଉଥ ବ୍ଲକରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ୍ ସେକ୍ରେଟାରିଏଟ୍ ଇତିମଧ୍ୟରେ ରାଷ୍ଟ୍ରପତି ଭବନରୁ ସେବା ତୀର୍ଥ-୨କୁ ସ୍ଥାନାନ୍ତର ହୋଇସାରିଛି । ସେହିଭଳି ଏନ୍ଏସ୍ଏଙ୍କ କାର୍ଯ୍ୟାଳୟ ସର୍ଦ୍ଦାର ପଟେଲ୍ ଭବନରୁ ସେବା ତୀର୍ଥ-୩କୁ ସ୍ଥାନାନ୍ତର ହେବା ପ୍ରକ୍ରିୟାରେ ରହିଛି । ରାୟସିନା ହିଲ୍ରେ ଅବସ୍ଥିତ ସାଉଥ ବ୍ଲକ ଓ ନର୍ଥ ବ୍ଲକ ୧୯୩୧ରେ ନିର୍ମିତ ହୋଇଥିଲା । ଏହି ଦୁଇଟି ବ୍ଲକକୁ ଦେଶର କ୍ଷମତାର କେନ୍ଦ୍ର କୁହାଯାଏ । ଶୁକ୍ରବାର ଏଠାରେ ସରକାରୀ କାର୍ଯ୍ୟର ଶେଷ ଦିନ ହେବ ।

ନୂଆ କୋଠା ସେବା ତୀର୍ଥରେ ପିଏମ୍ଓ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ କ୍ୟାବିନେଟ୍ ସଚିବାଳୟ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରେ ପରିଚାଳିତ ହେଉଥିଲା । ସେହିଭଳି କର୍ତ୍ତବ୍ୟ ଭବନ ୧ ଓ ୨ରେ ଅର୍ଥ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ସମେତ ସଂସ୍କୃତି, ଆଇନ ଓ ନ୍ୟାୟ, ସୂଚନା ଓ ପ୍ରସାରଣ, କୃଷି ଓ କୃଷକ କଲ୍ୟାଣ, ରସାୟନ ଓ ସାର ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସ୍ଥାନ ପାଇବ ।

​​​​​​​

ଉଲ୍ଲେଖଥାଉ କି ସେବା ତୀର୍ଥର ଅର୍ଥ ହେଉଛି ସେବାର ସ୍ଥାନ । ପୂର୍ବରୁ ଏହାର ନାମ ‘ଏକ୍‌ଜିକ୍ୟୁଟିଭ୍ ଏନ୍‌କ୍ଲେଭ’ ରଖାଯାଇଥିଲା । କିନ୍ତୁ ଗତବର୍ଷ ଡିସେମ୍ବର ୨ରେ ଏହାର ନାମକୁ ବଦଳାଇ ସେବା ତୀର୍ଥ ରଖାଯାଇଥିଲା । ଏହା ନୂଆଦିଲ୍ଲୀରେ ଦାରା ଶିକୋହ ରୋଡ୍‌ ସ୍ଥିତ ଏକ୍ଜିକ୍ୟୁଟିଭ ଏନ୍‌କ୍ଲେଭଅବସ୍ଥିତ । ଏହାକୁ ପ୍ରାୟ ୨.୨୬ ଲକ୍ଷ ବର୍ଗଫୁଟ (ପ୍ରାୟ ୫ ଏକର ଜମି) ସ୍ଥାନରେ ନିର୍ମାଣ କରାଯାଇଛି । ଏହାକୁ ୧୧୮୯ କୋଟି ଟଙ୍କା ବ୍ୟୟରେ ଏଲ୍ଆଣ୍ଡ୍‌ଟିି ନିର୍ମାଣ କରିଥିଲା । ସେବା ତୀର୍ଥ କମ୍ପେ୍ଲକ୍ସରେ ୩ଟି କୋଠା ରହିଛି, ଯାହକୁ ସେବା ତୀର୍ଥ-୧, ସେବା ତୀର୍ଥ-୨ ଓ ସେବା ତୀର୍ଥ-୩ କୁହାଯାଉଛି । ସେବା ତୀର୍ଥ-୧ରେ ପିଏମ୍ଓ ରହିବ ।

ସେବା ତୀର୍ଥ-୨ରେ କ୍ୟାବିନେଟ୍ ସଚିବାଳୟ ଏବଂ ସେବା ତୀର୍ଥ-୩ରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଏନ୍ଏସ୍ଏ ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟ ରହିବ ।

 

ଆହୁରି ପଢ଼ନ୍ତୁ :- ନିପା ଭାଇରସରେ ପଶ୍ଚିମବଙ୍ଗରେ ପ୍ରଥମ ମୃତ୍ୟୁ , ଟେଷ୍ଟ ନେଗେଟିଭ୍ ସତ୍ତ୍ୱେ ହୃଦଘାତରେ ଚାଲିଗଲା ନର୍ସଙ୍କ ଜୀବନ