କୋପେନହେଗେନ ହେଉଛି ଡେନମାର୍କର ସର୍ବବୃହତ ସହର ଓ ରାଜଧାନୀ । ୧୮୪୭ରେ ସେଠାରେ ପ୍ରତିଷ୍ଠିତ କାର୍ଲବର୍ଗ ମଦ କାରଖାନାର ସଂପ୍ରତି ଆଦାୟ ଅନୁସାରେ ବିଶ୍ୱର ଷଷ୍ଠ ସ୍ଥାନରେ ରହିଛି । ଏହି ବ୍ୟାବସାୟିକ ସଂସ୍ଥାର ଗୋଟିଏ ମହତ ଉଦ୍ଦେଶ୍ୟ ହେଉଛି, ବୈଜ୍ଞାନିକ ଗବେଷଣା ପାଇଁ ସହାୟତା । ୨୦୨୨ରେ ପ୍ରଫେସର ମୋର୍ଟେନ ମେଲଡାଲ ଜେ.ସି. ଜାକବସନଙ୍କ ଦ୍ୱାରା ସ୍ଥାପିତ ଉକ୍ତ ଗବେଷଣାଗାରରେ ପରୀକ୍ଷା କରି କ୍ଲିକ-କେମିଷ୍ଟ୍ରି ଉଦ୍ଭାବନ କରିଥିଲେ, ଯେଉଁ ପଦ୍ଧତି ଅଣୁମାନଙ୍କୁ ସଂଯୋଗ କରି ଔଷଧ ପ୍ରସ୍ତୁତ କରିବା ପାଇଁ ଉପଯୋଗୀ । ୧୮୭୫ରେ ଏହି ପରୀକ୍ଷାଗାରର ଶୁଭାରମ୍ଭ ପରେ ସେଠାରେ ମୁଖ୍ୟତଃ ବିଅର ଇତ୍ୟାଦି ମଦ ତିଆରି କରିବାକୁ ଉନ୍ନତ ପ୍ରକ୍ରିୟା ସମ୍ବନ୍ଧରେ ଗବେଷଣା କରାଯାଏ ।
ଏତଦ୍ ବ୍ୟତୀତ, ଏହା ଆନୁକୂଲ୍ୟରେ ପରିଚାଳିତ କାର୍ଲସବର୍ଗ ଫାଉଣ୍ଡେସନ ପ୍ରାକୃତିକ ବିଜ୍ଞାନ, ସାମାଜିକ ବିଜ୍ଞାନ, ମାନବୀୟ ବିଦ୍ୟାରେ ଗବେଷଣା ପାଇଁ ଅନୁଦାନ ପ୍ରଦାନ କରିଥାଏ । ତେବେ ୧୯୨୨ ମସିହାରେ ନିଲସ ବୋର୍ (୧୮୮୫-୧୯୬୨), ଜନ୍ମସ୍ଥାନ କୋପେନହେଗୋନ) ପଦାର୍ଥ ବିଜ୍ଞାନରେ ପାରମାଣବିକ ସଂରଚନା (ଆଟୋମିକ ଷ୍ଟ୍ରକଚର) ପାଇଁ ନୋବେଲ ପୁରସ୍କାର ପାଇଲେ । ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ଉକ୍ତ କମ୍ପାନୀ ଏକ ବିଚିତ୍ର ପନ୍ଥା କାର୍ଯ୍ୟକାରୀ କଲା । କାର୍ଲସବର୍ଗ ପ୍ରତିଷ୍ଠାନକୁ ଲାଗି ରହିଥିବା ଗୋଟିଏ ନିବାସ ନିଲସ ବୋର୍ଙ୍କୁ ଦାନ ଦେଲା । ଏହି ଗୃହରେ ବୋର୍ ୧୯୩୨ରୁ ତାଙ୍କ ତିରୋଧାନ ବର୍ଷ ୧୯୬୨ ପର୍ଯ୍ୟନ୍ତ ରହିଥିଲେ । ଏହି ଅବଧିରେ କମ୍ପାନୀ ତାଙ୍କୁ ମାଗଣାରେ ମନଇଚ୍ଛା ବିଅର ପିଇବା ପାଇଁ ସୁବିଧା ଦେଇଥିଲା । କେହି କେହି କହନ୍ତି ଯେ, ତାଙ୍କ ବାସସ୍ଥାନକୁ କମ୍ପାନୀ ଗୋଟିଏ ପାଇପ ସଂଯୋଗ କରିଥିଲା । ଯେଉଁଥିରୁ ସେ ଅବାରିତ ବିଅର ସଂଗ୍ରହ କରିପାରିବେ । ଅବଶ୍ୟ ଏହା ଗୁଜବ ବୋଲି କେହି କେହି କହନ୍ତି ।
କହିବା ବାହୁଲ୍ୟ ଯେ, ବୋର୍ ଯେତେବେଳେ ଉକ୍ତ ଗୃହରେ ପ୍ରଥମେ ପ୍ରବେଶ କଲେ, କମ୍ପାନୀର ଗୋଟିଏ ପ୍ରତିନିଧି ଦଳ ତାଙ୍କୁ କେତେ ପରିମାଣରେ ବିଅର ଦରକାର ବୋଲି ପଚାରିଥିଲେ । ସେ ସଂକ୍ଷେପରେ ବାରଟି ବୋଲି କହିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ବାରଟି ବୋତଲ । କିନ୍ତୁ ଯୋଗାଣକାରୀ ବାରଟି ମଦଭର୍ତ୍ତି କ୍ରେଟ (ଛୋଟ ହାଲୁକା ବାକ୍ସ) ଯୋଗାଇଲେ । ଉଲ୍ଲେଖନୀୟ ଯେ, ଉକ୍ତ ଫାଉଣ୍ଡେସନର ପ୍ରତିଷ୍ଠାତା ଜେ.ସି. ଜାକବସନ (୧୮୧୧- ୧୮୮୭) ‘ଭବିଷ୍ୟତର ମଣିଷ’ ଭାବେ ପରିଚିତ । ସେ ତାଙ୍କ ପରୀକ୍ଷାଗାରର ଗବେଷଣାଲବ୍ଧ ଜ୍ଞାନ ମାଗଣାରେ ପ୍ରସାରିତ କରୁଥିଲେ । ଏତଦ୍ ବ୍ୟତୀତ ଡେନମାର୍କର ବିଜ୍ଞାନ, କଳା ଓ ସଂସ୍କୃତିର ବିକାଶ ପାଇଁ ଅନୁଦାନ ଦେଉଥିଲେ । ତେଣୁ ବୋର୍ଙ୍କୁ ମୁକ୍ତହସ୍ତରେ ବିଭିନ୍ନ ସୁବିଧା ଓ ସୁଯୋଗ ଉପଲବ୍ଧ କରିବା ସ୍ୱତଃସିଦ୍ଧ । କିନ୍ତୁ ଏହି ପୃଷ୍ଠଭୂମିରେ ନିଜ କମ୍ପାନୀର ବିଅର ଯୋଗାଇବା ପ୍ରସଙ୍ଗରେ ସେ ସମାଲୋଚିତ ହୋଇଥିଲେ । ଏହାଦ୍ୱାରା ଜଣେ ବିଖ୍ୟାତ ବ୍ୟକ୍ତିକୁ ବିଜ୍ଞାପନ ସକାଶେ ବ୍ୟବହାର କରୁଛନ୍ତି ବୋଲି ତାଙ୍କପ୍ରତି ଦୋଷାରୋପ କରାଯାଇଥିଲା । ପୁଣି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ପାନୀୟର ଭୂମିକା ସର୍ବଦା ହିତକର ହୋଇନଥାଏ । ଅନେକ ବ୍ୟକ୍ତି ଧରିନିଅନ୍ତି ଯେ, ବିଅର ଏକ ନିରାପଦ ପାନୀୟ । ଆଲକହଲକୁ ଦୁଇଟି