କଟକ, ୨୦/୦୧: ଚିଟ୍‌ଫଣ୍ଡ୍ ଅଭିଯୋଗରେ ଜେଲ୍ ଯିବା ପରେ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଥିବା ପ୍ରାକ୍ତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ପାଖାପାଖି ୧୦ ବର୍ଷ ହେବ ଖଇରିଆ ପୋଷାକ ପିନ୍ଧି ଆସୁଥିଲେ । ରବିବାର ହଠାତ୍ ପ୍ରଭାତଙ୍କ ପୋଷାକ ବଦଳି ଯାଇଛି । ଖଇରିଆ ବଦଳାଇ ପୁଣି ଧଳା ପୋଷାକ ପିନ୍ଧିଛନ୍ତି ସେ । ଖଇରିଆ ରଙ୍ଗର ପୋଷାକ କ’ଣ ପାଇଁ ପିନ୍ଧୁଥିଲେ ସେ କଥା ସ୍ପଷ୍ଟ କରିଥିବା ବେଳେ ପୋଷାକ ରଙ୍ଗ ପୁଣି ଧଳା ହେବା ପ୍ରସଙ୍ଗରେ ବେଶ୍ ମାପିଚୁପି ଉତ୍ତର ଦେଇଛନ୍ତି ପ୍ରଭାତ । ତାଙ୍କ କଥାବାର୍ତ୍ତାରୁ ଯାହା ଜଣାପଡ଼ିଛି, ପ୍ରଭାତ ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବାକୁ ମନ ସ୍ଥିର କରୁଛନ୍ତି । ବିଜେଡିରୁ ଦୂରେଇ ଯାଇଥିବା ପ୍ରଭାତ ଆଗକୁ ଅନ୍ୟ କୌଣସି ରାଜନୈତିକ ଦଳର ଆସ୍ଥା ଓ ବିଶ୍ୱାସକୁ ନେଇ ପ୍ରତ୍ୟକ୍ଷ ରାଜନୀତି କରିବେ ବୋଲି ଆଭାସ ମିଳିଛି ।

ଗତ କିଛି ଦିନ ଧରି ପ୍ରଭାତ ଓଡ଼ିଶା ବାହାରେ ଥିଲେ । ମା’ କାମାକ୍ଷା ଦେବୀଙ୍କ ଦର୍ଶନ ସାରି ଗତକାଲି ଫେରି ରବିବାର ଧଳା ପୋଷାକ ପିନ୍ଧି ଭୁବନେଶ୍ୱର ଯାଇ ସେଠାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠାରୁ କଟକ ଫେରିବା ପରେ ଓଏମ୍ପି ପାଖରେ ପ୍ରଭାତଙ୍କ ଚୌଦ୍ୱାର-କଟକ ଶିବିର ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବିଜେଡିର କିଛି କର୍ପୋରେଟର୍‌ଙ୍କୁ ଦେଖିବାକୁ ମିଳିଥିଲା । ପ୍ରଭାତଙ୍କ ସହ ଏକାଠି ରହି ଏମାନେ ବିଜେଡି ନେତାଙ୍କୁ ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ଯେ, ସେମାନେ ବିଜେଡି ନୁହନ୍ତି ବରଂ ନିଜ ନେତାଙ୍କ ସହ ରାଜନୀତିରେ ଆଗକୁ ବଢୁଛନ୍ତି । କର୍ପୋରେଟର୍ଙ୍କ ସହ କିଛି ୱାର୍ଡ ସ୍ତରୀୟ ନେତାଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ପ୍ରଭାତ କହିଛନ୍ତି, ‘ବିଜେଡିରେ ଥିବା କିଛି ଅସହିଷ୍ଣୁ ନେତାଙ୍କ ପାଇଁ ୧୦ ବର୍ଷରୁ ଅଧିକ ସମୟ ଧରି ଖଇରିଆ ପିନ୍ଧିଥିଲି । ମୁଁ ସତ୍ୟର ସହ ରହିଥିବାରୁ ବିଳମ୍ବରେ ହେଉ ପଛେ ସେମାନେ ଶାସ୍ତି ପାଇଛନ୍ତି । ସତ୍ୟର ଜୟ ହୋଇଥିବାରୁ ମୁଁ ପୁଣି ଧଳା ପୋଷାକ ପିନ୍ଧିଲି । ପରିବର୍ତ୍ତନର ଚିନ୍ତାଧାରା ନେଇ ଆଗକୁ ବଢ଼ିବି ।’ ପୁଣି ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନରେ ପ୍ରଭାତ ଉତ୍ତର ଦେଇଛନ୍ତି, ଧଳା ପୋଷାକ ନୂତନ ଦିଗର ଆଶା । ନୂତନ ଚିନ୍ତାଧାରା ଭିତରେ କାର୍ଯ୍ୟକ୍ରମ କରିବା । ମୋ ଶୁଭେଚ୍ଛୁ ଓ ସମର୍ଥକ ମାନେ ଯାହା ଚାହିବେ ସେୟା ହେବ । ତେବେ ପରୋକ୍ଷରେ ସେ ଇଙ୍ଗିତ କରିଛନ୍ତି ଯେ, ସେ ପୁଣି ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବେ ।

ଅଧିକ ପଢ଼ନ୍ତୁ :-  ମଙ୍ଗଳବାର ୭୦ ଯୋଡ଼ିଙ୍କ ବିବାହ କରାଇବ ପ୍ରଶାସନ, କନ୍ୟାଙ୍କୁ ନେଇ ବର ଘରେ ଛାଡ଼ିବାକୁ ଏଜେନ୍ସି ନିଯୁକ୍ତ

ଯଦିଓ ଚିଟଫଣ୍ଡ୍ ବିବାଦରୁ ସେ ସମ୍ପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି, ତଥାପି ରାଜନୈତିକ ଅଭିଳାଷ ତାଙ୍କ ଭିତରେ ବାରି ହୋଇପଡ଼ିଛି । ଅନ୍ୟପକ୍ଷରେ ପୁଅ ସୌଭିକ ବିଶ୍ୱାଳ ଦୁଇ ଥର ବିଧାୟକ ହୋଇସାରିଛନ୍ତି । ଆଗକୁ ତାଙ୍କର ଲମ୍ବା ରାଜନୈତିକ ଭବିଷ୍ୟତ । ତେଣୁ ଆଗକୁ ପ୍ରଭାତ-ସୌଭିକଙ୍କ ରାଜନୈତିକ ଭବିଷ୍ୟତ କିପରି ନିର୍ଦ୍ଧାରିତ ହେବ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ବିଜେଡିରୁ ବହିଷ୍କାର ହେବା ପରେ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବା ପାଇଁ ପ୍ରଭାତଙ୍କ ପାଖରେ ଅବଶ୍ୟ ସୁଯୋଗ ରହିଛି । ବିଶେଷ କୌଣସି ପ୍ରତିବନ୍ଧକ ନାହିଁ । ଏଣୁ ପ୍ରଭାତ ଖୁବ୍ ଶୀଘ୍ର ଏ ଦିଗରେ କିଛି ନିଷ୍ପତ୍ତି ନେବେ ବୋଲି ଆଲୋଚନା ହେଉଛି ।