କଟକ ୦୫/୦୨: କର୍କଟ ବିରୋଧରେ ସଂଗ୍ରାମର ବାର୍ତ୍ତା ଦେବାକୁ ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ‘ବିଶାଳ ୱାକାଥନ୍ ବା ପଦଯାତ୍ରା’କୁ ନେଇ ବୁଧବାର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ବର୍ଗର ଲୋକେ ସାମିଲ୍ ହୋଇ ସଚେତନତା ବାଣ୍ଟିବା ପାଇଁ ଆଗେଇ ଆସିଥିଲେ । ଯାହା ଏକ ନିଆରା ଉଦାହରଣ ସୃଷ୍ଟି କରିଛି । କଟକ କ୍ଲବ୍ ଠାରେ ଆୟୋଜିତ ଏଇ କାର୍ଯ୍ୟକ୍ରମ ଗୋଟିଏ ଜାଗାରେ ସମସ୍ତଙ୍କୁ ଏକାଠି କରିଥିଲା । କର୍କଟ ଆକ୍ରାନ୍ତ ଥିଲେ, କର୍କଟକୁ ହରାଇଥିବା ଯୋଦ୍ଧା ବି ସାମିଲ୍ ହୋଇଥିଲେ । କେବଳ ସେତିକି ନୁହେଁ, ଆକ୍ରାନ୍ତଙ୍କୁ ଚିକିତ୍ସା କରି ସୁସ୍ଥ କରିଥିବା ଚିକିତ୍ସକ ଉପସ୍ଥିତ ଥିଲେ । ସେମାନଙ୍କୁ ସାବାସି ଦେବାକୁ, ସେମାନଙ୍କ ଯୁଦ୍ଧ ପାଇଁ ପିଠି ଥାପୁଡ଼ାଇଦେବାକୁ ସମସ୍ତେ ଏକାଠି ହୋଇଥିଲେ । ଏକାସ୍ୱରରେ କର୍କଟ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିଲେ । ଏ ଲଢ଼େଇ ଗୋଟିଏ ଦିନର ନ ଥିଲା । ବରଂ ସବୁଦିନ ପାଇଁ ଲଢ଼େଇ ଜାରି ରଖିବାକୁ ସମ୍ମିଳିତ ଆହ୍ୱାନ ଦିଆଯାଇଥିଲା ।

ଯୋଗନୃତ୍ୟରେ ସୁସ୍ଥତାର ବାର୍ତ୍ତା

ମଞ୍ଚରେ ଚମତ୍କାର ଅଙ୍ଗଭଙ୍ଗୀ । କେତେବେଳେ ଛୋଟ ପିଲାଙ୍କ ଗ୍ରୁପ୍ ତ ଆଉ କେତେବେଳେ ବଡ଼ ପିଲାମାନେ କରୁଥିଲେ ଯୋଗନୃତ୍ୟ । କେବଳ ତାହା ନୃତ୍ୟ ନ ଥିଲା ବରଂ ନିଜକୁ ସୁସ୍ଥ ରଖିବା ପାଇଁ ବାଣ୍ଟି ଦେଉଥିଲା ବାର୍ତ୍ତା । ମଞ୍ଚରେ ବାରବାଟୀ ଯୋଗ ଆସୋସିଏସନ୍‌ର ଯୋଗଗୁରୁ ଦେବାଶିଷ ହାଲଦାର୍ଙ୍କ ନେତୃତ୍ୱରେ କୁନି କୁନି ପିଲାମାନେ ପରିବେଷଣ କରିଥିଲେ ସୁନ୍ଦର ଯୋଗନୃତ୍ୟ । ପାଖାପାଖି ୨୦ରୁ ଅଧିକ ପିଲାମାନେ ମଞ୍ଚରେ ୧୦ରୁ ଅଧିକ ଗୀତ ସହ ଯୋଗନୃତ୍ୟ ମାଧ୍ୟମରେ ସୁସ୍ଥ ରହିବା ପାଇଁ ବାର୍ତ୍ତା ଦେଇଥିଲେ ।

