ବଦଳିଲା ଢାଞ୍ଚା। ୨୪ ବର୍ଷର ଶଗଡ଼ ଗୁଳାରୁ ବାହାରିଲା ପ୍ରଶାସନ। ବିକଶିତ ଓଡ଼ିଶାର ସ୍ଵପ୍ନ ନେଇ ନୂଆ ପଥରେ ଆଗକୁ ବଢିଲେ ନୂଆ ସରକାର। ସବୁଠି ଦେଖିବାକୁ ମିଳିଲା ନୂତନତ୍ଵର ଛାପ। ସରକାର ବଦଳିବା ସହ ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟବସ୍ଥାରେ ଆସିଲା ବିରାଟ ପରିବର୍ତ୍ତନ।  ବିଜେପି କ୍ଷମତାକୁ ଆସିବା ପରେ ଶାସନରେ ବାବୁରାଜ ବ୍ୟବସ୍ଥା ଧୀରେଧୀରେ ହଟିବା ଆରମ୍ଭ ହେଲା । ଆଉ ଅଫିସର ନୁହେଁ, ନିର୍ବାଚିତ ଜନପ୍ରତିନିଧିଙ୍କ ହାତକୁ ଆସିଲା ଶାସନର ଡୋରି ।  ଜୁନ୍‌ ୪ରେ ବାହାରିଲା ନିର୍ବାଚନ ଫଳ । ଜୁନ୍‌ ୧୨ରେ ଶପଥ ନେଲେ ମୋହନ ସରକାର । ଅଭିଜ୍ଞ ଓ ଯୁବ ଟିମ୍‌କୁ ନେଇ ମୋହନ ଗଢ଼ିଲେ ନୂଆ ମନ୍ତ୍ରିମଣ୍ଡଳ । ଶପଥ ଗ୍ରହଣ ସରିବା ମାତ୍ରେ ବସିଲା କ୍ୟାବିନେଟ । ତତ୍କାଳ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର । ପ୍ରତିଶ୍ରୁତି ପାଳନ ପାଇଁ ଲାଗି ପଡ଼ିଲେ ସରକାର । ମହିଳାଙ୍କ ବଳ ବଢ଼ାଇବାକୁ କାର୍ଯ୍ୟକାରୀ ହେଲା ଯୁଗାନ୍ତକାରୀ ସୁଭଦ୍ରା ଯୋଜନା । ଚାଷୀ ମୁହଁରେ ହସ ଆଣିବାକୁ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ହେଲା । ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା ରାଶି । ଖୋଲିଲା ନିଯୁକ୍ତିର ବାଟ । ପ୍ରଥମ ଥର ପାଇଁ ଓଡ଼ିଶା ଦେଖିଲା ଡବଲ୍‌ ଇଞ୍ଜିନ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ନଜର ରହିଲା ଓଡ଼ିଶାର ବିକାଶ ଉପରେ । କେନ୍ଦ୍ରରୁ ମୋଦି ବଳ ପାଇ ମେଟ୍ରୋ ବେଗରେ ଦୌଡ଼ିଲା ରାଜ୍ୟ ପ୍ରଶାସନ । ଆଉ ଟକରାଟକରି ନୁହେଁ, କେନ୍ଦ୍ର ସରକାରଙ୍କ ହାତ ଧରି ବିକାଶ ପଥରେ ଆଗେଇଲା ଓଡ଼ିଶା ।  ନୂଆ ସରକାରରେ ଜନତା-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ସବୁ ଦୂରତା ହଟିଗଲା । ଜନତାଙ୍କ କଥା ଶୁଣିବାକୁ ଦୁଆର ଖୋଲିଦେଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ କଥା ଶୁଣିଲେ । ତତ୍କାଳ ସମାଧାନ ବାଟ ବାହାର କଲେ । ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଏ ଜିଲ୍ଲାରୁ ସେ ଜିଲ୍ଲା ବୁଲିଲେ । ଲୋକ ମତକୁ ନେଇ ଚାଲିଲା ସରକାର । 

