ଫିରିଙ୍ଗିଆ,୧୧।୧୧ (ଆ.ପ୍ର): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗାଁ କୁ ସହର ସହିତ ଯୋଡିବା ପାଇଁ ପକ୍କା ରାସ୍ତାର ବ୍ୟବସ୍ଥା କରିଛନ୍ତି, ହେଲେ ଏବେବି ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳ ମାନଙ୍କରେ ପକ୍କା ରାସ୍ତା ସଂଯୋଗ ହୋଇ ପାରିନଥିବାରୁ ଆଜିବି ସେମାନେ ଦୁର୍ବିସହ ଜୀବନ ଜିଉଁଛନ୍ତି ।ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ପଂଚାୟତ ଅନ୍ତର୍ଗତ ସବେରୀ ଗ୍ରାମରେ ।

ଉକ୍ତ ଗ୍ରାମର ଗର୍ଭବତୀ  ପୁଷ୍ପଲତା  ବେହେରାଙ୍କ ପ୍ରସବ ବେଦନା ହେବା ପରେ ଉକ୍ତ ଗ୍ରାମର ଆଶା ଦିଦି ସଂଗେ ସଂଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ସାଙ୍ଗକୁ ରାସ୍ତାରେ ଏକ ବଡ଼ ନାଳ ପଡୁଥିବାରୁ ଆମ୍ବୁଲାନ୍ସ ଟି ଗ୍ରାମଠାରୁ ୧କିଲୋମିଟର ଦୂରରେ କାଲାଡି ପାଜିପାରି ଗାଁ ରେ ଅଟକି ରହିଥିଲା।  ପରେ ଆଶା ଦିଦି, ଆମ୍ବୁଲାନ୍ସ ଡ୍ରାଇଭର  ବଣ ଓ ଜଙ୍ଗଲ ଘାଟି ପାହାଡ଼ ଦେଇ ଆସିଥିଲେ ଗ୍ରାମର ଜନ ସାଧାରଣ ମିଶି ଖଟିଆରେ ୧କିଲୋମିଟର ଏକ ଭାର କରି ତହିଁରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯିବା ପରେ ତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ସେଠାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।  ଉଭୟ ମା ପୁଅ ସୁସ୍ଥ ଥିବା ସୂଚନା ମିଳିଛି । ପ୍ରଶାସନ ଉକ୍ତ ଗ୍ରାମର ଦୁଃଖକୁ ହୃଦୟଙ୍ଗମ କରି ଯଥାଶୀଘ୍ର ଉକ୍ତ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗେଇ ଦେବା ସହ ମେଣ୍ଡ ମୁଣ୍ଡା ନାଳରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।