- ଟିଏମସି ସରକାରକୁ ମୋଦିଙ୍କ ଟାର୍ଗେଟ
- ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରଣହୁଙ୍କାର
- ବିଭିନ୍ନ ପ୍ରସଙ୍ଗରେ କଲେ ସମାଲୋଚନା
କୋଲକାତା; ୧୮/୧ : ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ପଶ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଜିଲ୍ଲା ସିଙ୍ଗୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଟିଏମସି ସରକାର ଉପରେ ବର୍ଷିଛନ୍ତି ମୋଦି । ୧୫ ବର୍ଷ ହେବ ଚାଲିଥିବା ଜଙ୍ଗଲରାଜ ଶେଷ ହେବାକୁ ଯାଉଛି । ସାଧାରଣ ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି । ଯାହାର ଫଳ ସ୍ବରୂପ ଏହି ସଭାର ଜନସମାଗମ ଦର୍ଶାଉଛି ବୋଲି ମୋଦି କହିଥିଲେ । ଏହାସହ ସେ କହିଛନ୍ତି କି, ଜନତାଙ୍କ ଉତ୍ସାହ ଏବଂ ଆଗ୍ରହ ପରିବର୍ତ୍ତନ କରିବାକୁ ଚାହୁଁଛି ।
ଟିଏମସିକୁ ମୋଦିଙ୍କ କଡ଼ା ସମାଲୋଚନା
ପ୍ରଦାନମନ୍ତ୍ରୀ ନିଜର ଅଭିଭାଷଣରେ କହିଥିଲେ କି, ଏଠିକାର ଟିଏମସି ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ ଦେଉନାହିଁ । ବିଜେପି ସହ ପଶ୍ଚିମବଙ୍ଗର ଜନତାଙ୍କୁ ଟିଏମସି ଶତ୍ରୁ ବୋଲି ଭାବୁଛି । ଏଠାକାର ଯୁବକ ଏବଂ କୃଷକଙ୍କ ପ୍ରତି କଠୋର ମନୋଭାବ ପ୍ରକାଶ କରାଯାଉଛି । କୃଷକ ଏବଂ ଯୁବକଙ୍କ ବିରୋଧୀ ହେଉଛି ଏହି ସରକାର । ଯୁବପିଢ଼ିଙ୍କ ଭବିଷ୍ୟତ ସହ ମଧ୍ୟ ଖେଳ ଖେଳାଯାଉଛି । ଯେତେବେଳେ କି, ପିଏମ ଶ୍ରୀ ସ୍କୁଲ ଦ୍ବାରା ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ କରାଯାଉଛି । କେବଳ ଏତିକି ନୁହେଁ ଟିଏମସି ସରକାର ରାଜ୍ୟରେ ଆୟୂଷ୍ମାନ ଯୋଜନା ଲାଗୁ କରୁନାହିଁ । ଦିଲ୍ଲୀର ପୂର୍ବ ସରକାର ଏଭଳି ଜିଦ୍ ଧରି ବସିଥିଲେ । ଯାହାକି ଲୋକଙ୍କ ପାର୍ଇ ଅସୁବିଧା ହେଉଥିଲା । ସେଠାକାର ଲୋକେ ସରକାର ପରିବର୍ତ୍ତନ କରିଛନ୍ତି । ଆଉ ଏବେ ଆୟୂଷ୍ମାନ ଯୋଜନାରେ ଗରୀବ ଲୋକେ ଚିକିତ୍ସିତ ହେଉଛନ୍ତି ।
ପଶ୍ଚିମବଙ୍ଗରେ ଲୋକେ ସଚେତନ ହେଲେଣି ଆଉ ଏହି ସରକାରକୁ ଉଚିତ୍ ଜବାବ ଦେବେ । ଡବଲ ଇଞ୍ଜିନର ବିକାଶରେ ସାମିଲ୍ ହେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ବିଭିନ୍ନ ବିକାଶ ମୂଳକ ଯୋଜନାମାନ ଲାଗୁ କରିଛନ୍ତି । ମାତ୍ର ଟିଏମସି ସରକାର ଏହାକୁ ରାଜ୍ୟରେ ଲୋକଙ୍କ ପାଖରେ ପହଞ୍ଚାଉନାହିଁ । ଏଣୁ ଜନତା ଏସରକାରକୁ ହଟାଇ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ସେ ଅପିଲ୍ କରିଛନ୍ତି ।
ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଛି ଟିଏମସି
ପଶ୍ଚିମବଙ୍ଗ ସରକାର ବାଂଲାଦେଶୀଙ୍କୁ ସୁରକ୍ଷା ଦେଉଥିବା ନେଉ ପୂର୍ବରୁ ବିରୋଧୀମାନେ ଟାର୍ଗେଟ କରିଛନ୍ତି । ଏବେ ଆଇନ୍ ଶୃଙ୍ଖଳାକୁ ନେଇ ମୋଦି ମଧ୍ୟ ଏହି ସଭାରେ ଟାର୍ଗେଟ କରିଛନ୍ତି । ଟିଏମସି ଅନୁପ୍ରବେଶକାରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇଥାଏ । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସବୁବେଳେ ଆଗେଇ ଆସିଥାନ୍ତି । ଟିଏମସି ଅନୁପ୍ରବେଶକାରୀଙ୍କୁ ଆପଣାଉଥିବା ପଛର ମୁଖ୍ୟ କାରଣ ହେଉଛି ସେମାନେ ହେଉଛନ୍ତି ଭୋଟ୍ ବ୍ୟାଙ୍କ୍ । ଏଣୁ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ସବୁବେଳେ ଆଗେଇ ଆସିଥାଏ ଟିଏମସି ସରକାର । ଏଣୁ ପ୍ରଥମେ ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ, ଏହାପରେ ସେମାନଙ୍କୁ ତାଙ୍କ ଦେଶକୁ ପଠାଯିବ । ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ଏବଂ ଆଇନ ଶୃଙ୍ଖଳାରେ ଉନ୍ନତି ଆସିବ । ଏଥିପାଇଁ ଯୁବପିଢ଼ିମାନେ ସଚେତନ ହେବା ଜରୁରୀ ।
ପଶ୍ଚିମବଙ୍ଗକୁ ୮୩୦ କୋଟି ଟଙ୍କାର ପ୍ରକଳ୍ପ ଉପହାର
ପଶ୍ଚିମବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ରହିଥିବାବେଳେ ସେ ସିଙ୍ଗୁରରେ ୮୩୦ କୋଟି ଟଙ୍କାର ପ୍ରକଳ୍ପ ଉପହାର ଦେଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ଗତକାଲି ମାଲଦାରେ ଥିଲି। ଆଜି ଆପଣମାନଙ୍କ ସହ ରହିବାର ସୌଭାଗ୍ୟ ପାଇଛି । ଗତକାଳି ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଛି । ରାଜ୍ୟରେ ଅଧଡଜନରୁ ଅଧିକ ଅମୃତଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆସିଛି । ଆଜି ଆଉ ୩ଟି ଟ୍ରେନ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ସବୁବେଳେ ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ।