ପାରାଦୀପ,୦୮/୦୭: ବାଂଲାଦେଶୀ  ଯାଞ୍ଚ୍‌ ପ୍ରକ୍ରିୟାରେ ପାରାଦୀପ ଲକ୍‌ ଥାନାକୁ ମିଳିଛି ସଫଳତା । ବାଂଲାଦେଶରୁ ପଳେଇ ଆସିଥିବା ଗୋଟିଏ ପରିବାରର ୪ ଜଣଙ୍କୁ ସୋମବାର ଉଠେଇ ନେଇଛି ପୁଲିସ । ପାରାଦୀପ ଲକ୍‌ ଥାନା ଅର୍ନ୍ତଗତ  ଜର୍ଦ୍ଦାରିପଡ଼ା ଅଞ୍ଚଳରେ ରହୁଥିବା ୪ ଜଣଙ୍କୁ ଉଠେଇ ନେଇ ଅଜ୍ଞାତ  ସ୍ଥାନରେ ରଖିଛି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ  ଏ ବିଷୟରେ ପାଟି ଖାଲୁନି ପୁଲିସ ।  କିନ୍ତୁ ସେମାନେ ଜର୍ଦ୍ଦାରିପଡ଼ାର ସୁଜନ ଗାଏନଙ୍କ ଘରେ  ପ୍ରଥମେ ଆସି ରହୁଥିଲେ । କିଛି ଦିନ ରହିଲା ପରେ ଏବେ  ସେଠାରେ ରାମ ସାହୁଙ୍କ ଘରେ ଭଡାନେଇ ରହୁଛନ୍ତି । 

ସେମାନେ ବାଂଲାଦେଶର ଖୁନଲା ଜିଲ୍ଲାର ଡାକପ  ଥାନା ଅର୍ନ୍ତଗତ ବାଣିସାନ୍ତା ଅଞ୍ଚଳର କିରୀଟି ସର୍ଦ୍ଦାର(୪୦),  ତାଙ୍କ ସ୍ତ୍ରୀ ସିମଲି ସର୍ଦ୍ଦାର(୩୮), ସେମାନଙ୍କ ଝିଅ  ଜୟା ସର୍ଦ୍ଦାର(୧୯), ପୁଅ ଜୟ ସର୍ଦ୍ଦାର(୧୭) ବୋଲି  ସୁଜନ ଗାଏନଙ୍କ ସ୍ତ୍ରୀ କମଳା ଗାଏନ କହିଛନ୍ତି । କମଳା  ଗାଏନଙ୍କ କହିବା ଅନୁସାରେ ସେମାନେ ବାଂଲାଦେଶରୁ  ଗତ ମେ’ ମାସରେ ଲୁଚି ପଳେଇ ଆସି ପଶ୍ଚିମବଙ୍ଗର  ପିଆଲିରେ ରହୁଥିଲେ । ସୁଜନ ଗାଏନଙ୍କ ଭଉଣୀ ଘର ହେଉଛି ପଶ୍ଚିମବଙ୍ଗ ପିଆଲୀ । ସୁଜନ ତାଙ୍କ ଭଉଣୀ  ଘରକୁ ଯାଇଥିଲେ । ସେମାନଙ୍କ ସହ ସୁଜନ ଗାଏନଙ୍କ ସହ ପରିଚିତ ହୋଇଥିଲା । ତେଣୁ ସୁଜନ ଗାଏନଙ୍କ ସାଥୀରେ ସେହି ବାଂଲାଦେଶର ୪ ଜଣ ସଦସ୍ୟ ପାରାଦୀପ ଆସିଥିଲେ । ସେମାନଙ୍କର ଏଠାରେ କୌଣସି କାଗଜପତ୍ର ହୋଇ ନଥିବା କମଳା ଗାଏନ କହିଛନ୍ତି । ପୁଲିସ ଉଠେଇ  ଆଣିଥିବା ବାଂଲାଦେଶ ଦେଶର ୪ ଜଣ ସଦସ୍ୟ ମଧ୍ୟ ମାନୁଛନ୍ତି ଯେ ସେମାନେ ବାଂଲାଦେଶର ନାଗରିକ । 

ସୋମବାର ଅପରାହ୍ନରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ  ଭାରପ୍ରାପ୍ତ ତହସିଲଦାର ତଥା ପାରାଦୀପ ପୌର ନିର୍ବାହୀ  ଅଧିକାରୀ ଅଭିଷେକ ପଣ୍ଡା, କୁଜଙ୍ଗ ଗାଷ୍ଠୀ ଶିକ୍ଷା ଅଧିକାରୀ  ମନୋଜ ବେହେରା, ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତିକା ମିଶ୍ର ଓ ସିଡିଏମ୍‌ଓଙ୍କ ପ୍ରତିନିଧି ଡଃ ବସନ୍ତ  କୁମାର ରାଉତ, ପାରାଦୀପ ଲକ୍‌ ଥାନା ଅଧିକାରୀ  ରଶ୍ମିରଞ୍ଜନ ଦାଶ ସଦସ୍ୟ ମାନେ ଯାଞ୍ଚ୍‌ କରିବା ସହ  ଏକ ରିପୋର୍ଟ ଜିଲ୍ଲା କମିଟିକୁ ଦେଇଥିବା ସୂଚନା ମିଳିଛି । ପରେ ଏହାକୁ ବର୍ଡର ସେକ୍ୟୁରିଟି ଫାର୍ସ(ବିଏସ୍‌ଏଫ୍‌)କୁ ହସ୍ତାନ୍ତର କରାଯିବାର ନିୟମ ରହିଛି ବୋଲି ଏକ ବିଶେଷ  ସୂତ୍ରରୁ ଜଣାପଡ଼ିଛି । ସାଧାରଣରେ ଗୋଟେ ପ୍ରଶ୍ନ ଉଠୁଛୁ  ଯେ ଭାରତୀୟ ଜଳ ସୀମାରେ ଏତେ ସୁରକ୍ଷା କଟକଣା  ଥିବା ସତ୍ତେ୍ୱ ସେମାନେ କିପରି ବାଂଲାଦେଶରୁ ପଶ୍ଚିମବଙ୍ଗ  ଆସିଲେ । ପାରାଦୀପର ଭିମାନାସି, ବିଜୟଚନ୍ଦ୍ରପୁର, ବାଉରିଆପଳନ୍ଦା ଆଦି ଅଞ୍ଚଳରେ ଥିବା ସନ୍ଦିଗ୍ଧ ମାନଙ୍କର  ଯାଞ୍ଚ୍‌ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।