ମୋଟର ଯାନର ‘ପ୍ରଦୂଷଣ ନିୟନ୍ତ୍ରଣାଧୀନ ପ୍ରମାଣପତ୍ର' (ପିୟୁସିସି) ବାୟୁମଣ୍ଡଳରେ ସବୁଜଗୃହ ଗ୍ୟାସ ବା ଗ୍ରୀନ୍ହାଉସ୍ ଗ୍ୟାସ୍କୁ ନିୟନ୍ତ୍ରଣ କରିବାରେ କେତେ ପ୍ରଭାବୀ, ତାହା ଆଲୋଚନା କରିବା ପୂର୍ବରୁ କିଛି ବୈଜ୍ଞାନିକ ତଥ୍ୟ ଉପରେ ଆଲୋକପାତ କରିବା । ପୃଥିବୀର ବାୟୁମଣ୍ଡଳ ମୁଖ୍ୟତଃ ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ ଓ ଜଳୀୟବାଷ୍ପର ମିଶ୍ରଣରେ ତିଆରି । ସୂର୍ଯ୍ୟର ଆଲୋକରଶ୍ମି ଏହି ଗ୍ୟାସଗୁଡିକ ମଧ୍ୟଦେଇ ଭୂପୃଷ୍ଠରେ ପଡ଼ିଥାଏ । କିନ୍ତୁ ଭୂପୃଷ୍ଠରୁ ବିକିରଣ ହେଉଥିବା ତାପଜ ରଶ୍ମି ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ମଧ୍ୟଦେଇ ଗତି କରିପାରେନାହିଁ । ଏହା ହେଉଛି ସବୁଜ ଗୃହ ଗ୍ୟାସ୍ କୁହାଯାଉଥିବା ଅଙ୍ଗାରକାମ୍ଳର ଜଳୀୟ ବାଷ୍ପ ଇତ୍ୟାଦିର ଭୌତିକ ଧର୍ମ । ତେଣୁ ଏହି ତାପଜ ରଶ୍ମି ବାୟୁମଣ୍ଡଳ ମଧ୍ୟରେ ରହି ପୃଥିବୀର ତାପମାତ୍ରା ବଢାଇଥାଏ । ଏହାକୁ କୁହାଯାଏ ‘ବିଶ୍ୱ ତାପନ' ବା ‘ଗ୍ଲୋବାଲ ୱାର୍ମିଂ' ।
ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ପରି ମିଥେନ୍, ଯବକ୍ଷାରଜାନର ଅକ୍ସାଇଡ୍ ଇତ୍ୟାଦି ବିଶ୍ୱତାପନ ପାଇଁ ଦାୟୀ ହୁଅନ୍ତି ମଧ୍ୟ । ଏହି ଆଲେଖ୍ୟରେ କେବଳ ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ବାୟୁମଣ୍ଡଳରେ ମାତ୍ରା ବୃଦ୍ଧି ବିଶ୍ୱତାପନରେ ସହାୟକ ହେବା ସମ୍ବନ୍ଧରେ ଆଲୋଚନା କରାଯାଇଛି । ଅମ୍ଳଜାନ ଉପସ୍ଥିତିରେ ଯେକୌଣସି ଜାଳେଣି ପଦାର୍ଥର ସମ୍ପୂର୍ଣ୍ଣ ଦହନ ଦ୍ୱାରା ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପ ଉପଜାତ ଦ୍ରବ୍ୟଭାବେ ସୃଷ୍ଟି ହୋଇଥାଏ । ରୋଷେଇ ଘରଠାରୁ ବଡ଼ ବଡ଼ କଳ କାରଖାନାରୁ ଏହି ଗ୍ୟାସ୍ ବାହାରି ବାୟୁମଣ୍ଡଳରେ ମିଶିଥାଏ । ଯଦି ଦହନ ଅସମ୍ପୂର୍ଣ୍ଣ ହୁଏ ଉପଜାତ ଦ୍ରବ୍ୟ ଭାବେ ଅଙ୍ଗାରକର ଏକ ବିଷାକ୍ତ ଗ୍ୟାସ୍ କାର୍ବନ ମନୋକ୍ସାଇଡ୍ (ଯାହା ସମୟକ୍ରମେ ବାୟୁମଣ୍ଡଳର ଅମ୍ଳଜାନ ସହ ମିଶି ଅଙ୍ଗାରକାମ୍ଳରେ ପରିଣତ ହୁଏ), ଅଦଗ୍ଧ କିଛି ଜାଳେଣି ଏବଂ ଜଳୀୟବାଷ୍ପ ନିର୍ଗତ ହୁଏ । ତେବେ ଦହନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଉ ବା ଅସମ୍ପୂର୍ଣ୍ଣ, ଉପଜାତ ଦ୍ରବ୍ୟଭାବେ ସବୁଜଗୃହ ଗ୍ୟାସ ନିର୍ଗତ ହୋଇ ବାୟୁମଣ୍ଡଳରେ ମିଶେ ।
ଜାଳେଣୀ ପଦାର୍ଥର ସମ୍ପୂର୍ଣ୍ଣ ଦହନ ମୁଖ୍ୟତଃ ତିନୋଟି ଉପାଦାନ ଉପରେ ନିର୍ଭର କରେ । ଆବଶ୍ୟକୀୟ ଅମ୍ଳଜାନ, ସ୍ୱଦହନ ତାପମାତ୍ରା ଓ ଆବଶ୍ୟକୀୟ ସମୟ । କୌଣସି କାରଣରୁ ଯଦି ଏହି ତିନିଟିରୁ ଗୋଟିଏ ଉପାଦାନର ଅଭାବ ରହେ, ଦହନ ଅସମ୍ପୂର୍ଣ୍ଣ ରହେ । ଠିକ୍ ସେହିଭଳି ମୋଟର ଯାନ ଇଞ୍ଜିନ ମଧ୍ୟରେ ଇନ୍ଧନ ଦହନ ହୋଇଥାଏ । ଅନୁକୂଳ ପରିସ୍ଥିତିରେ ଇନ୍ଧନର ସମ୍ପୂର୍ଣ୍ଣ ଦହନ ହୋଇଥାଏ ଓ କମ୍ ଇନ୍ଧନରେ ଅଧିକ ଶକ୍ତି ମିଳିଥାଏ । କିନ୍ତୁ ଅସମ୍ପୂର୍ଣ୍ଣ ଦହନ ଦ୍ୱାରା ଅଧିକ ଇନ୍ଧନ ଖର୍ଚ୍ଚ ଓ ପ୍ରଦୂଷଣକାରୀ ଉପଜାତ ଗ୍ୟାସ୍ ନିର୍ଗତ ହୋଇଥାଏ ।
ଅସମ୍ପୂର୍ଣ୍ଣ ଦହନର ମୁଖ୍ୟ ପରିସ୍ଥିତି ଗୁଡ଼ିକ ହେଲା: ୧) ଗାଡ଼ି ଷ୍ଟାର୍ଟ ହେବା ସମୟରେ ଓ କେବଳ ଷ୍ଟାର୍ଟରେ ଠିଆ ହେବା (ଆଇଡଲିଂ) ସମୟରେ³ ଯାହା ମୁଖ୍ୟତଃ ଟ୍ରାଫିକ୍ ଛକମାନଙ୍କରେ ହୋଇଥାଏ । ତେଣୁ ତିରିଶ ସେକେଣ୍ଡରୁ ଅଧିକ ସମୟ ଛକରେ ରହିବାକୁ ଥିଲେ ଷ୍ଟାର୍ଟ ବନ୍ଦ କରିଦେବା ଭଲ । ୨) ଗାଡ଼ିକୁ ତ୍ୱରାନ୍ୱିତ କରିବା ସମୟରେ (ଆକ୍ସିଲରେଟ୍) । ୩) ଗାଡ଼ିଟିର ବେଗ ବାରମ୍ବାର ପରିବର୍ତ୍ତନ କରାଇଲେ, ଯାହା ଗହଳି ଓ ଖାଲଢିପ ରାସ୍ତାରେ ଅଧିକ ହୋଇଥାଏ । ୪) ଗାଡ଼ିର ଦ୍ରୁତବେଗ ଓ ଏଥିରେ ମାତ୍ରାଧିକ ଓଜନ ବହନ କରିବା ଦ୍ୱାରା, ୫) ଗାଡ଼ିର ରକ୍ଷଣାବେକ୍ଷଣ ନଥିଲେ ଏଥିରୁ ଅଦଗ୍ଧ ଇନ୍ଧନ ଲିକ୍ ହୁଏ । ଚକାରେ ଚାପ କମ୍ ଥିଲେ ଅଧିକ ଘର୍ଷଣ ଯୋଗୁଁ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ । ଗାଡ଼ିଟି ଷ୍ଟାର୍ଟରେ କେବଳ ରହିଲେ ବା ଧୀରେ ଗଲେ କିମ୍ବା ବେଗ ବାରମ୍ବାର ପରିବର୍ତ୍ତନ କଲେ ଇନ୍ଧନର ଅସମ୍ପୂର୍ଣ୍ଣ ଦହନ ହୁଏ । କାରଣ ସବୁ ଇନ୍ଧନ ସ୍ୱଦହନ ତାପମାତ୍ରାରେ ପହଞ୍ଚି ପାରେନାହିଁ । ତେଣୁ ଗାଡ଼ି ଯେତେବେଳେ ଏକ ସ୍ଥିର ବେଗରେ ଗତିକରେ ଇନ୍ଧନ ଖର୍ଚ୍ଚ ଓ ପ୍ରଦୂଷଣ କମ୍ ହୁଏ । କିନ୍ତୁ ଏହା ଆମ ଦେଶ ଭଳି ଜନଗହଳି ଓ ବିନା ରକ୍ଷଣାବେକ୍ଷଣ ସଡ଼କରେ କ’ଣ ସମ୍ଭବ! ଗାଡ଼ିରେ ଅଧିକ ଓଜନ ବହନ କଲାବେଳେ ଅଧିକ ଇନ୍ଧନ ଇଞ୍ଜିନ ମଧ୍ୟକୁ ଆସେ । କିନ୍ତୁ ଆବଶ୍ୟକୀୟ ଅମ୍ଳଜାନ ବା ବାୟୁ ଅଭାବରୁ ଦହନ ଅସମ୍ପୂର୍ଣ୍ଣ ହୁଏ, ଯାହା ଗାଡ଼ିରୁ ନିର୍ଗତ ଧୂଆଁରୁ ସ୍ପଷ୍ଟ ଜାଣିହୁଏ । ସେହିଭଳି ଗାଡ଼ି ଦ୍ରୁତବେଗରେ ଗଲେ, ଇଞ୍ଜିନ ମଧ୍ୟକୁ ଅଧିକ ଇନ୍ଧନ ପ୍ରବେଶ କରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଦହନ ପାଇଁ ଆବଶ୍ୟକୀୟ ସମୟ ପାଏନାହିଁ । ଦ୍ରୁତଗତିରେ ଗାଡ଼ି ଚଳାଇବା ହୋଇପାରେ ଚାଳକର ଦାୟିତ୍ୱହୀନ ମାନସିକତା ଅଥବା ବାଣିଜ୍ୟିକ ଲାଭ ଉଦ୍ଦେଶ୍ୟ ।
