ରିଓ ଡି ଜେନେରିଓ,୧୮।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରାଜିଲରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ପହଁଞ୍ଚିବାରେ କରାଯାଇଛି ଭବ୍ୟ ସ୍ବାଗତ। ଆୟୋଜକ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି ସିଲଭା ଜୋରଦାର ଭାବରେ ସ୍ବାଗତ କରିବା ସହ ହାତ ମିଳାଇଥିଲେ। ଏହାପରେ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ଦୁଇ ନେତା ବହୁ ସମୟ ଧରି ପରସ୍ପର ସହ ଆଲୋଚନା କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ପିଏମ୍‌ ମୋଦିଙ୍କ କାନ୍ଧ ଉପରେ ହାତ ରଖି ଖୁବ୍ ବେଶ୍ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ।

ମୋଦି ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ବ୍ୟତୀତ ବିଶ୍ବ ନେତାଙ୍କ ସହ ଆଲୋଚନା କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଭାରତର ଆଭିମୁଖ୍ୟ ରଖିବେ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ତିନି ଦେଶର ଗସ୍ତରେ ଅଛନ୍ତି। ନିଜ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟରେ ସୋମବାର ସକାଳେ ବ୍ରାଜିଲର ରିଓ ଡି ଜେନେରିଓରେ ପହଁଞ୍ଚିଥିଲେ। ସେଠାରେ ଭାରତୀୟ ଲୋକ ଖୁବ୍ ଜୋରଦାର ଢଙ୍ଗରେ ସ୍ବାଗତ କରିଥିଲେ। ଭାରତୀୟ ସମୁଦାୟର ଲୋକ ମୋଦିଙ୍କ ସ୍ବାଗତ ସଂସ୍କୃତ ମନ୍ତ୍ରଉଚ୍ଚାରଣ ସହ କରିଥିଲେ। ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ କହିଛନ୍ତି। ସେ କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରାଜିଲର ରିଓ ଡି ଜେନେରିଓ ପହଁଞ୍ଚି ଯାଇଛି। ମୁଁ ଶିଖର ସମ୍ମିଳନୀର ବିଚାର-ବିମର୍ଷ ଓ ବିଭିନ୍ନ ବିଶ୍ବ ନେତାଙ୍କ ସହ ସାର୍ଥକ ଆଲେଚନା କରିବାର ଆଶା ରଖୁଛି।