ନୂଆଦିଲ୍ଲୀ, ୩୧।୧୨: ଡିଜିଟାଲ ପେମେଣ୍ଟର ବର୍ଦ୍ଧିତ ଲୋକପ୍ରିୟତା ଯୋଗୁଁ ଏବେ ଏଟିଏମ୍ ବ୍ୟବହାର ବଡ଼ ଆକାରରେ କମିଯାଇଛି । ଫଳରେ ଅଟୋମେଟେଡ୍ ଟେଲର ମେଶନ୍ ସଂଖ୍ୟା ସଂକୁଚିତ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ‘ଟ୍ରେଣ୍ଡ୍ ଆଣ୍ଡ୍ ପ୍ରୋଗ୍ରେସ ଅଫ୍ ବ୍ୟାଙ୍କିଙ୍ଗ୍ ଇନ୍ ଇଣ୍ଡିଆ’ ରିପୋର୍ଟ ମୁତାବକ ୨୦୨୪-୨୫ରେ ଦେଶରେ ମୋଟ ଏଟିଏମ୍ ସଂଖ୍ୟା ୨,୩୬୦ ୟୁନିଟ୍ ହ୍ରାସ ପାଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ମୋଟ ଏଟିଏମ୍ ସଂଖ୍ୟା ୨,୫୧,୦୫୭ ରହିଛି, ଯାହାକି ୨୦୨୪ ମାର୍ଚ୍ଚରେ ୨,୫୩,୪୧୭ ଥିଲା । ଆର୍ବିଆଇ ମୁତାବକ, ଗ୍ରାହକ ଦୈନିକ ଟ୍ରାଞ୍ଜାକ୍ସନ ପାଇଁ ନଗଦ ଉଠାଣ ପରିବର୍ତ୍ତେ ଡିଜିଟାଲ ଚ୍ୟାନେଲଗୁଡ଼ିକର ଅଧିକ ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ଏଟିଏମ୍ର ଆବଶ୍ୟକତା ହ୍ରାସ ପାଇଛି । ଏଟିଏମ୍ ବନ୍ଦ କରିବାରେ ଘରୋଇ ବ୍ୟାଙ୍କଗୁଡ଼ିକ ସବୁଠୁ ଆଗରେ ଅଛନ୍ତି । ଏମାନଙ୍କ ଏଟିଏମ୍ ସଂଖ୍ୟା ୭୯,୮୮୪ରୁ କମି ୭୭,୧୧୭ ହୋଇଛି, ଯାହା ସବୁଠାରୁ ଦ୍ରୁତ ହ୍ରାସ ।
ସେହିଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ନେଟ୍ ୱର୍କ ଏବେ ବି ସବୁଠୁ ବଡ଼ ରହିଛି । ତଥାପି ଏଟିଏମ୍ ସଂଖ୍ୟା ଏମାନଙ୍କର ବି ହ୍ରାସ ପାଇଛି । ଏହା ୧,୩୪,୬୯୪ରୁ ହ୍ରାସ ପାଇ ୧,୩୩,୫୪୪ ହୋଇଛି । ଆର୍ବିଆଇ ଅନୁସାରେ, ରାଷ୍ଟ୍ରାୟତ୍ତ ଏବଂ ଘରୋଇ ଉଭୟ ବ୍ୟାଙ୍କ ସହରରେ ଥିବା ନିଜର ଅଫ୍-ସାଇଟ୍ ଏଟିଏମ୍(ଯାହାକି ବ୍ୟାଙ୍କ ଶାଖାଠାରୁ ଦୂରରେ ଥାଏ)ଗୁଡ଼ିକୁ ବନ୍ଦ କରିଦେଇଛନ୍ତି । ଯେଉଁଠି ବ୍ୟାଙ୍କ-ଓନ୍ଡ ଏଟିଏମ୍ ସଂଖ୍ୟା କମ୍ ହୋଇଛି, ସ୍ୱତନ୍ତ୍ର ରୂପେ ସଞ୍ଚାଳିତ ହେଉଥିବା ହ୍ୱାଇଟ୍-ଲେବଲ୍ ଏଟିଏମ୍ ସଂଖ୍ୟାରେ ବୃଦ୍ଧି ଘଟିଛି । ଏହା ୩୪,୬୦୨ରୁ ବଢ଼ି ୩୬,୨୧୬ ହୋଇଛି । ଏଟିଏମ୍ କମ୍ ହେବା ସତ୍ତ୍ୱେ ବ୍ୟାଙ୍କଗୁଡ଼ିକର ମୋଟ ଶାଖା ବୃଦ୍ଧି ପାଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ମୋଟ ଶାଖା ସଂଖ୍ୟା ୧.୬୪ ଲକ୍ଷ ହୋଇଛି, ଯାହା ଗତବର୍ଷ ତୁଳନାରେ ୨.୮% ଅଧିକ । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏ କ୍ଷେତ୍ରରେ ଆଗରେ ଅଛନ୍ତି । ନୂଆ ଶାଖା ଖୋଲିବାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅଂଶ ବଢ଼ିଛି । ଅନ୍ୟପକ୍ଷରେ, ଘରୋଇ ବ୍ୟାଙ୍କଗୁଡ଼ିକର ଅଂଶ ପୂର୍ବ ବର୍ଷର ୬୭.୩%ରୁ କମି ୫୧.୮% ହୋଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିଜର ଦୁଇ ତୃତୀୟାଂଶରୁ ଅଧିକ ଶାଖା ଗ୍ରାମୀଣ ଏବଂ ସହରାଞ୍ଚଳ କ୍ଷେତ୍ରରେ ଖୋଲିଛନ୍ତି । ଏହାର ବିପରୀତ ଘରୋଇ ବ୍ୟାଙ୍କଗୁଡ଼ିକ ନିଜର ମାତ୍ର ୩୭.୫% ଶାଖା ହିଁ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ କ୍ଷେତ୍ରରେ ଖୋଲିଛନ୍ତି । ସେମାନେ ଏବେ ବି ମହାନଗର ଏବଂ ସହରାଞ୍ଚଳ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।