କଟକ, ୧୧/୧୨ : କଟକ ସହରରେ ସରକାରୀ ଚାକିରି ଯୋଗାଇ ଦେବା ନାଁରେ ଠକେଇ ସିଣ୍ଡିକେଟ୍ ମାମଲା। ଏଯାବତ୍ ୫ ଜଣଙ୍କୁ ବାନ୍ଧିଲାଣି ପୋଲିସ। ଏହି କାରବାରରେ ଆହୁରି ଅନେକ ଠକଙ୍କ ସମ୍ପୃକ୍ତି ଥିବାର ଅନୁମାନ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଛି। ଏହି ମାମଲାରେ ଆଉ ଏକ ବଡ଼ ସତ ସାମ୍ନାକୁ ଆସିଛି। ଏସସିବି ମେଡିକାଲରେ ସେବା ଯୋଗାଉଥିବା ୨ଟି ଘରୋଇ ସଂସ୍ଥାର କର୍ମଚାରୀ ଏହି ଠକେଇ ନେଟୱର୍କରେ ସାମିଲ ଥିବା ଜଣାପଡ଼ିଛି। ତେଣୁ ଏହି ସିଣ୍ଡିକେଟ୍ କେବଳ କଟକ ଭିତରେ ସୀମିତ ନା ତାର ଚେର ଆଉ କେଉଁଆଡେ ଲମ୍ଵିଛି ସେନେଇ ପୋଲିସ ଖୋଳତାଡ଼ କରୁଛି।
କଟକ ସହରରେ ସରକାରୀ ଚାକିରି ଯୋଗାଇ ଦେବା ନାଁରେ ଚାଲିଥିଲା ଠକେଇ ସିଣ୍ଡିକେଟ୍। ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ଚାକିରି ଯୋଗାଇ ଦେବାକୁ ଆଶାୟୀମାନଙ୍କୁ ଦିଆଯାଉଥିଲା ପ୍ରଲୋଭନ। କେଉଁ ସ୍ଥାନରେ ନିଯୁକ୍ତି ମିଳିବ, ସେହି ଅନୁଯାୟୀ ଦର କଷୁଥିଲେ ଦଲାଲ। ଏହିଭଳି ଭାବେ ଠକେଇର ଶିକାର ହୋଇଥିଲେ ୮୨ ଜଣ ଆଶାୟୀ। ଏହି କଳା କାରବାର ଉପରୁ ଧୀରେଧୀରେ ପର୍ଦ୍ଦା ଉଠିବାରେ ଲାଗିଛି। ତେବେ ଚିନ୍ତାର ବିଷୟ ଏସସିବି ମେଡ଼ିକାଲରେ ଚାକିରି କରାଇ ଦେବା ନାଁରେ ମଧ୍ୟ ଠକେଇ ହୋଇଛି। ଏହି ଅଭିଯୋଗରେ ଗତ ଶନିବାର ମଙ୍ଗଳାବାଗ ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ଆଉ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୭ ଲକ୍ଷ ଟଙ୍କା ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହି ସିଣ୍ଡିକେଟ୍ରେ ଆହୁରି ଅନେକ ବ୍ୟକ୍ତି ସାମିଲ ଥିବା ନେଇ ପୋଲିସ ସନ୍ଦେହ କରୁଛି। ଏହି ମାମଲାରେ ପୃଥକ ପୃଥକ ଭାବେ ଏତଲା ଦାୟର ହୋଇଛି। ସେମାନଙ୍କୁ ବାନ୍ଧିବା ଲାଗି କଟକ ଡିସିପି ଏକ ଟିମ୍ ଗଠନ କରିଛନ୍ତି। ଏହି ଠକ ଗ୍ରୁପରେ ଆଉ କିଏ ସାମିଲ ଅଛନ୍ତି ତାର ଖୋଳତାଡ଼ ଚାଲିଛି। ପୂର୍ବରୁ ଗିରଫ ହୋଇଥିବା ୨ ଠକଙ୍କୁ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ଆଣିଛି। ସେମାନଙ୍କ ବୟାନ ଅନୁସାରେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି।