କଟକ,୧୮/୧୨: ଆସନ୍ତା୨୦୨୬ ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ହାଇସ୍କୁଲ୍ ସାର୍ଟିଫିକେଟ୍ ବା ମାଟ୍ରିକ୍‌ ପରୀକ୍ଷା । ଏଥର ପରୀକ୍ଷାରେ ବସିବାକୁ ଯାଉଥିବା ପ୍ରାୟ ୫ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା-ପ୍ରସ୍ତୁତିକୁ ସହଜ ଓ ଶାଣିତ କରାଇବା ନିମନ୍ତେ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ‘ପ୍ରମେୟ ମାଟ୍ରିକ୍ ଗାଇଡ୍’ର ଦଶମ ସଂସ୍କରଣ । ଇତି ମଧ୍ୟରେ ମାଟ୍ରିକ୍ ପରୀକ୍ଷାର ଢାଞ୍ଚା, ପ୍ରଶ୍ନ ଶୈଳୀ ଓ ମୂଲ୍ୟାୟନ ପଦ୍ଧତି କେତେକାଂଶରେ ବଦଳିଥିବା ହେତୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ବଦଳି ବାଦରକାର ବୋଲି ଅନୁଭବ କରି ‘ପ୍ରମେୟ’ ଏଥର ନୂଆ ଧାରାରେ,ନୂଆ ରୂପରେ ଏହି ଗାଇଡ୍ ପ୍ରସ୍ତୁତ କରିଛି । ଦଶମ ବର୍ଷରେ ପହଞ୍ଚିଥିବା ଏହି ଗାଇଡ୍ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉପାଦେୟ ଓ ଉପଯୋଗୀ ହେବ ନିଶ୍ଚୟ । ଏଥିରେ ବିଷୟ ୱାରି ଆଦର୍ଶ ପ୍ରଶ୍ନୋତ୍ତର ସହ ସମ୍ଭାବ୍ୟ ନମୁନା ପ୍ରଶ୍ନ ଓ ପରୀକ୍ଷା ଟିପ୍ସ୍ ବା ସଫଳତାର ସ୍ୱର୍ଣ୍ଣ ସୂତ୍ରମାନ ରହିବ ।

ବିଗତ ୯ ବର୍ଷ ଧରି ଏହି ଗାଇଡ୍‌କୁ ସଯତ୍ନ ପ୍ରସ୍ତୁତ କରି ଆସୁଥିବା ଅଭିଜ୍ଞ ବିଷୟ-ବିଶାରଦ ଶିକ୍ଷକମାନେ ଏବେ ଏହି ‘କ୍ରାସ୍ କୋର୍ସ’ରେ ଶେଷ-ସ୍ପର୍ଶ ଦେଉଛନ୍ତି । ୨୦୧୬-୧୭ ଶିକ୍ଷାବର୍ଷରେ ରାଜ୍ୟରେ ସର୍ବ ପ୍ରଥମେ ଆରମ୍ଭ ହୋଇ ଇତିହାସ ସୃଷ୍ଟି କରିଥିବା ‘ପ୍ରମେୟ ମାଟ୍ରିକ୍ ଗାଇଡ୍’ ପୂର୍ବ ବର୍ଷମାନଙ୍କ ଭଳି ଏଥର ବି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କ ଆସ୍ଥା ଜିତିବାରେ ସବା ଆଗରେ ରହିବ ବୋଲି ବିଶ୍ୱାସ ।