ପ୍ରସ୍ତୁତି: ଭୁବନେଶ୍ୱର ବ୍ୟୁରୋ ଟିମ୍‌ 

ଧାନ କୁଇଣ୍ଟାଲ ୩୧୦୦ 

ଆକସ୍ମିକ ଭାବେ ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଲେ । ବିଦାୟୀ ବର୍ଷର ଶେଷ ଆଡ଼କୁ ଓଡ଼ିଶା ପାଇଁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ଡ.ହରିବାବୁ କମ୍ଭମପତି । ଡ.ହରିବାବୁ ମିଜୋରାମର ରାଜ୍ୟପାଳ ଥିଲେ । ସେ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଭାର ସମ୍ଭାଳିବେ । ତେବେ ରଘୁବରଙ୍କ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା ପାୱାର କରିଡରରେ ଲାଗି ରହିଲା । ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ପୁଅ ମାଡ଼ ମାରିବା ଘଟଣା ଓ ଝାଡ଼ଖଣ୍ଡ ଭୋଟ ବେଳେ ଓଡ଼ିଶା ରାଜଭବନକୁ ଭୋଟ ୱାର୍‌ରୁମ୍‌ କରିବା ପ୍ରସଙ୍ଗରେ ବିରୋଧୀ ତାଙ୍କୁ ଘେରିଥିଲେ । ସମ୍ଭବତଃ ଏ ସବୁ ପ୍ରସଙ୍ଗକୁ ନେଇ ରଘୁବର ଦାସ ବିବାଦୀୟ ହୋଇ ପଡ଼ିଥିବାରୁ ସେ ପଦବୀରୁ ହଟିଥିବା ଚର୍ଚ୍ଚା ହେଉଛି । ନୂଆ ରୂପ ନେଲା ଶ୍ରୀମନ୍ଦିର ଚୌହଦୀ । ନବୀନ ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମେଗା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହୋଇଥିଲା ୨୦୨୪ ଜାନୁଆରୀ ୧୭ରେ । ୮୦୦ କୋଟି ବ୍ୟୟରେ ନିର୍ମିତ ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ଆୟୋଜନ ହୋଇଥିଲା । ସାରା ଦେଶରୁ ଧାର୍ମିକ ଲୋକଙ୍କ ସମାଗମ ହୋଇଥିଲା । ଏହି ପ୍ରକଳ୍ପ ଭକ୍ତଙ୍କୁ ନିଆରା ଅନୁଭୂତି ଦେଉଛି ଶ୍ରୀମନ୍ଦିର ପରିକ୍ରମା କରିବା ସମୟରେ । ଏହି ପ୍ରକଳ୍ପ ପାଇଁ ଭଙ୍ଗା ଯାଇଥିବା ମଠ ଓ ପୁରୁଣା କୀର୍ତ୍ତିରାଜିକୁ ନେଇ ରାଜନୀତି ଏଯାଏଁ ଥମିନି । ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଭକ୍ତଙ୍କ ସୁବିଧା ପାଇଁ ଆଉ କିଛି ନୂଆ ଯୋଜନା ପ୍ରସ୍ତୁତି ଚଳାଇଛନ୍ତି । ଭୋଟ ବେଳେ ଯାହା କହିଥିଲେ, ସରକାରକୁ ଆସିଲା ପରେ ତାହା କରି ଦେଖାଇଲେ । ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଚଳିତ ଖରିଫ ଋତୁରୁ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦେଇଛନ୍ତି ସରକାର । ଏଥିପାଇଁ ଡିସେମ୍ୱର ୮ରେ ବରଗଡ଼ ଜିଲ୍ଲା ସୋହେଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷକଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବାବଦରେ ୨୩ଶହ ଟଙ୍କା ମିଳୁଥିଲା । ଏହା ସହ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୋହନ ସରକାର । ମଣ୍ଡିରେ ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏମ୍‌ଏସ୍‌ପି ଟଙ୍କା ପହଞ୍ଚି ଯାଉଛି । ବିଜେପି ସରକାରଙ୍କ ଏହି ବଡ଼ ପଦକ୍ଷେପ ଚାଷୀ ମୁହଁରେ ଖୁସି ଆଣିଛି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବ୍ୟବସ୍ଥାକୁ ସଫଳତା ସହ କାର୍ଯ୍ୟକାରୀ କରିବାକୁ ନିୟମିତ ସମୀକ୍ଷା କରୁଛନ୍ତି । ଏହା ସହ ଚଳିତବର୍ଷ ରାଜ୍ୟରେ ଧାନ ସଂଗ୍ରହ ପାଇଁ ଖୋଲିଲା ୨ଶହ ବୃହତ ମଣ୍ଡି ।

