ଭୁବନେଶ୍ୱର ୦୮/୦୩: ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରୁ ମିଳିବ ସୁଭଦ୍ରା ଟଙ୍କା । ରାଜ୍ୟର ୧ କୋଟିରୁ ଊଦ୍ଧ୍ୱର୍ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି । ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଟ ୧ କୋଟି ୧୨ ଲକ୍ଷ ୬୬୭ ଜଣ ସୁଭଦ୍ରା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ରବିବାର ପୁରୀର ତାଳବଣିଆଠାରେ ସୁଭଦ୍ରା ଯୋଜନା ଅଧୀନରେ ରାଜ୍ୟସ୍ତରୀୟ ଚତୁର୍ଥ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିବ ସୁଭଦ୍ରା କିସ୍ତି । ଏଥିସହ ଅଭିଯୋଗ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା । ଏପ୍ରିଲରେ ଯାହାକୁ ୨୧ ବର୍ଷ ହେବ ସେମାନେ ଆବେଦନ କରିପାରିବେ । ତେବେ ଯେଉଁମାନଙ୍କୁ ୨୧ ବର୍ଷ ସେମାନଙ୍କୁ ଏଥର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ । ୬୦ ବର୍ଷ ହେବାପରେ ହିତାଧିକାରୀଙ୍କ ନାମ ପେନସନ୍ ତାଲିକାକୁ ଚାଲିଯିବ ।

ରବିବାର ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ମୋଟ ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ପଠାଇବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନ୍ତର୍ଜୀତୀୟ ମହିଳା ଦିବସ ଉତ୍ସବ ମଧ୍ୟ ପାଳନ କରାଯିବ । ବିଭାଗ ଅଧୀନରେ କାର୍ଯ୍ୟରତ ଶ୍ରେଷ୍ଠ ଅଧିକାରୀମାନଙ୍କୁ ସମ୍ମାନିତ କରାଯିବ । ଅନ୍ୟପଟେ ସୁଭଦ୍ରା ଯୋଜନା ବାବଦରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋସିଆଲ୍ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶାର ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ‘ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ମା'ଙ୍କ ମୁହଁରେ ହସ ଫୁଟାଇଥିବା ଏହି ଯୋଜନା ଆଜି ଦେଶର ଏକ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ସେ ଆହୁରି ଲେଖିଛନ୍ତି, ସୁଭଦ୍ରା କେବଳ ଏକ ଆର୍ଥିକ ସହାୟତା ନୁହେଁ, ବରଂ ମହିଳାଙ୍କ ପାଇଁ ସମ୍ମାନ, ଆତ୍ମବିଶ୍ୱାସ ଓ ସ୍ୱାଧୀନତାର ଚାବିକାଠି । ଏହା ମହିଳାଙ୍କୁ ପରିବାର ଓ ସମାଜରେ ନେତୃତ୍ୱ ନେବାର ଶକ୍ତି ପ୍ରଦାନ କରୁଛି । ଗାଁରୁ ସହର ଯାଏ ପୂର୍ବରୁ ଯେଉଁମାନେ ଆର୍ଥିକ ସ୍ୱାଧୀନତାରୁ ବଞ୍ଚିତ ଥିଲେ, ସେହି ମା'ମାନେ ଆଜି ସ୍ୱ।।ବଲମ୍ବୀ ହେବା ସହ ନିଜ ପାଇଁ ଏକ ନୂଆ ପରିଚୟ ଗଢ଼ୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନ ଓ ‘ପୂର୍ବୋଦୟ'ର ସଂକଳ୍ପ ସହ ତାଳ ଦେଇ ଆଜି ଓଡ଼ିଶାର ନାରୀଶକ୍ତି ଆତ୍ମନିର୍ଭରଶୀଳ ହେଉଛନ୍ତି । ସଶକ୍ତ ନାରୀଶକ୍ତି ହିଁ ଆଗାମୀ ଦିନରେ ‘ସମୃଦ୍ଧ ଓଡ଼ିଶା'ର ମୂଳଦୁଆ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ :- ମମତାଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ, ଓଡ଼ିଶାବାସୀଙ୍କୁ ଆଘାତ, ମୋହନ ରଖିଲେ କଡ଼ା ପ୍ରତିକ୍ରିୟା