ମାହୋଲ୍ ଜମାଇଲେ କ୍ରିଷ୍ଣା ଆଣ୍ଡ୍ ଟିମ୍

କଥା କଥାରେ ସମସ୍ତଙ୍କୁ ହସାଇଲେ । ପିଲାଙ୍କ ଠାରୁ ନେଇ ବୟସ୍କ, ସମସ୍ତେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଲେ । ଉତ୍ସବକୁ ଅଧିକ ରୋମାଞ୍ଚକର କରିଦେଇ ମାହୋଲ୍ ଜମାଇଥିଲେ ଲୋକପ୍ରିୟ କଳାକାର କ୍ରିଷ୍ଣା ପ୍ରିୟଦର୍ଶିନୀ ଓ ତାଙ୍କ ଟିମ୍ । କାର୍ଯ୍ୟକ୍ରମରେ ଅତିଥି ଭାବେ କ୍ରିଷ୍ଣାଙ୍କ ସମେତ ମହାପ୍ରସାଦ ରାଉତ, ଶିବାନୀ ଶୁଭଦର୍ଶିନୀ ରାଉତ ଓ ରାଜଶ୍ରୀ ଜେନା ଯୋଗଦେଇଥିଲେ । ହସ ମାଧ୍ୟମରେ ସୁସ୍ଥତାର ବାର୍ତ୍ତାର ବାଣ୍ଟିଥିଲେ । ତାଙ୍କ ସହ ଫଟୋ ଉଠାଇବାକୁ ସାଂଘାତିକ ଭିଡ଼ ଜମିଥିଲା । ଏହାସହ ସେମାନଙ୍କୁ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା

​​​​​​​

ଦସ୍ତଖତ ଅଭିଯାନରେ ସାମିଲ୍

ସୁସ୍ଥ ରହିବା ଓ ଦୀର୍ଘାୟୁ ହେବା, ତମାଖୁ ସେବନରୁ ଦୂରେଇ ରହିବା ଓ କର୍କଟକୁ ହରେଇବା । ଏଭଳି ଅନେକ କିଛି ଆହ୍ୱାନକୁ ପାଳନ କରିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ପାଇଁ ଆଜି ଆୟୋଜିତ ଦସ୍ତଖତ ଅଭିଯାନରେ ସମସ୍ତେ ସାମିଲ୍ ହୋଇଥିଲେ । ସାଧାରଣ ଲୋକଙ୍କ ଠାରୁ ନେଇ ବିଶିଷ୍ଟ ବ୍ୟକ୍ତିମାନେ ଦସ୍ତଖତ କରିବା ସହିତ ସୁନ୍ଦର ବାର୍ତ୍ତା ଲେଖିଥିଲେ ।

କାର୍ଟୁନ୍ ସହ ନାଚ, ସେଲ୍‌ଫି

କାର୍ଯ୍ୟକ୍ରମର ନିଆରା ଆକର୍ଷଣ ସାଜିଥିଲେ କାର୍ଟୁନ୍ ମାସ୍କର୍ଟ ପିନ୍ଧା ଗରିଲା ଓ ପାଣ୍ଡା । ଗୀତର ତାଳେ ତାଳେ ସମସ୍ତଙ୍କ ସହ ନାଚିଥିଲେ । ଏହାସହ ଉତ୍ସବରେ ସାମିଲ୍ ହୋଇଥିବା ଲୋକମାନେ ଏହି କାର୍ଟୁନ୍ ସହ ସେଲ୍‌ଫି ନେଇଥିଲେ । ଭିଡିଓ ଉତ୍ତୋଳନ କରିବା ସହିତ ଫଟୋ ଉଠାଇବାର ବେଶ୍ ଆସର ଜମିଥିଲା । ନାଚଗୀତ ଓ ହସଖୁସିରେ କ୍ଲବ୍ ପରିସର ଉଛୁଳି ପଡ଼ିଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଦୁଇ କାର୍ଟୁନ୍ ମୁଖ୍ୟ ଆକର୍ଷଣ ସାଜିଥିଲେ।