‘ସୁଭଦ୍ରା’ ଶକ୍ତି 

ନିର୍ବାଚନରେ ଗେମ୍‌ ଚେଞ୍ଜର ପାଲଟିଥିଲା ‘ସୁଭଦ୍ରା’ ଯୋଜନା । ମହିଳାଙ୍କୁ ଫୋକସ୍‌ରେ ରଖି ବିଜେପି ଇସ୍ତାହାରରେ ଘୋଷଣା କରିଥିବା ଏହି ଯୋଜନା ନିର୍ବାଚନରେ ବଡ଼ ପ୍ରଭାବ ପକାଇଥିଲା । ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ୍‌ ଭାଉଚର ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏ ପ୍ରତିଶ୍ରୁତିକୁ ଭରସା କଲେ ରାଜ୍ୟବାସୀ । ନିର୍ବାଚନରେ ବିଜେପି ବହୁମତ ପାଇ ସରକାର ଗଢ଼ିଥିଲା । ସୁଭଦ୍ରା ଲାଗୁ କରିବାକୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଥିଲେ । ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଫ୍ଲାଗସିପ୍‌ ଯୋଜନା ‘ସୁଭଦ୍ରା’ର କଲେ ଶୁଭାରମ୍ଭ । ସେହିଦିନ ୧୦ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପଠାଯାଇଥିଲା । କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ଏହି ଯୋଜନାରେ ସାମିଲ ହେବାକୁ ମହିଳାଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଥମ କିସ୍ତିରେ ଏଯାବତ୍‌ ପ୍ରାୟ ୮୦ ଲକ୍ଷ ମହିଳାଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିସାରିଛି । ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସରକାର ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ବାଣ୍ଟିବେ । ଏହି ଯୋଜନା ବର୍ତ୍ତମାନ ଏକ ମଡେଲ୍‌ ପାଲଟିଛି । ନାରୀ ଶକ୍ତିର ଶକ୍ତି ବଢ଼ାଇବାକୁ ଏଭଳି ଯୋଜନା ଆରମ୍ଭ କରାଯାଇଛି । ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାକୁ ତଦାରଖ କରୁଛନ୍ତି । କାର୍ଯ୍ୟକାରୀ କରାଇବାର ଭାର ସମ୍ଭାଳିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଦମ୍ଭରେ ଦାନା ମୁକାବିଲା

ନୂଆ ସରକାର ପାଇଁ ପ୍ରଥମ ପରୀକ୍ଷା ରୂପରେ ଆସିଥିଲା ବାତ୍ୟା ‘ଦାନା’ । ହେଲେ ଦମ୍ଭର ସହ ଦାନା ବାତ୍ୟାକୁ ମୁକାବିଲା କଲେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ଘନଘନ ବୈଠକ କଲେ । ରାତି ଅଧରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବସି ସ୍ଥିତି ପରଖିଲେ । ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ରାତି ତମାମ ଉଜାଗର ରହି କଣ୍ଟ୍ରୋଲ ରୁମ୍‌ ଜଗିଲେ । ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ରହିଲେ । ଖାଲି ସେତିକି ନୁହେଁ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଜଗି ରହିଲେ । ବାତ୍ୟାର ଯଥେଷ୍ଟ ପୂର୍ବରୁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନେଇ ଆସିଥିଲେ ସରକାର । ବାତ୍ୟା ପ୍ରକୋପ କମିବା ମାତ୍ରେ ଆରମ୍ଭ ହୋଇଗଲା ତତ୍କାଳ କ୍ଷତିପୂରଣ ସର୍ଭେ ହେଲା । ସର୍ଭେ ସରିବା ମାତ୍ରେ କ୍ଷତିପୂରଣ ରାଶି ବାଣ୍ଟିଲେ । ବଡ଼କଥା ହେଲା, ଜିରୋ କାଜୁଆଲିଟି ମିଶନ୍‌ରେ ମୋହନ ସରକାର ଶତ ପ୍ରତିଶତ ସଫଳ ହେଲେ ।