ବର୍ତ୍ତମାନ ଆଲୋଚନା କରିବା ମୋଟରଯାନର ସରକାରୀ ଅନୁମୋଦିତ ପ୍ରଦୂଷଣ ପ୍ରମାଣପତ୍ର ପ୍ରଦାନ କରିବାର ବ୍ୟବସ୍ଥା । ମୋଟରଯାନଟିଏ ଯେତେବେଳେ କାରଖାନାରୁ ରାସ୍ତାକୁ ଆସେ, ସେହି କମ୍ପାନୀ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ନିର୍ଗମନ ସର୍ତ୍ତ (ଭାରତ ଷ୍ଟେଜ୍-୬)କୁ ନିଶ୍ଚିତ କରିଥାଏ । ତେଣୁ ଅତିକମ୍ରେ ପାଞ୍ଚ ଛଅ ବର୍ଷଯାଏଁ ଏହା ନିଶ୍ଚିତ ଯେ, ଗାଡ଼ିର ନିମ୍ନମାନର ତିଆର ଯୋଗୁଁ ବର୍ଦ୍ଧିତ ପ୍ରଦୂଷଣ ହେବନାହିଁ । କାରଣ ଏହାଦ୍ୱାରା କମ୍ପାନୀଟି ବଦନାମ ହେବ ଯାହା ସେ ଚାହିଁବନାହିଁ । ପ୍ରତ୍ୟେକ ମୋଟରଯାନ ପାଇଁ ସରକାରଙ୍କ ଦ୍ୱାରା ପ୍ରଦୂଷଣ ମାତ୍ରା ସ୍ଥିର କରାଯାଇଛି ।
ଉଦାହରଣ ସ୍ୱରୂପ, ଗୋଟିଏ ଦୁଇଚକିଆ ଗାଡ଼ିର କାର୍ବନ ମନୋକ୍ସାଇଡ୍ ନିର୍ଗମନ ଅତି ବେଶିରେ ୦.୫ ପ୍ରତିଶତ ହୋଇପାରିବ । ଅର୍ଥାତ୍ ସରକାର ଗୋଟିଏ ଦୁଇଚକିଆ ଯାନ ରାସ୍ତାରେ ଚାଲିବାକୁ ଅନୁମତି ଦେବା ସହ ବାୟୁମଣ୍ଡଳରେ ୦.୫ ପ୍ରତିଶତ କାର୍ବନ ମନୋକ୍ସାଇଡ୍ ମିଶିବାକୁ ଅନୁମତି ଦେଉଛନ୍ତି । ସେହି ଅନୁସାରେ ହିସାବ କଲେ ମାସକୁ ଗୋଟିଏ ସହରରେ ଅତିକମ୍ରେ ପନ୍ଦର ହଜାର ଗାଡ଼ି ରାସ୍ତାରେ ଚାଲିବାର ଅନୁମତି ପାଉଛନ୍ତି ଓ ଆଇନତଃ କେତେ କାର୍ବନ ମନୋକ୍ସାଇଡ୍ ବାୟୁମଣ୍ଡଳରେ ମିଶୁଛି! କିନ୍ତୁ ଖୁବ୍ ନଗଣ୍ୟ କିଛି ଗାଡ଼ିର ଯଦିବା ଅଧିକ (୦.୦୧ ପ୍ରତିଶତ) ନିର୍ଗମନ ପାଇଁ ପ୍ରମାଣପତ୍ର ମିଳିନପାରେ । ପୁନଶ୍ଚ ଅସମ୍ପୂର୍ଣ୍ଣ ଇନ୍ଧନ ଦହନ ହେଲେ ଗାଡ଼ିର ଇନ୍ଧନ ଖର୍ଚ୍ଚ ବଢ଼ିଯାଏ (ଇନ୍ଧନ ଲିଟର ପିଛା ମାଇଲେଜ୍ କମିଯାଏ), ଯାହା ଏକ ସାଧାରଣ ଗାଡ଼ିଚାଳକ ଚାହେଁନାହିଁ । ତେଣୁ ସେ ନିଶ୍ଚିତ ଏ ଦିଗରେ ଉଚିତ୍ ପଦକ୍ଷେପ ନେଇଥାଏ । ସାଧାରଣ ପରିବହନ କ୍ଷେତ୍ରରେ ଏହା କହିବା କଷ୍ଟ । ଅଙ୍ଗାରକାମ୍ଳ ଓ ଜଳୀୟବାଷ୍ପର ହିସାବ ତ କାହା ପାଖରେ ନାହିଁ, ଯାହା ଏକ ସୁସ୍ଥ ଗାଡ଼ିର ନିର୍ଗମନ । ଯେତିକି ଇନ୍ଧନ ଖର୍ଚ୍ଚ ହେବ, ସେତିକି ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବ । ତା’ ସହିତ ଗାଡ଼ିଗୁଡ଼ିକ ସୁରୁଖୁରୁରେ ଚାଲିବା ପାଇଁ ରାସ୍ତା ପ୍ରଶସ୍ତୀକରଣରେ ଅନେକ ଗଛ କାଟି ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ହ୍ରାସ କରିବାର ଏକମାତ୍ର ପନ୍ଥାକୁ ବନ୍ଦ କରିଦିଆଯାଉଛି । ଗାଡ଼ି ତିଆରି ପାଇଁ କଞ୍ଚାମାଲର ପ୍ରକ୍ରିୟାକରଣ ଓ ଗାଡ଼ି ପ୍ରସ୍ତୁତ ହେଉଥିବା କାରଖାନାରୁ ନିର୍ଗତ ପ୍ରଦୂଷଣକାରୀ ଗ୍ୟାସ୍! ଏସବୁ କ’ଣ କମ୍! ସର୍ବୋପରି ବାୟୁପ୍ରଦୂଷଣ ମୋଟରଯାନ କରେନି ।
ଚାଳକର ଗାଡ଼ି ଚଳେଇବାର ରୀତି ଓ ଢଙ୍ଗ ଏବଂ କ୍ରମବର୍ଦ୍ଧିଷ୍ଣୁ ଗାଡ଼ି ସଂଖ୍ୟାର ବହୁଳ ବ୍ୟବହାର ଏହାର ମୁଖ୍ୟ କାରଣ । ତେଣୁ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଅପେକ୍ଷା ଚାଳକର ମନୋବିଜ୍ଞାନ ଓ ଉତ୍ତମ ରାସ୍ତାର ପ୍ରମାଣପତ୍ରର ଆବଶ୍ୟକତା ଅଧିକ । ତା’ ସହିତ ସରକାରଙ୍କର ଅଧିକ ଶିଳ୍ପାୟନ ନୀତି, ଅଧିକ ଗାଡ଼ି ବିକ୍ରିପାଇଁ ପ୍ରୋତ୍ସାହନ ବାୟୁପ୍ରଦୂଷଣ ନିଶ୍ଚିତ ବଢ଼ାଇବ । ତେଣୁ ସରକାରଙ୍କର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣାଧୀନ କରିବାର ବ୍ୟସ୍ତତା ଦେଖିଲେ ଓଡ଼ିଆର ଗୋଟିଏ ଢଗ ମନେପଡ଼େ- ଏଣେ ପୁଅ ମୁଣ୍ଡକୁ ଲୋଭ, ତେଣେ ତେଲ ଘଡ଼ିକୁ ଲୋଭ । ତେବେ ଭାରତ ସରକାରଙ୍କ ସ୍ୱଚ୍ଛ ଅଭିଯାନ କେବଳ ସ୍ଥଳଭାଗରେ ସୀମିତ ନରହି ଏହାର ପରିସର ଜଳ ଓ ଆକାଶମାର୍ଗ ଯାଏଁ ବୃଦ୍ଧି କରାଗଲେ ଏହି ଦିଗରେ କିଛି ସୁଫଳ ମିଳିପାରନ୍ତା ।