ନୂଆଦିଲ୍ଲୀ,୧୯।୧୨: ସଂସଦରେ ଧକ୍କା ମାରାମରି ଘଟଣା ନେଇ ରାଜନୀତି ଖୁବ୍ ସରଗରମ୍। ଏହାକୁ ନେଇ ଓ୍ବାଇନାଡ  ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଇଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି, ଅମିତ ଶାହଙ୍କୁ ବଞ୍ଚାଇବା ପାଇଁ ଏହା ହେଉଛି ଷଡଯନ୍ତ୍ର। ଶାହଙ୍କ କଥାରେ ବିଜେପିର ପ୍ରକଢତ ଭାବନା ଜଣାପଡିଲା। ମୁଁ ବିଜେପି ସାଂସଦଙ୍କୁ ଚ୍ୟାଲେଞ୍ଜ କରୁଛି ଏଠାରେ ଠିଆ ହୋଇ ‘ଜୟ ଭୀମ’ କୁହନ୍ତୁ।

ପ୍ରିୟଙ୍କା କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ ପ୍ରଦର୍ଶନ କରୁଛୁ, କିନ୍ତୁ ଆଜି ପ୍ରଥମ ଥର ସେମାନେ(ବିଜେପି) ବିକ୍ଷୋଭ ପ୍ରଦର୍ଶନ କଲେ। ସେମାନେ ଆମକୁ ସଂସଦ ଯିବାକୁ ରୋକିଥିଲେ। ଏହାପରେ ଧକ୍କା-ମୁକ୍କା ଓ ଗୁଣ୍ଡାଗର୍ଦ୍ଦି କରିଥିଲେ। ଏବେ କେବଳ ଅମିତ ଶାହଙ୍କୁ ବଞ୍ଚାଇବାର ଷଡଯନ୍ତ୍ର ହେଉଛି। ରାହୁଲ କାହାକୁ ଧକ୍କା ମାରି ନାହାନ୍ତି। ମୋ ଆଖି ସାମନାରେ ମାଲିକାର୍ଜୁନ ଖଡଗେଙ୍କୁ ଧକା ମାରି ତଳେ ପକାଇ ଦେଲେ। ଏହାପରେ ସିପିଏମ୍ ସାଂସଦଙ୍କୁ ଧକ୍କା ମାରିଥିଲେ, ଯାହାଫଳରେ ସେ ଖଡଗେଙ୍କ ଉପରେ ପଡିଥିଲେ। ମୋତେ ଲାଗିଲା ତାଙ୍କର ଗୋଡ ଭାଙ୍ଗି ଯାଇଥିବ। ମୁହଁ ଦେଖି ଲାଗୁଥିଲା ତାଙ୍କୁ ଆଘାତ ଲାଗିଛି। ତା ପରେ ଆମେ ଚୌକି ଖୋଜିକି ଆଣି ତାଙ୍କୁ ବସାଇଥିଲୁ। 

ଉଲ୍ଲେଖନୀୟ ଯେ, ଗୁରୁବାର ସକାଳେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ ବେଳେ ବିଜେପିର ଦୁଇ ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଥିଲେ। ବିଜେପି ଅଭିଯୋଗ କରିଥିଲା ଯେ, ରାହୁଲ ଗାନ୍ଧୀ ଧକ୍କା ଦେବା କାରଣରୁ ଦୁଇ ସାଂସଦ ଆହତ ହୋଇଛନ୍ତି। ସେଭଳି କଂଗ୍ରେସ ଏହାକୁ ଖଣ୍ଡନ କରି ଓଲଟା ବିଜେପି ଉପରେ ଅଭିଯୋଗ କରିଛି ସେମାନେ ହିଁ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେଙ୍କୁ ଧକ୍କା ମାରିଥିଲେ। ଏହାପରେ ସେ ତ‌ଳେ ପଡିଯାଇଥିଲେ, ତାଙ୍କୁ ଆଘାତ ଲାଗିଛି।