ଭୁବନେଶ୍ୱର, ୨୫/୦୨: ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ‘ପ୍ରେଗାବାଲିନ’ ଔଷଧକୁ ଆଉ ଔଷଧ ଦୋକାନୀମାନେ ଅବାଧରେ ବିକ୍ରି କରିପାରିବେ ନାହିଁ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ଏହି ଔଷଧ ମିଳିବ । ଏନେଇ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ।
‘ପ୍ରେଗାବାଲିନ୍’କୁ ଯୁବ ପିଢ଼ିଙ୍କ ଦ୍ୱାରା ନିଶା ପାଇଁ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଏଥିରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏନେଇ କେନ୍ଦ୍ର ସରକାର ମେ ୧୩ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସରକାରୀ ଗେଜେଟ୍ ନୂଆ ନିୟମ ପ୍ରକାଶ ପାଇବାର ୬ ମାସ ପରେ ଏହା ସାରା ଦେଶରେ କାର୍ଯ୍ୟକାରୀ ହେବ । ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ :-
ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ ଅଧୀନରେ ପୂର୍ବରୁ ଥିବା ‘ସିଡ୍ୟୁଲ୍ ଏଚ୍'ରେ ଥିବା ପ୍ରେଗାବାଲିନ୍କୁ ‘ସିଡ୍ୟୁଲ୍ ଏଚ୍୧' ଅଧୀନକୁ ଅଣାଯାଇଛି । ନୂଆ ସଂଶୋଧିତ ବର୍ଗୀକରଣ ଅନୁଯାୟୀ, ପ୍ରେଗାବାଲିନ୍ କେବଳ ପଞ୍ଜୀକୃତ ଚିକିତ୍ସକଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସକ୍ରିପସନ୍ ଦେଖାଇବା ପରେ ହିଁ ଦୋକାନୀ ବିକ୍ରି କରିପାରିବେ । ଖୁଚୁରା ବ୍ୟବସାୟୀ ପ୍ରେସକ୍ରିପସନ୍ ଓ ବିକ୍ରିର ବିବରଣୀ ଲିପିବଦ୍ଧ କରିବା ପାଇଁ ଏକ ସ୍ୱତନ୍ତ୍ର ରେଜିଷ୍ଟର ରଖିବେ । ଔଷଧ କମ୍ପାନି ଉତ୍ପାଦ ପ୍ୟାକେଜିଂ ଉପରେ ସ୍ପଷ୍ଟ ଭାବରେ ସିଡ୍ୟୁଲ୍ ଏଚ୍-୧ ଔଷଧ ବୋଲି ଚେତାବନୀ ଲେବଲ୍ ପ୍ରଦର୍ଶନ କରିବେ ।