ଭୁବନେଶ୍ୱର,୦୭/୧୨: ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବରେ ‘ପ୍ରମେୟ’, ‘ନ୍ୟୁଜ୍-୭’ ଓ ‘ସୋଆ ପ୍ରାଚୀନ’ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଷ୍ଟଲ୍ ଉଦ୍ଘାଟିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଷ୍ଟଲ୍କୁ ଉଦ୍ଘାଟନ କରିଥିଲେ । ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପାଠକକୁ ବାନ୍ଧିରଖିବାର ପ୍ରୟାସକୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ସମୟରେ ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ଗ୍ରୁପ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ପ୍ରସାର ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ ଓ ଏଜିଏମ୍ ରମାକାନ୍ତ ମଲ୍ଲିକ ଉପସ୍ଥିତ ଥିଲେ ।
ଏହି ଅବସରରେ ସୋଆ ପ୍ରାଚୀନ ପକ୍ଷରୁ ପ୍ରକାଶିତ ‘ସାରୋଳଦାସ ମହାଭାରଥର ଆଦିପର୍ବ, ‘ଆଦିପର୍ବର ଗଦ୍ୟରୂପାନ୍ତର’, ‘ସଭାପର୍ବ,’ ‘ମଧ୍ୟପର୍ବ’ ଗ୍ରନ୍ଥ ସହ ‘ସାରୋଳଦାସ ମହାଭାରଥ ସଂପାଦନା ପ୍ରସ୍ତାବ’ ‘ପ୍ରାଚୀନ ଓଡ଼ିଆ ଅଭିଲେଖ’, ‘ଦୁଇ ଆଧ୍ୟାତ୍ମଯାତ୍ରୀଙ୍କ ଗାଥା-ମହିମା ଗୋସାଇଁ ଓ ଭୀମ ଭୋଇ’, ‘ଓଡ଼ିଆ ଭାଷାଚର୍ଚ୍ଚା’, ‘ଦଶପୋଈ’ ଭଳି ପୁସ୍ତକ ପ୍ରଦର୍ଶିତ ହୋଇଛି । ଆସନ୍ତା ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଷ୍ଟଲ୍ରେ ସ୍ୱତନ୍ତ୍ର କୁଇଜ୍ ପ୍ରତିଯୋଗିତା ଚାଲିବ । ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ମିଳିବ । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଜ୍ଞାପନ ବିଭାଗର ସନ୍ତୋଷ କୁମାର ସାହୁ, ପ୍ରସାର ବିଭାଗ ମ୍ୟାନେଜର ଚନ୍ଦ୍ରକାନ୍ତ ନନ୍ଦ, ଟିମ୍ ଲିଡର ପ୍ରିୟରଞ୍ଜନ ଜେନା, ସିଦ୍ଧାର୍ଥ ଜେନା, ସରୋଜ ସାହୁ, ସୌମ୍ୟରଞ୍ଜନ ମୁଦୁଲି, ପ୍ରମୋଦ ନାୟକ, ବିଜୟ ମହାରଣା ଏବଂ ଦେବାଶିଷ ଚିନାରାୟ ପ୍ରମୁଖ ଉପସ୍ଥିତ ଥିଲେ ।