ଭାଗରେ ମୋଟାମୋଟି ଭାବେ ବିଭକ୍ତ କରାଯାଇପାରେ । ତାହା ହେଉଛି ବିଅର ଓ ସ୍ପିରିଟ । ବାର୍ଲି ପରି ଶସ୍ୟକୁ କିଣ୍ୱନ (ପଚାଇବା, ସଢ଼ାଇବା ଅର୍ଥାତ୍ ଫର୍ମେଣ୍ଟେସନ) ଦ୍ୱାରା ପ୍ରସ୍ତୁତ କରାଯାଏ । ସ୍ପିରିଟ ବା ଲିକରକୁ ମଦ ବୋଲି ଅଭିହିତ କରାଯାଏ । ଏହାର ପ୍ରସ୍ତୁତି ପାଇଁ ଉପରୋକ୍ତ କିଣ୍ୱନ ପରେ ପାତନ (ଡିଷ୍ଟିଲେସନ) କରାଯାଏ ।
ଅର୍ଥାତ୍, ବିଅର ବା ଏଥିର ଯବଗୁଣ୍ଡର ମଣ୍ଡ (ମାସ୍) ଉତ୍ତାପ ଦ୍ୱାରା ବାଷ୍ପରେ ପରିଣତ ହେବା ପରେ ଏହି ବାଷ୍ପକୁ ଥଣ୍ଡା କରାଯାଇ ଘନୀଭୂତ ବିଶୋଧିତ ତରଳ ପଦାର୍ଥ ଆହରଣ କରାଯାଏ । ବିଅର ପାଇଁ ଏବିଭି (ଆଲକହଲ ବାଇ-ଭଲ୍ୟୁମ) ସାଧାରଣତଃ ଶତକଡ଼ା ପାଞ୍ଚଭାଗ ରହିଥାଏ । କିନ୍ତୁ ସ୍ପିରିଟ ବା ମଦ କ୍ଷେତ୍ରରେ ଏହା ଅତ୍ୟଧିକ, ଯାହା ହାରାହାରି ଭାବେ ଶତକଡ଼ା ଚାଳିଶ । ଉଭୟ ପାନୀୟରେ ଇଥାନଲ ନାମକ ଏକ ତରଳ ପଦାର୍ଥ ବିଦ୍ୟମାନ । ଏହାର ଅନ୍ୟ ନାମ ହେଉଛି ଇଥାଇଲ ଆଲକହଲ । ଏହା ହେଉଛି ନିଶାକାରକ ବସ୍ତୁ, ଯାହାର ପ୍ରମୁଖ ଉତ୍ସ ହେଉଛି ଇଷ୍ଟ (ବାର୍ଲି ପରି ଶସ୍ୟର ଗଜାରୁ କିଣ୍ୱନ ଦ୍ୱାରା ପ୍ରାପ୍ତ ପଦାର୍ଥ) । ଆମ ଦେଶରେ କେତେକ ବିଅରର ବ୍ରାଣ୍ଡ ହେଉଛି– କିଙ୍ଗଫିସର, ହେୱାର୍ଡସ, ହଣ୍ଟରା³ ବିଭିନ୍ନ ସ୍ପିରିଟର ନାମ ହେଉଛି– ହ୍ୱିସ୍କି (ସ୍କଚ, ବୋର୍ବନ), ଭୋଡକା, ରମ୍, ଗିନ୍, ଟେକିଲା, ବ୍ରାନ୍ଦି ଇତ୍ୟାଦି । ବିଅରରେ ଭିଟାମିନ- ବି, ପ୍ରୋଟିନ ଓ ଶସ୍ୟରୁ ଜାତ ପୋଲିଫେନାଲ ରହିଥାଏ । କିନ୍ତୁ ସ୍ପିରିଟ ପୁଷ୍ଟିକର ଉପାଦାନ ବିହୀନ । ଆଲକୋହଲ ଭାଗ କମ୍ ଥିବାରୁ ବିଅର ଯୋଗୁଁ ନିଶା କମ୍ ଧରେ । ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ଏହା ନିରାପଦ ନୁହେଁ । ଲୋକେ ଅନେକ ସମୟରେ ମନକୁ ଚାପମୁକ୍ତ କରିବାକୁ, ମହାନନ୍ଦ, ଉଚ୍ଛ୍ୱସିତ ଅନୁଭୂତି ପାଇଁ ଏକାନ୍ତରେ ବିଅର ପିଇଥାନ୍ତି । ପୁଣି କେତେକଙ୍କ କ୍ଷେତ୍ରରେ ସାମାଜିକ ମିଳନ, ବୃତ୍ତିଗତ, ସମ୍ମିଳନୀ ଇତ୍ୟାଦି ପରିବେଶରେ ବିଅର ପାନ କରାଯାଏ । ଏଥିରେ ଯୋଗ ଦେଇଥିବା କେତେକ ବ୍ୟକ୍ତି ଅନିଚ୍ଛା ସତ୍ତେ୍ୱ ଅନୁରୂପ ହେବାକୁ ଏହା ଗ୍ରହଣ କରିଥାନ୍ତି । କିନ୍ତୁ ଡବ୍ଲ୍ୟୁ.ଏଚ.ଓ. ବ୍ୟକ୍ତ କରିଛି ଯେ, ଏଥିରୁ ଯାହା ଲାଭ ହୁଏ, ତଦପେକ୍ଷା ସମ୍ଭାବ୍ୟ କ୍ଷତି ଅତ୍ୟଧିକ ।
ବିଅରରେ ଥିବା ଇଥାନଲ ଯୋଗୁଁ ଡିଏନଏ, ଯକୃତ, ଗ୍ରୀବା, ମୁଖ ଗହ୍ୱର କ୍ଷତିଗ୍ରସ୍ତ ହୋଇ କର୍କଟର ସମ୍ଭାବନା ଦେଖାଦିଏ । ମାନସିକ ସ୍ତରରେ ଅବସାଦ, ଉଦ୍ବେଗ, ବିସ୍ମରଣ ଉଦ୍ଭବ ହୁଏ । ଭିଟାମିନ ଓ ମିନେରାଲ ପରି ପୁଷ୍ଟିକର ଉପାଦାନ ଶୋଷିତ ହୁଏ । ଏତଦ୍ ବ୍ୟତୀତ ଫେଟି ଲିଭର, ଯକୃତ ପ୍ରଦାନ, ଯକୃତ କୋଷର କ୍ଷୟ ରୋଗ (ସିରୋସିସ) ଆକ୍ରମଣ କରେ । କେହି କେହି ବିଅର ଓ ସ୍ପିରିଟ ମଧ୍ୟରେ ତୁଳନା କରିବାକୁ ଯାଇ ମତ ଦେଇଛନ୍ତି ଯେ, ୪୫ ମିଲିଲିଟର ଭୋଡକା, ୧୫୦ ମିଲିଲିଟର ସ୍ପିରିଟ (ମଦ), ଏବଂ ୩୫୫ ମିଲିଲିଟର ବିଅର ସମାନ ଭାବେ ନିଶାକାରକ । ଏହି ଦୃଷ୍ଟିରୁ ବିଅରଜନିତ କ୍ଷତି କମ୍ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବିଅରକୁ ଜଳ ପରି ବିନା ଶୋଚନାରେ ପିଆଯାଇପାରିବ । ଜାତିସଂଘ କର୍ତ୍ତୃକ ସତର୍କ ବାଣୀ ଅନୁଧ୍ୟେୟ । ପୁନଶ୍ଚ, ବୋର୍ଙ୍କ ଜୀବନୀ ପ୍ରତି ଦୃଷ୍ଟି ଦିଆଯାଉ । ସେ ୧୯୩୧ରେ ଯେଉଁ ପରମାଣୁ ମଡେଲ ପ୍ରବର୍ତ୍ତନ କଲେ, ଏହା କ୍ୱାଣ୍ଟମ ମେକାନିକ୍ସର ମୂଳଦୁଆକୁ ଦୃଢ଼ କଲା ।
