ଭୁବନେଶ୍ୱର,୦୪/୦୨: ରାଜ୍ୟର ସମସ୍ତ ବନ୍ଦୀଙ୍କ ନିୟମିତ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବାଧ୍ୟତାମୂଳକ ବୋଲି ଓଡ଼ିଶା ରାଜ୍ୟ ମାନବିକ ଅଧିକାର ଆୟୋଗ(ଓଏଚ୍ଆର୍ସି) । ଏଥିସହ ୬ ମାସ ମଧ୍ୟରେ ଖାଲି ପଡ଼ିଥିବା ସମସ୍ତ ମନୋଚିକିତ୍ସକ ପଦବି ପୂରଣ କରିବାକୁ, କଏଦୀଙ୍କ ଆତ୍ମହତ୍ୟା ରୋକିବା ପାଇଁ ବିଶେଷ ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବାକୁ ଏବଂ କାରାଗାର କର୍ମଚାରୀଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ନିୟମିତ ପ୍ରଶିକ୍ଷଣ ଦେବାକୁ ମଧ୍ୟ ଆଦେଶ ଦେଇଛନ୍ତି ।
ସେହିପରି କଏଦୀଙ୍କୁ ମାଗଣା ଆଇନ ସହାୟତା ଏବଂ ଅଣ୍ଡରଟ୍ରାଏଲ୍ ରିଭ୍ୟୁ କମିଟିକୁ ସୁଦୃଢ଼ କରିବା, ଖାଦ୍ୟ, ସ୍ୱଚ୍ଛତା ଓ ସାଧାରଣ କଲ୍ୟାଣ ଉପରେ ନିୟମିତ ନିରୀକ୍ଷଣ ସମେତ ଖୋଲା ଜେଲ୍, ପୁନର୍ବାସ ଓ ଥଇଥାନ କାର୍ଯ୍ୟକ୍ରମ ଆଦି ଦିଗରେ ସମୟୋଚିତ ବଡ଼ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି ଓଏଚ୍ଆର୍ସି । ଏନେଇ କାରାଗାର ଓ ସୁଧାର ସେବା ନିର୍ଦ୍ଦେଶାଳୟ(ଡିଜିପିସିଏସ୍)କୁ ଏହି ଆଦେଶ ପ୍ରାପ୍ତିରୁ ୩ ମାସ ମଧ୍ୟରେ କାର୍ଯ୍ୟାନ୍ୱୟନ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶର ଏକ ନକଲ ଗୃହ ବିଭାଗ ପ୍ରମୁଖ ସଚିବ ଏବଂ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ପ୍ରଦାନ ପାଇଁ ମଧ୍ୟ କୁହାଯାଇଛି । କମିଶନ ସ୍ପଷ୍ଟ କରିଛନ୍ତି, ବନ୍ଦୀଙ୍କ ମାନବାଧିକାର, ମର୍ଯ୍ୟାଦା ଓ ମାନସିକ ସ୍ୱ।।ସ୍ଥ୍ୟ ସୁରକ୍ଷା ରାଜ୍ୟର ଦାୟିତ୍ୱ ଅଟେ । ଜେଲରେ ଥିବା ବନ୍ଦୀଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ନିୟମିତ ପଦକ୍ଷେପ ସମ୍ପର୍କରେ ପ୍ରତି ୬ ମାସରେ ଜେଲ ବିଭାଗ ପକ୍ଷରୁ କମିଶନ୍ଙ୍କୁ ରିପୋର୍ଟ ଦାଖଲ ପାଇଁ ମଧ୍ୟ କୁହାଯାଇଛି ।
ଆହୁରି ପଢନ୍ତୁ-ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ଫେଲ୍ ! ଝାଡ଼ଖଣ୍ଡ, ଛତିଶଗଡ଼କୁ ପଛରେ ପକାଇ ଓଡ଼ିଶା ନମ୍ବର- ୧
ଗଣମାଧ୍ୟମରେ ବନ୍ଦୀଙ୍କ ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ଖବର ପ୍ରକାଶ ପାଇବା ପରେ ଏନେଇ ଓଏଚ୍ଆର୍ସି ନିଜ ଆଡ଼ୁ ମାମଲା ଗ୍ରହଣ କରିବା ସହ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍ଗୋ ଓ ବିଜୟ କୁମାର ପଣ୍ଡାଙ୍କ ପକ୍ଷରୁ ଆଗତ ଏକ ମାମଲାରେ ବନ୍ଦୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ଏନେଇ କାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା ଏବଂ ଅସ୍ୱାଭାବିକ ମୃତ୍ୟୁର ପ୍ରମୁଖ କାରଣଗୁଡ଼ିକ ସାମ୍ନାକୁ ଆସିଥିଲା । ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅଭାବ, ଅତ୍ୟଧିକ ଭିଡ଼ ଓ ବିଚରାଧୀନ ବନ୍ଦୀଙ୍କ ବିଳମ୍ବିତ ବିଚାର, ମାନସିକ ସ୍ୱାସ୍ଥ୍ୟ ଆଇନ, ୨୦୧୭ ଏବଂ ଓଡ଼ିଶା କାରାଗାର ନିୟମାବଳୀର ଉପଯୁକ୍ତ ଅନୁପାଳନର ଅଭାବ ଯୋଗୁ ବନ୍ଦୀଙ୍କ ‘ସମ୍ମାନର ସହ ବଞ୍ଚିବା’ ମୌଳିକ ଅଧିକାର କ୍ଷୂଣ୍ଣ ହେଉଛି । ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅଯଥା ପ୍ରତିକୂଳ ପ୍ରଭାବ ପକାଉଛି ବୋଲି କମିଶନ ମତ ପ୍ରକାଶ କରିଛନ୍ତି ।