ସାନ୍ତାଳି ନୃତ୍ୟରେ ଝୁମିଲେ

ଅଖିଳ ଓଡ଼ିଶା ଆଦିବାସୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ନୃତ୍ୟଶିଳ୍ପୀମାନେ ସାନ୍ତାଳି ନୃତ୍ୟରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ନାଚିଥିଲେ ଆଉ ନଚାଇ ବି ଥିଲେ । ପ୍ରଥମେ ଆଦିବାସୀ ଓ ପରେ ଆଉ ଏକ ସମ୍ବଲପୁରୀ ଗୀତର ତାଳେ ତାଳେ ସମସ୍ତଙ୍କୁ ନଚାଇଥିଲେ । ମଞ୍ଚ ଉପରେ କଳାକାରମାନେ ନାଚିବା ସହିତ ମଞ୍ଚ ତଳେ ସମସ୍ତେ କାନ୍ଧରେ କାନ୍ଧ ମିଶାଇ ନାଚରେ ଝୁମିଥିଲେ । ପରିଷଦର ସଭାପତି ବୃନ୍ଦାବନ ଦାସ ଆଜାଦ୍ ଓ ସୋମାନଙ୍କର ଟ୍ରୁପ୍ କାର୍ଯ୍ୟକ୍ରମରେ ମନୋରଞ୍ଜନର ଖୋରାକ ଯୋଗାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: - କଏଦୀଙ୍କ ଆତ୍ମହତ୍ୟା ରୋକିବା ପାଇଁ ବିଶେଷ ପ୍ରୋଟୋକଲ , ବନ୍ଦୀଙ୍କ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟ୍ୟତାମୂଳକ

କର୍କଟ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଏନ୍‌ସିସି କ୍ୟାଡେଟ

କର୍କଟ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଆଜି ଆୟୋଜିତ ୱାକାଥନ୍ରେ ସାମିଲ୍ ହୋଇଥିଲେ ୪୦ ଜଣ ଏନ୍ସିସି କ୍ୟାଡେଟ୍ । ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ଚାଲିଥିଲେ ଓ ସେମାନଙ୍କ ସାହାସିକତାକୁ ସାଲ୍ୟୁଟ୍ କରିଥିଲେ । ଏହାସହ ହାତରେ ପ୍ଲାକାର୍ଡ ଧରି ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ । ପଦଯାତ୍ରାକୁ ଶୃଙ୍ଖଳିତ କରିବାକୁ ଏମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।

କର୍କଟ ବିରୁଦ୍ଧରେ ସଂଗ୍ରାମ ହେଉ..

ସୁବାସ ସିଂହ, ମେୟର, କଟକ

କର୍କଟ ରୋଗର କାରଣ ବିଷୟରେ ସମସ୍ତେ ଜାଣୁଛନ୍ତି । କିନ୍ତୁ ସଚେତନ ହେଉନାହାନ୍ତି । କର୍କଟ ରୋଗ ସୃଷ୍ଟିକାରୀ ଗୁଟ୍‌ଖା, ପାନ ମସଲା ଭଳି ଅନେକ ସାମଗ୍ରୀକୁ ସରକାର ବ୍ୟାନ୍ କରିଛନ୍ତି । କିନ୍ତୁ ଜନସଚେତନତା ନ ରହିଲେ ଯେତେ ଆଇନକାନୁନ୍ କଲେ କି ଏନ୍‌ଫୋର୍ସମେଣ୍ଟ୍ କରିଲେ ବି କିଛି ଲାଭ ନାହିଁ । ଲୋକଙ୍କ ସହଯୋଗିତା ନଥିଲେ ଅସମ୍ଭବ। ତେଣୁ ପ୍ରମେୟର ଏ ଉଦ୍ୟମ ନିଶ୍ଚିତ ଭାବେ ପ୍ରେରଣାଦାୟୀ ।