ଓଡ଼ିଆ ଭାଷାରେ ଓଡ଼ିଶା ଶାସନ

ଯାହା କରୁଛ କର, ସରକାରୀ ଚିଠିପତ୍ର ଏଣିକି ଓଡ଼ିଆ ଭାଷାରେ ହିଁ ହେବ । ନୂଅ ସରକାର ଆସିବା ପରେ ଜାରି ହେଲା ଏମିତି ଫତ୍‌ୱା । ଓଡ଼ିଆ ଭାଷାରେ ଶାସନକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜୋର୍‌ ଦେଲା । ସମସ୍ତ ବିଭାଗ ଓଡ଼ିଆ ଭାଷାରେ ଯେଉଁ ଦରଖାସ୍ତ କିମ୍ବା ଚିଠି ପାଇଥିବେ, ତାହାର ଫଇସଲା କରି ଆବେଦନକାରୀଙ୍କୁ ଓଡ଼ିଆ ଭାଷାରେ ଜଣାଇବେ । ସରକାରୀ ଭାବେ ବ୍ୟବହାର ହେଉଥିବା ସମସ୍ତ ନିମନ୍ତ୍ରଣ ପତ୍ର, ନାମ ଫଳକ ଓଡ଼ିଆ ଭାଷା କିମ୍ବା ଉଭୟ ଓଡ଼ିଆ ଓ ଇଂରାଜୀରେ ଛପା ହେଲା । ବିଧାନସଭାରେ ଉପସ୍ଥାପିତ ସମସ୍ତ ବିଲ୍‌ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଜାରି ସହ ଅନେକାଂଶରେ କାର୍ଯ୍ୟକାରୀ ହୋଇଛି । ମନ୍ତ୍ରିମଣ୍ଡଳ ବୈଠକର ଚିଠା, କ୍ୟାବିନେଟ୍‌ ସ୍ମାରକପତ୍ର, ସମୀକ୍ଷା ବୈଠକ ବିବରଣୀ ଓଡ଼ିଆରେ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ।

ପ୍ରଶାସନିକ ଅଦଳବଦଳ 

ନୂଆ ସରକାର । ନୂଆ ପ୍ରଶାସନିକ ଟିମ୍‌ । ସରକାର ଓ ପ୍ରଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଶାସନରେ ନବକଳେବର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ବାଛିଲେ । ପୁଲିସ ବିଭାଗ ମୁଖିଆ ଭାବେ ୱାଇ ବି ଖୁରାନିଆ ହେଲେ ସରକାରଙ୍କ ପସନ୍ଦ ।  ବିଜେଡିର ୨୪ ବର୍ଷର ଶାସନ ବ୍ୟବସ୍ଥା ଓ ଢାଞ୍ଚାକୁ ବଦଳାଇବାକୁ ସରକାର ନିଷ୍ପତ୍ତି ନେଲେ । ଜିଲ୍ଲା ମୁଖିଆ ଓ ଜିଲ୍ଲା ପୁଲିସ ମୁଖିଆ ବଦଳାଇଲେ । ପ୍ରାୟ ସିଂହଭାଗ ଜିଲ୍ଲା ଦେଖିଲା ନୂଆ ଜିଲ୍ଲାପାଳ ଓ ଏସ୍‌ପି । ଏପଟେ ବିଜେଡି ସରକାରରେ ଗାଦିମାଡ଼ି ବସିଥିବା ବରିଷ୍ଠ ଆଇଏଏସ୍‌ଙ୍କୁ ଲୋକସେବା ଭବନରୁ ବାହାରକୁ ବଦଳି କରାଗଲା । ଗତ ସରକାରର କିଛି ଗେହ୍ଲା ଅଫିସରଙ୍କୁ ଦୁଧିଆଳି ବିଭାଗରୁ ହଟାଇଲେ ମୋହନ ସରକାର । ସରକାର ଓ ଶାସନ ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ମୁଖ୍ୟମନ୍ତ୍ରୀ ଜୋର୍‌ ଦେଲେ । ଆନ୍ତଃ କ୍ୟାଡର ଡେପୁଟେସନରେ ଓଡ଼ିଶା ସରକାରରେ ଯୋଗ ଦେଲେ ଆଇଏଏସ୍‌ ମନୋଜ କୁମାର ସାହୁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାର ତୁଲାଇଲେ । ବର୍ଷ ଶେଷକୁ ମୁଖ୍ୟ ସଚିବ ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ିଛି । ଅନ୍ୟପଟେ ଜିଲ୍ଲା, ଏସ୍‌ପି, ପୁଲିସ କମିଶନରଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ବିଡିଓ, ତହସିଲଦାର, ଥାନା ଆଇଆଇସି ସ୍ତରରେ ବିରାଟ ଅଦଳବଦଳ ଦେଖିଲା ୨୦୨୪ ।

