କଟକ, ୮।୩: ପୋକ୍ସୋ (ପ୍ରୋଟେକ୍ସନ୍ ଅଫ୍ ଚିଲଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ମାମଲା ବା କୌଣସି ନାବାଳକ/ନାବାଳିକା ସହ ଘଟିଥିବା ଅପରାଧିକ ମାମଲାର ସମାଧାନ ପଞ୍ଚାୟତ ସ୍ତରରେ କରାଯାଇପାରିବ ନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏଭଳି ଘଟଣାକୁ ପଞ୍ଚାୟତର ସରପଞ୍ଚ ହୁଅନ୍ତୁ ବା କିଛି ବରିଷ୍ଠ ବ୍ୟକ୍ତି ହାତକୁ ନେବା ଉଚିତ୍ ନୁହେଁ । ପଞ୍ଚାୟତ କୌଣସି ପ୍ରକାରର ଅଦାଲତ ନୁହେଁ । ଏଭଳି ଘଟଣାକୁ ଆଇନର ଉଲ୍ଲଂଘନ ଧରାଯିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧିକାରୀମାନେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଏବଂ ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରିବା ଲାଗି ପଦକ୍ଷେପ ନେବେ । ଯଦି କେହି ବି ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ପଞ୍ଚାୟତ ମଧ୍ୟରେ ସୀମିତ ରଖିବାକୁ ବା ସମାଧାନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଏହା ବି ପଢ଼ନ୍ତୁ... ଅନ୍ତର୍ଜାତୀୟ ମହିଳା ଦିବସରେ ଆସିବ ସୁଭଦ୍ରା ଚତୁର୍ଥ କିସ୍ତି, ପୁରୀ ତାଳବଣିଆରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ପୋକ୍ସୋ ମାମଲାରେ ନିମ୍ନ ଅଦାଲତ ଦ୍ୱାରା ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ଆସାମୀ ସନତ କୁମାର ପ୍ରଧାନର ଅପିଲ୍କୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍. କେ. ପାଣିଗ୍ରାହୀ ଏହି ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ପୀଡ଼ିତାଙ୍କ ଘରକୁ ନିୟମିତ ଭାବେ ଆସାମୀ ସନତ ଆସିଥାଏ । ପୀଡ଼ିତାଙ୍କ ପିତାମାତାଙ୍କ ଅନୁପସ୍ଥିତିରେ ଆସାମୀ ସନତ ତାଙ୍କୁ ବଳାତ୍କାର କରିଥିଲା । ଏହି ଘଟଣା ସମ୍ପର୍କରେ କାହାରି ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ୨୦୧୬ ମସିହାରେ ଏହି ଘଟଣା ଘଟିଲାବେଳେ ପୀଡ଼ିତାଙ୍କୁ ପ୍ରାୟ ୧୭ ବର୍ଷ ହୋଇଥିଲା । ପରେ ଏହି ଘଟଣା ସଂକ୍ରାନ୍ତରେ ପୀଡ଼ିତା ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ପୀଡ଼ିତାଙ୍କ ବାପା ଏ ସଂକ୍ରାନ୍ତରେ ଗ୍ରାମରେ ଜଣାଇଥିଲେ । ଗ୍ରାମସଭା ଡକାଯାଇ ପୀଡ଼ିତା ସାବାଳିକା ହେବା ପରେ ଆସାମୀ ସନତକୁ ବିବାହ କରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିରେ ସନତ ମଧ୍ୟ ସହମତି ପ୍ରକାଶ କରିଥିଲା । ୨୦୨୧ ମସିହାରେ ସନତ ପୀଡ଼ିତାଙ୍କୁ ବିବାହ କରିଥିଲା । ବିବାହର ମାତ୍ର ୧୦/୧୫ଦିନ ପରେ ଆସାମୀ ସନତ ଆଉ ଘରକୁ ଆସିନଥିଲା ଏବଂ ପୀଡ଼ିତାଙ୍କ ସହ କୌଣସି ପ୍ରକାର ଯୋଗାଯୋଗରେ ରହି ନଥିଲା । ପରେ ସନତର ପରିବାର ଲୋକେ ପୀଡ଼ିତାଙ୍କୁ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।
ଏହି ଘଟଣାକୁ ନେଇ ପୀଡ଼ିତା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପୋକ୍ସୋ ଆଇନରେ ମାମଲା ରୁଜୁ କରିଥିଲା । ମାମଲାର ଶୁଣାଣି କନ୍ଧମାଳ ଜିଲ୍ଲା ଫାଷ୍ଟ ଟ୍ରାକ୍ ଅଦାଲତରେ ହୋଇଥିଲା । ଅଦାଲତ ପୋକ୍ସୋ ଆଇନରେ ଆସାମୀ ସନତକୁ ୨୦ ବର୍ଷ ଜେଲ୍ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ୍ କରି ଆସାମୀ ସନତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ନାବାଳିକା ପୀଡ଼ିତାଙ୍କ ବଳାତ୍କାର ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ପଞ୍ଚାୟତ ସ୍ତରରେ ସମାଧାନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏଭଳି ପ୍ରସଙ୍ଗରେ ପଞ୍ଚାୟତ ଆଇନକୁ ହାତକୁ ନେବା ଉଚିତ୍ ନୁହେଁ ବୋଲି ମତ ଦେଇଛନ୍ତି । ଏଥିସହ ହାଇକୋର୍ଟ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖି ଆସାମୀ ସନତର ଆବେଦନକୁ ଖାରଜ କରି ଦେଇଛନ୍ତି ।