ଏତଦ୍ ବ୍ୟତୀତ କମ୍ପଲିମେଣ୍ଟାରିଟି ନିୟମ ଓ ନ୍ୟୁକ୍ଲିୟର ଫିଜିକ୍ସର ଲିକ୍ୱିଡ ଡ୍ରପ ମଡେଲ ପ୍ରତି ତାଙ୍କ ଅବଦାନ ରହିଛି । କୋପେନହେଗାନରେ ସେ ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ ସ୍ଥାପନ କରିଥିଲେ । ତାଙ୍କୁ ଆଟୋମିକ ଫିଜିକ୍ସର ଜନକ ବୋଲି ମଧ୍ୟ କୁହାଯାଏ । ଏହା ଦର୍ଶାଏ ତାଙ୍କର ମାନସିକ ସକ୍ରିୟତା । ସେ ପରିବାର ପ୍ରତି ଅନୁରକ୍ତ ଥିଲେ । କ୍ୱାଣ୍ଟମ ମେକାନିକ୍ସ ସମ୍ବନ୍ଧିତ ଆଇନଷ୍ଟାଇନ ଓ ତାଙ୍କ ମଧ୍ୟରେ ବୌଦ୍ଧିକ ତର୍କ ଖୁବ୍ ଆଲୋଡ଼ନକାରୀ ହୋଇଥିଲା । ସର୍ବୋପରି ତାଙ୍କର ମୃତ୍ୟୁ ହୃଦ୍ଘାତରୁ ହୋଇଥିଲା, ସିରୋସିସରୁ ନୁହେଁ । ଏହି ପ୍ରକାରେ ବୋର୍ ବିଅରର କୁପ୍ରଭାବରୁ ନିଜକୁ ମୁକ୍ତ ରଖିଥିଲେ । ତେଣୁ ତାଙ୍କୁ ମଦ୍ୟପ ବୋଲି ଭୁଲ୍ରେ ମଧ୍ୟ କହିବା ସତ୍ୟର ଅପଳାପ । ଏହି ବିଚାରରୁ ପ୍ରତୀତ ହୁଏ ଯେ, ମଦ ସେଠାରେ ହାଜିର ହୋଇଯାଇଥିଲା, ଯାହାକି ଥିଲା ତା’ ପାଇଁ ଗୋଟିଏ ଅଜାଗା । ବାସ୍ତବିକ ମଦ ହେଉ ବା ବିଅର, ତାର ପ୍ରବେଶ ଯେକୌଣସି ବିଚିତ୍ର ଉପାୟରେ ହେଉନା କାହିଁକି, ସେଥିପ୍ରତି ସତର୍କତା ବିଧେୟ ।
ିଅରରେ ଭିଟାମିନ-ବି, ପ୍ରୋଟିନ ଓ ଶସ୍ୟରୁ ଜାତ ପୋଲିଫେନାଲ ରହିଥାଏ । କିନ୍ତୁ ସ୍ପିରିଟ ପୁଷ୍ଟିକର ଉପାଦାନ ବିହୀନ । ଆଲକୋହଲ ଭାଗ କମ୍ ଥିବାରୁ ବିଅର ଯୋଗୁଁ ନିଶା କମ୍ ଧରେ । ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ, ଏହା ନିରାପଦ ନୁହେଁ । ଲୋକେ ଅନେକ ସମୟରେ ମନକୁ ଚାପମୁକ୍ତ କରିବାକୁ, ମହାନନ୍ଦ, ଉଚ୍ଛ୍ୱସିତ ଅନୁଭୂତି ପାଇଁ ଏକାନ୍ତରେ ବିଅର ପିଇଥାନ୍ତି । ପୁଣି କେତେକଙ୍କ କ୍ଷେତ୍ରରେ ସାମାଜିକ ମିଳନ, ବୃତ୍ତିଗତ, ସମ୍ମିଳନୀ ଇତ୍ୟାଦି ପରିବେଶରେ ବିଅର ପାନ କରାଯାଏ ।