ଝଲସିଲା ଶ୍ରୀମନ୍ଦିର ପରିକ୍ରମା

ନୂଆ ରୂପ ନେଲା ଶ୍ରୀମନ୍ଦିର ଚୌହଦୀ । ନବୀନ ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମେଗା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହୋଇଥିଲା ୨୦୨୪ ଜାନୁଆରୀ ୧୭ରେ । ୮୦୦ କୋଟି ବ୍ୟୟରେ ନିର୍ମିତ ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବ୍ୟାପକ ଆୟୋଜନ ହୋଇଥିଲା । ସାରା ଦେଶରୁ ଧାର୍ମିକ ଲୋକଙ୍କ ସମାଗମ ହୋଇଥିଲା । ଏହି ପ୍ରକଳ୍ପ ଭକ୍ତଙ୍କୁ ନିଆରା ଅନୁଭୂତି ଦେଉଛି ଶ୍ରୀମନ୍ଦିର ପରିକ୍ରମା କରିବା ସମୟରେ । ଏହି ପ୍ରକଳ୍ପ ପାଇଁ ଭଙ୍ଗା ଯାଇଥିବା ମଠ ଓ ପୁରୁଣା କୀର୍ତ୍ତିରାଜିକୁ ନେଇ ରାଜନୀତି ଏଯାଏଁ ଥମିନି । ନୂଆ ସରକାର ଆସିବା ପରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ଭକ୍ତଙ୍କ ସୁବିଧା ପାଇଁ ଆଉ କିଛି ନୂଆ ଯୋଜନା ପ୍ରସ୍ତୁତି ଚଳାଇଛନ୍ତି ।

ରାସନ କାର୍ଡ ଇ-କେୱାଇସି 

ନୂଆ ସରକାର ଆସିବା ପରେ ରାସନ କାର୍ଡ ସର୍ଭେ ଆରମ୍ଭ ହୋଇଛି । ଇ-କେୱାଇସି ଯାଞ୍ଚ କରି ନକଲି ଓ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି । ସରକାରଙ୍କ କଡ଼ା ଆଭିମୁଖ୍ୟ- ଅଯୋଗ୍ୟଙ୍କୁ ନିସ୍ତାର ମିଳିବନି । ଚୂଡ଼ାନ୍ତ ପ୍ରକ୍ରିୟା ସରିବା ପରେ ଖାଲି ଥିବା ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ତେବେ ଇ-କେୱାଇସି ଯାଞ୍ଚ ପାଇଁ ପ୍ରବାସୀ ଓଡ଼ିଆମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଖବର ଏ ବର୍ଷ ବେଶ୍‌ ଚର୍ଚ୍ଚାରେ ଥିଲା ।

ଲୋକଙ୍କ ମୁଖ୍ୟମନ୍ତ୍ରୀ 

ଢେର ବର୍ଷ ପରେ ସାଧାରଣ ଜନତାଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର । ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ପୁରୁଣା ଢାଞ୍ଚା ବଦଳାଇ ଦେଲେ ମୋହନ ସରକାର । ମୋହନ ମାଝୀ ପାଲଟିଗଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣି ଆରମ୍ଭ ହେଲା ଜନତାଙ୍କ ଆଗମନ । ଆଉ ଅଫିସର ନୁହେଁ, ଖୋଦ୍‌ ମୁଖ୍ୟମନ୍ତ୍ରୀ ଶୁଣିଲେ ଜନତାଙ୍କ ଅଭିଯୋଗ । ସାଥୀରେ ରହିଲେ ମନ୍ତ୍ରୀଗଣ । ସଚିବାଳୟରୁ ଅଭିଯୋଗ ପ୍ରକୋଷ୍ଠ, ରାଜ୍ୟ ଅତିଥି ଭବନ ଯାଏଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲାଗିଲା ପ୍ରବଳ ଗହଳି । ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ବସୁଛନ୍ତି ଜନତାଙ୍କ ଅଭିଯୋଗ ଶୁଣିବା ପାଇଁ ।

