ନୂଆଦିଲ୍ଲୀ,୧୧/୦୨: ଆଗାମୀ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ତାହା ଐତିହାସିକ ହେବାକୁ ଯାଉଛି । ତାଙ୍କ ବିମାନ ରାଜ୍ୟର ମୋରାନ୍ରେ ରାଜମାର୍ଗରେ ନିର୍ମିତ ଏମର୍ଜେନ୍ସି ଏୟାରଷ୍ଟ୍ରିପ୍ରେ ଲ୍ୟାଣ୍ଡିଂ କରିପାରେ । ଯଦି ଏପରି ହୁଏ ତେବେ କୌଣସି ପ୍ରଧାନମନ୍ତ୍ରୀଙ୍କ ବିମାନ ଉତ୍ତର-ପୂର୍ବାଞ୍ଚଳରେ ପ୍ରଥମ ଥର ପାଇଁ ପାରମ୍ପରିକ ବିମାନବନ୍ଦର ପରିବର୍ତ୍ତେ ରାଜମାର୍ଗରେ ଲ୍ୟାଣ୍ଡ କରିବ । ଏହି ଏୟାରଷ୍ଟ୍ରିପ୍କୁ ଜାତୀୟ ରାଜପଥ ୧୨୭ରେ ଦିବ୍ରୁଗଡ଼-ମୋରାନ୍ ମଧ୍ୟରେ ବନାଯାଇଛି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଶନିବାର ପ୍ରଧାନମନ୍ତ୍ରୀଙ୍କ ବିମାନ ଦିବ୍ରୁଗଡ଼ ବିମାନବନ୍ଦରରେ ଅବତରଣ କରିବ ନାହିଁ । ତାହା ମୋରାନ୍ରେ ରାଜପଥରେ ଲ୍ୟାଣ୍ଡିଂ କରିବ । ପ୍ରଧାନମନ୍ତ୍ରୀ ସେଠାରେ କିଛି ସମୟ ମଧ୍ୟ ରହିବେ । ତାଙ୍କ ଉପସ୍ଥିତିରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବ । ରାଫେଲ ଏବଂ ସୁଖୋଇ ଲଢ଼ୁଆ ବିମାନ ଏକ ସ୍ୱତନ୍ତ୍ର ଏରିଆଲ୍ ଡେମୋ କରିବେ । ସେଥିରେ ରାଜମାର୍ଗରେ ବିମାନର ଅବତରଣ ଏବଂ ଟେକଅଫ୍କୁ ପ୍ରଦର୍ଶନ କରାଯିବ । ଡେମୋର ଅବଧି ୩୦-୪୦ ମିନିଟ୍ ରହିବ । ଡେମୋରେ ତେଜସ୍ ପରି ବାୟୁସେନାର ଆଉ କିଛି ବିମାନ ବି ସାମିଲ ହୋଇପାରେ । ରାଜ୍ୟର ମୁଖ୍ୟ ସଚିବ ରବି କୋଟା କହିଛନ୍ତି, ୪.୨ କିମି ଲମ୍ବା ଏୟାରଷ୍ଟ୍ରିପ୍ର ଉଦ୍ଘାଟନ ଲାଗି ପ୍ରଧାନମନ୍ତ୍ରୀ ୧୪ ତାରିଖରେ ମୋରାନ୍ ଆସିବେ ।
ଆହୁରି ପଢନ୍ତୁ-ଓଡ଼ିଶାର ଜଳରାଶିରେ ଶୋଭା ବୃଦ୍ଧି କରୁଛନ୍ତି ୬ ପ୍ରଜାତିର ଡଲଫିନ୍, ଚିଲିକାରେ ବଂଶ ବଢାଉଛନ୍ତି ଇରାୱାଡି
ଏହି କାର୍ଯ୍ୟକ୍ରମ ଭାରତର ବିପର୍ଯ୍ୟୟ ପ୍ରସ୍ତୁତି, ପୂର୍ବୋତ୍ତର ବିକାଶ ଏବଂ ଜାତୀୟ ସୁରକ୍ଷାକୁ ଦର୍ଶାଇବ । ମୋରାନ୍ ଏୟାରଷ୍ଟ୍ରିପ୍ ଏନ୍ଏଚ୍-୧୨୭ର ୪.୨ କିମି ଲମ୍ବା ଅଂଶରେ ବନାଯାଇଛି । ଏହା ଏକ ଏମର୍ଜେନ୍ସି ଲ୍ୟାଣ୍ଡିଂ ଫାସିଲିଟି (ଇଏଲ୍ଏଫ୍)ଯାହାକୁ ଉଭୟ ସେନା ଏବଂ ବେସାମରିକ ବିମାନ ଲାଗି ବ୍ୟବହାର କରିହେବ । ଯୁଦ୍ଧ କିମ୍ବା ଜରୁରିସ୍ଥିତିରେ ଏହି ପ୍ରୋଜେକ୍ଟ ବୈକଳ୍ପିକ ଲ୍ୟାଣ୍ଡିଂ ସାଇଟ୍ ପ୍ରଦାନ କରିବ । ସେତେବେଳେ ବିମାନ ରାଜପଥରେ ଲ୍ୟାଣ୍ଡିଂ ଏବଂ ଉଡ଼ାଣ ଭରିପାରିବେ । ଉତ୍ତର-ପୂର୍ବାଞ୍ଚଳରେ ଚୀନ୍ ଏବଂ ଅନ୍ୟ ପଡ଼ୋଶୀ ଦେଶର ସୀମା ସହ ସଂଲଗ୍ନ ହୋଇଥିବାରୁ ଏହି ପ୍ରକଳ୍ପ ଜାତୀୟ ସୁରକ୍ଷା ଦୃଷ୍ଟିରୁ ବି ଗୁରୁତ୍ୱପୂର୍ଣ୍ଣ ।