ଭୁବନେଶ୍ୱର,୨୦/୧୨: ମଦ ପିଇ ନିଶାଶକ୍ତ ଅବସ୍ଥାରେ କାର୍ ଚଳାଇ ଯାଉଥିବା ବେଳେ ପିସିଆର ପୁଲିସ ଅଟକାଇବାରୁ ପୁଲିସକୁ ନିସ୍ତୁକ ପିଟିଲେ । ମୋବାଇଲ ଓ ବଡ଼ି କ୍ୟାମେରା ଛଡ଼ାଇନେଲେ । ସର୍ବସାଧାରଣ ରାସ୍ତାରେ ଏଭଳି ଉତ୍ପାତ କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ । ସେମାନେ ହେଲେ ଆଇଆରସି ଭିଲେଜ ଏନ୍-୪ରେ ରହୁଥିବା କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁରର ସତ୍ୟରଞ୍ଜନ ସ୍ୱାଇଁ(୨୫), ଭରତପୁର ନୂଆଗାଁ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଜୟଚନ୍ଦ୍ରପୁର ଗ୍ରାମର ରାଜେଶ ବଳବନ୍ତରାୟ(୨୬) ଓ ନୂଆଗାଁ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ଜୟଚନ୍ଦ୍ରପୁରର ରାଜକିଶୋର ରାଉତ(୨୫) । ପୁଲିସ ସେମାନେ ବ୍ୟବହାର କରୁଥିବା କିଆ କାର୍‌କୁ ଜବତ କରିଛି ।

ସୂଚନା ଅନୁଯାୟୀ, ଗତକାଲି ଦିନ ସାଢ଼େ ୧୧ଟାବେଳେ ସତ୍ୟରଞ୍ଜନ ରାଜେଶ ଓ ରାଜକିଶୋର ରହୁଥିବା ଭଡ଼ାଘରକୁ ଆସିଥିଲେ । ସେଠାରେ ସେମାନେ ପାର୍ଟି କରିବା ସହ ପ୍ରଚୁର ମଦ ପିଇଥିଲେ । ସନ୍ଧ୍ୟାରେ ସେମାନେ ରାଜକିଶୋରଙ୍କ କିଆ କାର୍‌ରେ ବୁଲିବାକୁ ବାହାରିଥିଲେ । କାର୍‌କୁ ଅତି ବେପୁଆଭାବେ ଦ୍ରୁତ ଗତିରେ ଚଲାଉଥିଲେ । ରାସ୍ତାରେ ଭୟଭୀତ ହୋଇ ଲୋକେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଇଥିଲେ । କଣ୍ଟ୍ରୋଲ ରୁମ୍‌ରୁ ସୂଚନା ପାଇ ପିସିଆର-୨୫ କର୍ମଚାରୀମାନେ ଖଣ୍ଡଗିରିବାରୀରେ ଉକ୍ତ କାର୍‌କୁ ଅଟକାଇଥିଲେ । କାର୍‌ରେ ଥିବା ୩ ଜଣ ବାହାରି ଆସି ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସେମାନଙ୍କ ମୋବାଇଲ ଓ ବଡ଼ି କ୍ୟାମେରା ଛଡ଼ାଇ ନେଇଥିଲେ। ଖବରପାଇ ପିସିଆର-୩୯ ସେଠାରେ ପହଞ୍ଚିବା ପରେ ସମସ୍ତେ ମିଶି ୩ ଜଣଙ୍କୁ କାବୁ କରି ଭରତପୁର ଥାନାକୁ ନେଇଥିଲେ । ପୁଲିସ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ୩ ଜଣଙ୍କୁ ଗିରଫ କରିବା ସହ କାର୍କୁ ଜବତ କରିଥିଲା ।