ଚନ୍ଦାହାଣ୍ଡି୩୦/୫: ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ଗ୍ରାମର ହରିଶଙ୍କର ନାୟକଙ୍କ ଜୀବନ ଏକ ଅସହାୟ ସଂଘର୍ଷରେ ପରିଣତ ହୋଇଛି। ୨୦୧୭ ମସିହାରେ ଗୁରୁତର ଭିନ୍ନକ୍ଷମତାର ଶିକାର ହୋଇଥିବା ହରିଶଙ୍କର ହାତ, ଗୋଡ଼ ଓ ମେରୁଦଣ୍ଡ ବଙ୍କା ହୋଇଯାଇଛି, ଯାହା ତାଙ୍କୁ ସ୍ୱାଧୀନ ଭାବେ ଜୀବନଯାପନ କରିବାରୁ ବଞ୍ଚିତ କରିଛି।କେବଳ ଦେଖିବା, ଶୁଣିବା ଓ କହିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିବାରେ ସେ ଅକ୍ଷମ। ତାଙ୍କ ଦୈନନ୍ଦିନ ଜୀବନ ପାଇଁ ତାଙ୍କ ମାଆଁ ସର୍ବଦା ତାଙ୍କ ପାଖରେ ରହି ଦେଖାଶୁଣା କରୁଛନ୍ତି, ଯାହା ପରିବାର ଉପରେ ଅତିରିକ୍ତ ଆର୍ଥିକ ଓ ମାନସିକ ଚାପ ସୃଷ୍ଟି କରିଛି।
ହରିଶଙ୍କରଙ୍କ ବାପା ଭକଚନ ନାୟକ ତାଙ୍କୁ ସମସ୍ତ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ, କିନ୍ତୁ କୌଣସି ଉନ୍ନତି ହୋଇ ନଥିଲା। ୨୦୧୭ରେ ସରକାରୀ ଡାକ୍ତରଙ୍କ ଦ୍ୱାରା ହରିଶଙ୍କରଙ୍କୁ ୬୦% ଭିନ୍ନକ୍ଷମତା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଯାହାକୁ ପର୍ମାନେଣ୍ଟ ଘୋଷଣା କରାଯାଇଥିଲା। କିନ୍ତୁ ପରିବାରର ଦାବି ଅନୁଯାୟୀ, ହରିଶଙ୍କର ଅବସ୍ଥା ୬୦% ରୁ ଅଧିକ ଭିନ୍ନକ୍ଷମ ତା ସତ୍ବେ ତାଙ୍କୁ କେବଳ ୬୦% ର ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଛି। କମ୍ ପରିମାଣର ଭିନ୍ନକ୍ଷମତା ପ୍ରମାଣ ପତ୍ର ମିଳିଥିବାରୁ ଅଧିକ ପରିମାଣର ସରକାରୀ ଯୋଜନା ଓ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଇଛନ୍ତି। ଅନ୍ୟ ପକ୍ଷରେ ଗରିବ ପରିବାର ବାପା ମାଁ ତାଙ୍କ ପରେ ଦିବ୍ୟାଙ୍ଗ ପୁଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି। ତେଣୁ ପୁନର୍ବାର ହରିଶଙ୍କରଙ୍କ ଦିବ୍ୟାଙ୍କ ପ୍ରମାଣ ପତ୍ର ସମିକ୍ଷା କରିବାକୁ ପରିବାର ଦାବି କରିଛନ୍ତି। ଚାରି ଜଣିଆ ପରିବାରର ଏକମାତ୍ର ଉପାର୍ଜନକାରୀ ଭକଚନ ଚାଷ କରି ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ପକ୍ଷରୁ ମାସିକ ୧୨୦୦ ଟଙ୍କାର ଭତ୍ତା ତାଙ୍କ ଚିକିତ୍ସା ଓ ଜୀବନଯାପନ ଖର୍ଚ୍ଚ ପାଇଁ ଅପର୍ଯ୍ୟାପ୍ତ। ଏହି ସ୍ଥିତିରେ ପରିବାରର ଆର୍ଥିକ ଓ ମାନସିକ ସ୍ଥିତି ଅତ୍ୟନ୍ତ ଦୟନୀୟ।

ଭକଚନ ନାୟକ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଯେ, ହରିଶଙ୍କର ଅବସ୍ଥାର ପୁନର୍ମୂଲ୍ୟାଙ୍କନ କରାଯାଇ ଏକ ସଠିକ୍ ଭିନ୍ନକ୍ଷମତା ସାର୍ଟିଫିକେଟ ପ୍ରଦାନ କରାଯାଉ। ଏହା ସହିତ ଅଧିକ ଆର୍ଥିକ ସହାୟତା, ଚିକିତ୍ସା ସୁବିଧା ଓ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବା ପାଇଁ ସେ ଦାବି କରିଛନ୍ତି। ଏହି ପରିବାରର ଏକମାତ୍ର ଆଶା ହେଉଛି ସରକାରୀ ହସ୍ତକ୍ଷେପ, ଯାହା ହରିଶଙ୍କରଙ୍କ ଜୀବନକୁ କିଛି ପରିମାଣରେ ସହଜ କରି ପାରିବ। ଚନ୍ଦା ହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡଃ ମନିଷ ପୁରୋହିତକୁ ପଚାରିବାରୁ ଆମ ଦ୍ୱାରା ଯେତେ ସମ୍ଭବ ହେବ ଆମେ ସହଯୋଗ କରିବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।