ନୂଆଦିଲ୍ଲୀ: କୁମ୍ଭ ମେଳାରେ ଘଟୁଥିବା ବିଭିନ୍ନ ଅଘଟଣ ପାଇଁ ବିରୋଧି ଦଳ ମାନେ ଉତ୍ତରପ୍ରଦେଶ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ଏହାର ପ୍ରତିଉତ୍ତରରେ ଯୋଗୀ ଆଦିତ୍ୟନାଥ ନିଜ ସରକରାରର ସଂଗଠିତ ବ୍ୟବସ୍ଥାକୁ ମୁଦ୍ଦା କରି ବିରୋଧିଙ୍କୁ ଜବାବ ଦେଇଛନ୍ତି। କୁମ୍ଭ ମେଳାର ଭବ୍ୟ ଆୟୋଜନକୁ ନେଇ ବିରୋଧିଙ୍କୁ ରାଜନୈତିକ ଢଙ୍ଗରେ ସମାଲୋଚନା କରିଛନ୍ତି ସିଏମ ଯୋଗୀ। ସେ ପୁଣି କହିଛନ୍ତି କୁମ୍ଭମେଳାକୁ ବିଭିନ୍ନ ଜାତିଧର୍ମର ଲୋକ ଆସିଛନ୍ତି। ଏପରିକି ଦେଶବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ଆସି ତ୍ରିବେଣୀ ସଂଙ୍ଗମରେ ବୁଡ ପକାଇଛନ୍ତି। ମହମ୍ମଦ ଶାମିଙ୍କ ଭଳି କ୍ରିକେଟର ମଧ୍ୟ ଗଙ୍ଗାଙ୍କ କୋଳରେ ଆସ୍ଥାର ବୁଡ ପକାଇଛନ୍ତି। 

ପ୍ରୟାଗରାଜରେ ହେଉଥିବା ମହାକୁମ୍ଭରେ କାହାପାଇଁ ବି କୌଣସି ପ୍ରକାରର ଭେଦଭାବ ହୋଇନାହିଁ। କ୍ରିକେଟର ମହମ୍ମଦ ଶାମି ମଧ୍ୟ କୁମ୍ଭରେ ପବିତ୍ର ବୁଡ ପକାଇଛନ୍ତି। ବିଭିନ୍ନ ଜାତି, ଧର୍ମରୁ ଆସିଥିବା ଲୋକ ଏଥିରେ ଭାଗ ନେଇଛନ୍ତି। ଯେଉଁମାନେ ବି ଭକ୍ତିଭାବ ନେଇ ପ୍ରୟାଗରାଜକୁ ଆସିଛନ୍ତି ସମସ୍ତଙ୍କୁ ପବିତ୍ର ସ୍ନାନ କରିବାକୁ ସୁଯୋଗ ଦିଆଯାଇଛି। ହଁ ଯେଉଁମାନେ ଧାର୍ମିକ ସ୍ଥଳକୁ ଥଟ୍ଟା ମଜା କରିବାକୁ ଆସିଥିଲେ ସେମାନଙ୍କୁ ହଟାଇ ଦିଆଯାଇଛି ବୋଲି ଯୋଗି ଆଜି ବିଧାନ ସଭାରେ ନିଜ ଅଭିଭାଷଣରେ କହିଛନ୍ତି।

ଏହାପରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ସହ ଯୋଗୀଙ୍କୁ କଟାକ୍ଷ କରି ଯଦି ପାରୁଛ ତେବେ କ୍ରିକେଟରଙ୍କ ନାମ ବି ବଦଳେଇ ଦିଅ ବୋଲି କହଗିଛନ୍ତି। ଉତ୍ତରପ୍ରଦେଶ ସହ ଦେଶର ଅନେକ ସହରରେ ଥିବା ମୁସଲମାନ ସହର ଓ ସ୍ଥାନକୁ ବିଜେପି ସରକାର ଅମଳରେ ବାରମ୍ୱାର ନାମ ପରିବର୍ତ୍ତନ କରାଯାଉଥିବାରୁ ଅଖିଳେଶ ଏହାକୁ ନେଇ କଟାକ୍ଷ କରିଥିଲେ।

୧୯୬୫ ମସିହା ଯୁଦ୍ଧ ଲଢିଥିବା ଅବଦୁଲ ହାମିଦଙ୍କ ସ୍ମୃତିରେ ଗାଜିପୁରରେ ଥିବା ସ୍କୁଲର ନାମ ତାଙ୍କ ନାମ ଅନୁଯାୟି ନାମକରଣ କରାଯାଇଥିଲା। ତେବେ କିଛିଦିନ ତଳେ ଏହି ସ୍କୁଲର ନାମ ବଦଳାଇ ଏହାର ନାମ ପିଏମ ଶ୍ରୀ କମ୍ପୋଜିଟ ସ୍କୁଲ ଭାବେ ନାମିତ କରାଯାଇଥିଲା। ଏହାକୁ ଅଖିଳେଶ ଅତ୍ୟନ୍ତ ନିନ୍ଦନିୟ କହିବା ସହିତ କେତେକ ଲୋକ ଭାରତର ନାଁ ବଦଳେଇ ବିଜେପି ରଖିଦେବେ ବୋଲି କହିଛନ୍ତି।