ବଢ଼ିଲା ଭତ୍ତା 

ନିର୍ବାଚନ ପୂର୍ବରୁ ବିଜେଡି ସରକାର ଭତ୍ତା ତାଲିକାରେ ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କୁ ସାମିଲ କରିଥିଲେ । ମାସିକ ଭତ୍ତା ରାଶିରେ ୫ଶହ ଟଙ୍କା ବୃଦ୍ଧି କରିଥିଲେ । ଅର୍ଥାତ୍‌ ୫ଶହରୁ ବଢ଼ି ଭତ୍ତା ୧ ହଜାର ଟଙ୍କା ହୋଇଥିଲା । ରାଜ୍ୟରେ ସରକାର ବଦଳିବା ପରେ ବିଜେପି ସରକାର ବି ଭତ୍ତା ରାଶି ବୃଦ୍ଧି କରିଛନ୍ତି । ନୂଆ ସରକାରଙ୍କ ପ୍ରଥମ ବଜେଟରେ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପ୍ରଥମ ପର୍ଯ୍ୟାୟରେ

ନୂଆ ନାଁ, ନୂଆ ରଙ୍ଗ

୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦%ରୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୩୫୦୦ ଟଙ୍କା କରାଯାଇଛି ।

ପୂର୍ବ ସରକାରଙ୍କ ୨୧ଟି ଯୋଜନାର ନାମ ପରିବର୍ତ୍ତନ କଲେ ନୂଆ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । ଆମ ଓଡ଼ିଶା ନବୀନ ଓଡ଼ିଶା ଢାଞ୍ଚାରେ ଆସିଲା ବିକଶିତ ଗାଁ ବିକଶିତ ଓଡ଼ିଶା । କାଳିଆ ଯୋଜନା ବଦଳରେ ଚାଷୀଙ୍କ ପାଇଁ ସରକାର ଆଣିଲେ ସିଏମ୍‌-କିଷାନ ଯୋଜନା । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ନାଁ ହେଲା ଉତ୍କର୍ଷ ଓଡ଼ିଶା । ବିଜୁ ସେତୁ ହେଲା ସେତୁ ବନ୍ଧନ, ଲକ୍ଷ୍ମୀ ବଦଳରେ ଆସିଲା ଗ୍ରାମାଞ୍ଚଳ ପରିବହନ । ମିଲେଟ ମିଶନ ନାଁ ହେଲା ଶ୍ରୀଅନ୍ନ ଯୋଜନା । ରଙ୍ଗ ବି ବଦଳିଗଲା । ସ୍କୁଲ ପିଲାଙ୍କ ପୋଷାକ, ସରକାରୀ କୋଠା, କାନ୍ଥ, ସାଇନବୋର୍ଡରେ ରଙ୍ଗ ବଦଳିଲା ।

ମେଟ୍ରୋ ନିଅଁ

ଭୁବନେଶ୍ୱର-କଟକ ଦୌଡ଼ିବ ମେଟ୍ରୋ । ଗମନାଗମନ ଯୋଗାଯୋଗରେ ନୂଆ ଶିଖର ଛୁଇଁବ ଓଡ଼ିଶା । ୨୦୨୪ ଆରମ୍ଭ ଦିନ ହିଁ ଏହି ଡ୍ରିମ୍‌ ପ୍ରକଳ୍ପର ନିଅଁ ପକାଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ୨୬ କିମି ମେଟ୍ରୋ ଚଳାଚଳ କରିବ । ସରକାର ବଦଳିବା ପରେ ବି ଏହି ପ୍ରକଳ୍ପ ଅଟକିନାହିଁ । ଏହାକୁ ତ୍ୱରିତ୍‌ ବେଗରେ ସାରିବାକୁ କାମ ଆରମ୍ଭ ହୋଇଛି । ୨୦୨୭ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଜନପଥ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ରାସ୍ତା ଖୋଳାଯାଇ କାମ ଆରମ୍ଭ କରାଯାଇଛି । 

