ନୂଆଦିଲ୍ଲୀ,୧୩/୧୨; ବର୍ଷ ଥିଲା ୨୦୦୧...ତାରିଖ ଥିଲା ଡିସେମ୍ବର ୧୩ । ଜାତୀୟ ରାଜଧାନୀ ଶୀତର ରାଜୁତି ସହ ଚାଲିଥିଲା ସଂସଦର ଶୀତ ଅଧିବେଶନ । ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ହଟ୍ଟଗୋଳ ଚାଲିଥାଏ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିରୋଧୀ ଦଳ ନେତା ସୋନିଆ ଗାନ୍ଧୀ ସଂସଦ ଛାଡି ସାରିଥିଲେ । କେହି କଳ୍ପନା କରିନଥିଲେ ଯେ କିଛି ମିନିଟ୍ ମଧ୍ୟରେ ଭାରତ ଗଣତନ୍ତ୍ର ମନ୍ଦିର, ଭାରତର ଦୃଦୟ ଉପରେ ଏକ ଆତଙ୍କବୀ ଆକ୍ରମଣ ହେବ ଯାହା ଦେଶକୁ ଦୋହଲାଇ ଦେବ । ଆଜି ସେହି କଳାଦିନକୁ ୨୪ ବର୍ଷ ହୋଇଛି । ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା-ମନ୍ତ୍ରୀ ।

ଥରି ଉଠିଥିଲା ସଂସଦ- ସମୟ ପ୍ରାୟ ୧୧ଟା୩୦ । ଏକ ଧଳା ଆମ୍ବାସଡର କାର ସଂସଦ ଭବନର ଗେଟ୍ ନମ୍ବର ୧୨ ରେ ପ୍ରବେଶ କରିଥିଲା। କାରଟି ପ୍ରବେଶ କରିବା ମାତ୍ରେ ସୁରକ୍ଷାକର୍ମୀମାନେ ସନ୍ଦେହ କରିଥିଲେ ଏବଂ ଏହାକୁ ପିଛା କରିଥିଲେ । ଉପରାଷ୍ଟ୍ରପତିଙ୍କ ପାର୍କିଂ ହୋଇଥିବା କାର ସହିତ ଧକ୍କା ହୋଇଥିଲା ଉକ୍ତ ଆମ୍ବାସଡ଼ର । କାରରେ ଥିବା ଆତଙ୍କବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ ଏକେ-୪୭ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଗୁଳି ଫୁଟିବା ଶବ୍ଦରେ ସମ୍ପୂର୍ଣ୍ଣ ସଂସଦ ପରିସର ଥରିଉଠିଥିଲା । ଜଣେ ଆତଙ୍କବାଦୀ ଗେଟ୍ ନମ୍ବର ୧ ଦେଇ ସଂସଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାବାହିନୀ  ତାଙ୍କୁ ନିପାତ  କରିଥିଲେ । ଏହାପରେ ଅନ୍ୟ ଚାରି ଜଣ ଆତଙ୍କବାଦୀ ଗେଟ୍ ନମ୍ବର ୪ ଆଡକୁ ଅଗ୍ରସର ହୋଇଥିଲେ, ଯେଉଁଠାରେ ପରବର୍ତ୍ତୀ ଏନକାଉଣ୍ଟରରେ ୩ ଜଣ ନିହତ ହୋଇଥିଲେ। ଶେଷ ଆତଙ୍କବାଦୀ ଗେଟ୍ ନମ୍ବର ୫ ଆଡକୁ ଚାଲି ଯାଇଥିଲା, କିନ୍ତୁ  ସୁରକ୍ଷା ବାହିନୀର ଗୁଳିର ଶିକାର ହୋଇଥିଲେ । ଲସ୍କର-ଏ-ତୋଏବା ଏବଂ ଜୈଶ-ଇ-ମହମ୍ମଦର ଏହି ଭୟଙ୍କର ଆତଙ୍କୀ ଆକ୍ରମଣରେ ୧୪ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ । ସଂସଦ ମୁଲତବୀ ହେବାର ୪୦ ମିନିଟ୍ ପରେ ହମଲା ହୋଇଥିଲା । ସେ ସମୟରେ ୧୦୦ ଜଣ ଗୃହରେ ଉପସ୍ଥିତ ଥିଲେ ।

​​​​​​​ଏକ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ''୨୦୦୧ ମସିହାର ଏହି ଦିନରେ ଆମ ସଂସଦକୁ ସୁରକ୍ଷା ଦେବା ସମୟରେ ପ୍ରାଣବଳି ଦେଇଥିବା ସାହସୀ ବୀରମାନଙ୍କୁ ଦେଶ ପ୍ରଣାମ କରୁଛି । ସେମାନଙ୍କର ସାହସ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଆମର ଜାତୀୟ ଭାବନାକୁ ମାର୍ଗଦର୍ଶନ କରିଆସୁଛି । ଦେଶ ସେମାନଙ୍କ ଏବଂ ସେମାନଙ୍କ ପରିବାର ପ୍ରତି ଋଣୀ । ଆମେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରୁଛୁ ।''

​​​​​​​ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି,''ଏହି ଦିନରେ ୨୦୦୧ ମସିହାରେ ଆମ ସଂସଦ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣ ସମୟରେ ପ୍ରାଣବଳି ଦେଇଥିବା ସମସ୍ତଙ୍କୁ ମନେ ପକାଏ । ଗମ୍ଭୀର ବିପଦର ସମ୍ମୁଖୀନ ହେବା ସମୟରେ, ସେମାନଙ୍କର ସାହସ, ସତର୍କତା ଏବଂ ଅଟଳ କର୍ତ୍ତବ୍ୟବୋଧ ଉଲ୍ଲେଖନୀୟ ଥିଲା । ଭାରତ ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ସର୍ବଦା କୃତଜ୍ଞ ରହିବ।''