ଦୃଢ଼ ଇଚ୍ଛାଶକ୍ତି ରହିବା ଜରୁରି

ସୌଭିକ ବିଶ୍ୱାଳ, ବିଧାୟକ, ଚୌଦ୍ୱାର-କଟକ

ଜୀବନରେ ବହୁ ଘାତପ୍ରତିଘାତକୁ ସାମ୍ନା କରିବାକୁ ହୁଏ । ତେଣୁ ମନରେ ଦୃଢ଼ ଇଚ୍ଛାଶକ୍ତି ରହିବା ଦରକାର । କର୍କଟ ହରାଇବାକୁ ମଧ୍ୟ ମନୋବଳର ବହୁତ ଆବଶ୍ୟକତା ରହିଛି । ‘ପ୍ରମେୟ’ ତରଫରୁ ଏଭଳି ଉଦ୍ୟମ କରାଯାଇ ସଚେତନତା ସୃଷ୍ଟି କରାଯାଉଛି, ଯାହା ସମାଜକୁ ପ୍ରେରଣା ଦେଉଛି । କଟକ କ୍ଲବ୍‌ରୁ ଏହି ବାର୍ତ୍ତା ସାରା ଓଡ଼ିଶା ଓ ଭାରତବର୍ଷକୁ ଯାଉ ।

ମୋ ମା’ ଓ ଭିଣୋଇଙ୍କୁ ମୁଁ ହରାଇଛି

ଇଂ. ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ

କର୍କଟ ମାରାତ୍ମକ । ଏଥିରେ ମୁଁ ମଧ୍ୟ ପ୍ରିୟଜନଙ୍କୁ ହରାଇଛି । ମୋ ମା’ ଓ ଭିଣୋଇ କର୍କଟର ଶିକାର ହୋଇଥିଲେ । ବୟସ୍କ ହେବା ସତ୍ତେ୍ୱ ମଧ୍ୟ ତାଙ୍କୁ ଏ ରୋଗ ଗ୍ରାସ କରିଥିଲା । ବହୁ ଉଦ୍ୟମ, ଚିକିତ୍ସା ପରେ ମଧ୍ୟ ସେମାନଙ୍କୁ ଆମେ ବଞ୍ଚାଇପାରିଲୁନି । ତେଣୁ କର୍କଟ ନିରାକରଣ ଦିଗରେ ସଚେତନତା ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମ ହେବା ଦରକାର । ବିଶେଷକରି କଲେଜ ଓ ସ୍କୁଲ୍ ସ୍ତରରୁ ସଚେତନ କରାଯିବାର ଆବଶ୍ୟକତା ରହିଛି ।

ଜୀବନଶୈଳୀ ବଦଳାଇବା ଉଚିତ

ଖିଲାରୀ ଋଷିକେଶ ଦ୍ୟାନଦେଓ, ଡିସିପି,କଟକ

କର୍କଟ ରୋଗ ଏବେ ସମସ୍ତଙ୍କ ପାଇଁ ଚାଲେଞ୍ଜ୍ ସାବ୍ୟସ୍ତ ହୋଇଛି । ଖାଇବା, ପିଇବା ଠାରୁ ଆରମ୍ଭ କରି ଶୃଙ୍ଖଳିତ ଜୀବନଶୈଳୀରେ ନିୟନ୍ତ୍ରଣ ରହିଲେ ଏ ରୋଗ ଆମକୁ ସ୍ପର୍ଶ କରିପାରିବନାହିଁ । ଭଲ କଥା ଯେ, ସାମାଜିକ ଚିନ୍ତାଧାରାରେ ପରିବର୍ତ୍ତନ ଆସୁଛି । କର୍କଟ ଯୋଦ୍ଧା ମାନେ ସାମ୍ନାକୁ ଆସି କାରଣ ଓ ନିରାକରଣ ବିଷୟରେ ପ୍ରକାଶ କରୁଛନ୍ତି । ଯାହା ସମାଜରେ ଅନ୍ୟମାନଙ୍କୁ ସଚେତନ କରାଉଛି ।

