ଖୋର୍ଦ୍ଧା/ନିରାକାରପୁର,୨୩/୧୧: ଥାନା  ଭିତରେ ଜଣେ ମହିଳା ବସି ରିଲ୍ସ ତିଆରି  କରୁଛନ୍ତି । ତାଙ୍କ ରିଲ୍ସରେ ସାଧା ପୋଷାକରେ ପୁଲିସ୍‌ ବାବୁ ଅଛନ୍ତି । ପୁଲିସ ବାବୁ ଜଣକ ମହିଳାଙ୍କ ଜଣକ ଚୌକିରେ ବସି ରିଲ୍ସ କରୁଥିବା ବେଳେ ପୁଲିସବାବୁ ପ୍ରଥମେ ହସି ଦେଉଛନ୍ତି ।  ପରେ ଯାଇ ନିଜ ଚୌକିରେ ବସିପଡୁଛନ୍ତି । ପୁଲିସ୍‌ ବାବୁ ଜଣକ ମହିଳାଙ୍କ ଆଖି ମୋର ସ୍ୱପ୍ନ  ତୋର... ପ୍ରେମ ସଙ୍ଗୀତରେ ମନମୁଗ୍ଧ ହେଉଛନ୍ତି ।  

ମହିଳାଙ୍କ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ  ଅପଲୋଡ୍‌ ପରେ ଭାଇରାଲ ହେବାରେ  ଲାଗିଛି । ଯାହାକୁ ନେଇ ପୁଲିସ୍‌ ବାବୁଙ୍କ ସହ  ଥିବା ମହିଳା ଜଣକ କିଏ ବୋଲି ଚର୍ଚ୍ଚା ଜୋର୍‌  ଧରିଛି । ଏହି ଭିଡ଼ିଓ କେବେ ସୁଟିଂ ହୋଇଛି  ଏବଂ ଭାଇରାଲ ପଛରେ ରହସ୍ୟ କ’ଣ ତାହା  ବେଶ୍‌ ଆଲୋଚ୍ୟର ବିଷୟ ପାଲଟିଛି । ଏହା  ନିରାକାରପୁର ଥାନା ଭିତରର ଦୃଶ୍ୟ ହୋଇଥିବାରୁ  ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ମୁର୍ମୁ ନିରାକାରପୁର ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 

ଏହି ଭାଇରାଲ ଭିଡିଓ ସମ୍ପର୍କରେ ପୂର୍ବତନ  ଏସ୍‌ପି ଦେବ ପ୍ରସାଦ ମଜୁମଦାର କହିଛନ୍ତି, ମହିଳା ଜଣଙ୍କ ଯଦି ପୁଲିସ୍‌ ବାବୁଙ୍କ ଉପସ୍ଥିତିରେ  ଥାନା ମଧ୍ୟରେ ରିଲ୍ସ କରିବାକୁ କେମିତି ସାହସ  କଲେ । ଏହା ଏକ ସଂଘାତିକ କଥା । ଏହା  ପୁଲିସ୍‌ ସର୍ଭିସ୍‌ ରୁଲର ଖୋଲାଖୋଲି ଉଲ୍ଲଂଘନ  ହେଉଛି । ଥାନାରେ ସିସିଟିଭି ଲାଗିଥିଲା କି’  ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଉକ୍ତ ଭିଡିଓ  ତିଆରି ପଛରେ ମହିଳାଙ୍କର କି ଉଦ୍ଦେଶ୍ୟ  ରହିଛି । ଏହା ପ୍ରାୟୋଜିତ ନା’ ଷଡ଼ଯନ୍ତ୍ର ।  ତାହା ତଦନ୍ତ ସାପେକ୍ଷ ବୋଲି ପୂର୍ବତନ ଏସ୍‌ପି ଶ୍ରୀମଜୁମଦାର ମତ ଦେଇଛନ୍ତି ।