ବିବାଦ

ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗରେ ରାଜ୍ୟର ତିନି ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଭରତର ମୁଖ୍ୟ ନିର୍ବାଚନ କମିଶନର(ଇସିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌(ସିଏମ୍‌ଓ)ରେ ସ୍ୱତନ୍ତ୍ର ସଚିବ ଥିବା ଡିଏସ୍‌ କୁଟ୍ଟେଙ୍କୁ ଇସିଆଇ ନିଲମ୍ବନ କରିଥିଲେ । ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀର ଆବାସିକ କମିଶନରଙ୍କ ଅଫିସ୍‌ରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ଏମ୍‌ସ ମେଡିକାଲ ବୋର୍ଡ ପାଖରେ ଉପସ୍ଥିତ ହୋଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆଇପିଏସ୍‌ ଆଶିଷ ସିଂହଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ । ନିର୍ବାଚନ ସମୟରେ ବିଜେଡି ନେତା ତଥା ପୂର୍ବତନ ବରିଷ୍ଠ ଆଇଏଏସ୍‌ ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ତତ୍କାଳୀନ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ପଦରୁ ହଟାଇଥିଲେ ଇସିଆଇ । ଏହି କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ନିର୍ବାଚନ ପରେ ବି ଏହି ତିନି ଅଧିକାରୀଙ୍କ ଉପରେ ନଜର ରହିଥିଲା । ନିର୍ବାଚନ ପରେ ସୁଜାତା ଲମ୍ବା ଛୁଟିରେ ଯିବା ଓ ପୁନର୍ବାର ଛୁଟି ଆବେଦନକୁ ସରକାରଙ୍କ ଅଗ୍ରାହ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା । ଖାଲି ସେତିକି ନୁହେଁ, ନୂଆ ସରକାର ଆସିବା ପରେ ଆଇପିଏସ୍‌ କୁଟ୍ଟେ ଓ ଆଶିଷ କେନ୍ଦ୍ରୀୟ ଡେପୁଟେସନରେ ଯିବା ଖବର ବି ଚର୍ଚ୍ଚାରେ ରହିଲା । କେଉଁ ଅଦୃଶ୍ୟ ଶକ୍ତି ଯୋଗୁ ବିବାଦୀୟ ଦୁଇ ଅଧିକାରୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଗଲେ, ତାହାର ରହସ୍ୟ ରାଜ୍ୟବାସୀ ବୁଝିପାରିଲେନି । ବର୍ଷ ଶେଷ ଆଡ଼କୁ ସିବିଆଇର ଏକ ମାମଲାକୁ ନେଇ ବିବାଦ ଭିତରକୁ ଠେଲି ହୋଇଯାଇଥିଲେ ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀ । ଏପରିକି ତାଙ୍କୁ ପଦରୁ ବଦଳାଇଥିଲେ ସରକାର ।

ବର୍ଷ ଶେଷରେ ବଦଳିଲେ ରାଜ୍ୟପାଳ

ଆକସ୍ମିକ ଭାବେ ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଲେ । ବିଦାୟୀ ବର୍ଷର ଶେଷ ଆଡ଼କୁ ଓଡ଼ିଶା ପାଇଁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲେ ଡ.ହରିବାବୁ କମ୍ଭମପତି । ଡ.ହରିବାବୁ ମିଜୋରାମର ରାଜ୍ୟପାଳ ଥିଲେ । ସେ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଭାର ସମ୍ଭାଳିବେ । ତେବେ ରଘୁବରଙ୍କ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା ପାୱାର କରିଡରରେ ଲାଗି ରହିଲା । ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ ପୁଅ ମାଡ଼ ମାରିବା ଘଟଣା ଓ ଝାଡ଼ଖଣ୍ଡ ଭୋଟ ବେଳେ ଓଡ଼ିଶା ରାଜଭବନକୁ ଭୋଟ ୱାର୍‌ରୁମ୍‌ କରିବା ପ୍ରସଙ୍ଗରେ ବିରୋଧୀ ତାଙ୍କୁ ଘେରିଥିଲେ । ସମ୍ଭବତଃ ଏ ସବୁ ପ୍ରସଙ୍ଗକୁ ନେଇ ରଘୁବର ଦାସ ବିବାଦୀୟ ହୋଇ ପଡ଼ିଥିବାରୁ ସେ ପଦବୀରୁ ହଟିଥିବା ଚର୍ଚ୍ଚା ହେଉଛି ।