ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶ ରାଜନୀତିରୁ ଆସିଛି ବଡ଼ ଖବର। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ନିଜ ପତ୍ନୀ ଓ ବିଜେପି ନେତ୍ରୀ ଅପର୍ଣ୍ଣା ଯାଦବଙ୍କଠାରୁ ଛାଡପତ୍ର ନେବାର ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଏହି ସୂଚନା ସାର୍ବଜନୀନ ହୋଇଛି।@iamprateekyadav ନାମକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ କରାଯାଇଥିବା ପୋଷ୍ଟରେ କୁହାଯାଇଛି ମୁଁ ଅପର୍ଣ୍ଣା ଯାଦବଙ୍କୁ ଖୁବ୍ ଶୀଘ୍ର ତଲାକ୍ ଦେବାକୁ ଯାଉଛି। ସେ ମୋ ପରିବାର ସହ ସମ୍ପର୍କ ଖରାପ କରିଦେଇଛନ୍ତି। ସେ କେବଳ ପ୍ରସିଦ୍ଧ ଓ ପ୍ରଭାବଶାଳୀ ହେବାକୁ ଚାହାଁନ୍ତି। ବର୍ତ୍ତମାନ ମୋର ମାନସିକ ସ୍ଥିତି ଖୁବ୍ ଖରାପ, କିନ୍ତୁ ତାଙ୍କୁ କୌଣସି କଥାର ଫରକ ପଡେନି। କାରଣ ତାଙ୍କୁ କେବଳ ନିଜର ଚିନ୍ତା ରହିଥଏ। ମୁଁ ତାଙ୍କ ସହିତ ବିବାହ କରିବା ମୋ ପାଇଁ ଦୁର୍ଭାଗ୍ୟ ଥିଲା।

ଉଲ୍ଲେଖନୀୟ ଯେ ମୁଲାୟମ ସିଂହ ଯାଦବ ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ଥିଲେ ମାଳତୀ ଦେବୀ, ଯିଏକି ଅଖିଳେଶ ଯାଦବ ମା।’ ଏହାପରେ ମାଳତୀ ଦେବୀଙ୍କ ମୃତ୍ୟୁ ୨୦୦୩ ରେ ହୋଇଥିଲା। ଅଖିଳେଶ ଯାଦବ ବର୍ତ୍ତମାନ ସମାଜବାଦୀ ପାର୍ଟିର ନେତୃତ୍ୱ ନେଉଛନ୍ତି। ମୁଲାୟମଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ସାଧନା ଯାଦବ। ପ୍ରତୀକ ଯାଦବ ସାଧନା ଯାଦବ ଏବଂ ମୁଲାୟମ ସିଂହ ଯାଦବଙ୍କ ପୁଅ। ମୁଲାୟମ ସିଂହ ଯାଦବ ତାଙ୍କ ଦୁଇଟି ବିବାହର ସତ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁପ୍ତ ରଖିଥିଲେ, ଯଦିଓ ସେ ଫେବୃଆରୀ ୨୦୦୭ ରେ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଏହାକୁ ସ୍ୱୀକାର କରିଥିଲେ।

ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ରାଜନୀତିର କେନ୍ଦ୍ରରେ ରହିଥିବାବେଳେ, ପ୍ରତୀକ ଯାଦବ ରାଜନୀତିରୁ ଦୂରତା ବଜାୟ ରଖନ୍ତି। ତେବେ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ରାଜନୀତିରେ ସକ୍ରିୟ ଭାବରେ ସାମିଲ ଅଛନ୍ତି। ଅପର୍ଣ୍ଣା ଯାଦବ ପୂର୍ବରୁ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ତଥାପି ୨୦୨୨ରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ବିଜେପି କର୍ମୀ ଭାବରେ ସକ୍ରିୟ ଅଛନ୍ତି। ଅନ୍ୟପକ୍ଷରେ, ପ୍ରତୀକ ଯାଦବ ସାଧାରଣତଃ ସାର୍ବଜନୀନ ମଞ୍ଚଠାରୁ ଦୂରେଇ ରୁହନ୍ତି।