ମାଲକାନଗିରି, ୯।୧୦(ଆପ୍ର): ମାଲକାନଗିରି ଜିଲ୍ଲା ସଦର ମହକୁମାର ଷ୍ଟାଡିୟମ ଛକରେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ପୁଲିସ କର୍ମଚାରୀ ଜଣକ ହେଲେ ଅକ୍ଷୟ କୁମାର ନାୟକ ।
ଅକ୍ଷୟ କୁମାର ନାୟକ ବାଇକରେ ନିଜ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ। ଷ୍ଟାଡିୟମ ଛକ ନିକଟରେ ନିଜର ଜଣେ ଚିହ୍ନା ପରିଚିତ ବ୍ୟକ୍ତି ମୋଟର ସାଇକେଲରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଉଭୟ ଚାଳକ ଏଥିରେ ସାମାନ୍ୟ ଖଣ୍ଡିଆ ଖାବରା ହେବା ସହ ମୁଣ୍ଡରେ ସାମାନ୍ଯ ଆଘାତ ଲାଗିଛି ଭାବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯାଇ ଉଭୟ ଚିକିତ୍ସିତ ହୋଇଥିଲେ। ପରେ ସ୍ଵର୍ଗତ ନାୟକ ପୁଣି ଡ୍ୟୁଟିକୁ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଦେହ ଭଲ ନଲାଗିବାରୁ ସେ ଘରକୁ ଯାଇ ବିଶ୍ରାମ ନେଇଥିଲେ। କିନ୍ତୁ କିଛି ସମୟ ମଧ୍ୟରେ ହଠାତ ତାଙ୍କର ନାକରୁ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକ ସଙ୍ଗେ ସଙ୍ଗେ ନାୟକଙ୍କୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାରେ ତାଙ୍କ ଶରୀର ଉପରେ ବିଶେଷ କ୍ଷତ ହୋଇ ନଥିଲେ ମଧ୍ୟ ଶରୀର ଭିତରେ ଗଭୀର କ୍ଷତ ଓ ରକ୍ତ ସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାପରେ ସ୍ଵର୍ଗତ ନାୟକଙ୍କ ମର ଶରୀରର ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କର ମୃତ୍ୟୁ ଖବର ସମ୍ପୂର୍ଣ ପୋଲିସ ବିଭାଗରେ ଶୋକର ଛାୟା ଖେଳାଇ ଦେଇଛି। ପରିବାର ଲୋକଙ୍କ ସହ ମାଲକାନଗିରି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ତାଙ୍କର ସହକର୍ମୀ ମାନେ ଉପସ୍ଥିତ ରହି ଶେଷ କୃତ୍ୟ ସମ୍ପାଦନ କରିଥିଲେ।