ପ୍ରତି ୧୨ ଜଣରେ ଜଣେ ଆକ୍ରାନ୍ତ

ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍ ଏଡିଟର୍, ପ୍ରମେୟ-ନ୍ୟୁଜ୍ ୭

ଓଡ଼ିଶାରେ ପ୍ରତିବର୍ଷ ୫୫ ହଜାର କର୍କଟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେଥିରୁ ୩୩ ହଜାର ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ପ୍ରତି ୧୨ ଜଣରେ ଜଣେ କର୍କଟ ରୋଗୀ ଚିହ୍ନଟ ହେବା ଉଦ୍ବେଗଜନକ । କର୍କଟର କାରଣ ଓ ନିରାକରଣ ବାବଦରେ ଲୋକେ ବୁଝୁଥିଲେ ବି ଅଭ୍ୟାସରେ କିଛି ପରିବର୍ତ୍ତନ ଆସୁନାହିଁ । ତମାଖୁ, ଗୁଟ୍ଖା ଖାଉଛନ୍ତି, ପ୍ଲାଷ୍ଟିକ୍ ବ୍ୟବହାର କରୁଛନ୍ତି । ତେଣୁ ସମୟ ଥାଉ ଥାଉ ସଚେତନ ହେବା ଜରୁରି । ଯାହାଫଳରେ ଏ ରୋଗକୁ ସମାଜରୁ ଦୂରେଇ ରଖାଯାଇପାରିବ ।

କର୍କଟକୁ ହରାଇବା ଏକ ଆନ୍ଦୋଳନ

ସୁନୀଲ ଦାସ, ସିଇଓ, ପ୍ରମେୟ-ନ୍ୟୁଜ୍ ୭

କର୍କଟକୁ ହରାଇବା ଏକ ଆହ୍ୱାନ । ଏଥିରେ ଆମେ ସମସ୍ତେ ସାମିଲ ହେବା ଦରକାର । କର୍କଟକୁ ହରାଇବାକୁ ସାମାଜିକ ଆନ୍ଦୋଳନ ଜାରି ରହିଛି । ଏଥିରେ ପ୍ରମେୟ, ନ୍ୟୁଜ୍-୭ ନିଜ ଭୂମିକା ମଧ୍ୟ ନିର୍ବାହ କରିଛି । ଗଣମାଧ୍ୟମ ଭାବେ କେବଳ ଖବର ପ୍ରସାରଣ କରିବା ଆମର ଦାୟିତ୍ୱ ନୁହେଁ, ବରଂ ସାମାଜିକ ଆନ୍ଦୋଳନରେ ସାମିଲ୍ ହେବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ଆମ ଉଦ୍ଦେଶ୍ୟ ।

କର୍କଟ ଆକ୍ରାନ୍ତଙ୍କ ମନୋବଳକୁ ସମ୍ମାନ ଜଣାଇବାର

ହିମାଂଶୁ ହୋତା, ଗ୍ରୁପ୍ ଡାଇରେକ୍ଟର୍(ସେଲ୍ସ ଆଣ୍ଡ୍ ମାର୍କେଟିଂ), ପ୍ରମେୟ-ନ୍ୟୁଜ୍ ୭

ପ୍ରୟାସ କର୍କଟ ଆକ୍ରାନ୍ତଙ୍କ ମଧ୍ୟରେ ମନୋବଳର ଅଭାବ ରହିଥାଏ । ଯେଉଁମାନେ ଦଢ଼ ଇଚ୍ଛାଶକ୍ତି ରଖନ୍ତି ସେମାନେ ଏହାକୁ ହରାଇ ସମାଜର ମୁଖ୍ୟ ସ୍ରୋତକୁ ଫେରିପାରନ୍ତି । କର୍କଟ ଆକ୍ରାନ୍ତଙ୍କ ମନୋବଳକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରମେୟ, ନ୍ୟୁଜ୍- ୭ ଏଇ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହା କେବଳ ଆମ ଭିତରେ ସୀମିତ ନରହୁ । ଅନ୍ୟମାନେ ମଧ୍ୟ ପ୍ରେରଣା ପାଇ ସଚେତନତା ପାଇଁ ଆଗେଇ ଆସନ୍ତୁ ।